ଫକୀରମୋହନ ମେଡିକାଲ କଲେଜ ହାସପାତାଳ: ଲାପ୍ରୋସ୍କୋପି ମେସିନ୍ ଅଚଳ କହି ଭୁଆଁ ବୁଲାଉଛନ୍ତି

ବାଲେଶ୍ବର: ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ପାଞ୍ଚ ବର୍ଷ ହୋଇଥିବା ବେଳେ ଆଜିଯାଏ ଆବଶ୍ୟକ ସୁବିଧା ରୋଗୀଙ୍କୁ ମିଳିପାରୁ ନାହିଁ। ଚିକିତ୍ସା କ୍ଷେତ୍ରଠୁ ନେଇ ବିଭିନ୍ନ ରୋଗଜନିତ ହେଉଥିବା ପରୀକ୍ଷା ପର୍ଯ୍ୟନ୍ତ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ଏମିତିକି ସାମାନ୍ୟ ଅସ୍ତ୍ରୋ‌ପଚାର ବି ଡାକ୍ତରଖାନାରେ ଉପଲବ୍ଧ ହେଉନାହିଁ। ଫଳରେ ରୋଗୀ ଘରୋଇ ଡାକ୍ତରଖାନା ଉପରେ ଭରସା କରୁଛନ୍ତି।
ଡାକ୍ତରଖାନାରେ ଏଣ୍ଡୋସ୍କୋପିକ୍‌, କ‌ଲୋନୋସ୍କୋପିକ୍‌, ଫାଇବ୍ରୋ ସ୍କାନ୍‌, ଇକୋ, ଟ୍ରେଡମିଲ୍‌, ପିଏଫ୍‌ଟି, ଏନ୍‌ସିଭି ଆଦି ପରୀକ୍ଷା କରାଯାଉନାହିଁ।

ମେଡିକାଲ କଲେଜ ଓ ହସ୍‌ପିଟାଲ ହେବା ପରେ ବିଭିନ୍ନ ବିଭାଗ ରହିବା ସହିତ ଏହି ସବୁ ପରୀକ୍ଷା କରାଯିବା କଥା। ହେଲେ ଆଜିଯାଏଁ ଏସବୁ ସୁବିଧା ଉପଲବ୍ଧ ନଥିବାରୁ ରୋଗୀ ବହୁ ଅସୁବିଧାରରେ ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ପରେ ଲାପ୍ରୋସ୍କୋପିକ୍‌ ଅସ୍ତ୍ରୋ‌ପଚାର ଯଦିଓ ଆରମ୍ଭ ହୋଇଥିଲା, ତାହା ବି ନହେବା ସହିତ ସମାନ ହୋଇଯାଇଛି। କାରଣ ଡାକ୍ତରଖାନାରେ ସମସ୍ତ ରୋଗୀଙ୍କ ପାଇଁ ଲାପ୍ରୋସ୍କୋପିକ୍‌ ଅସ୍ତ୍ରୋ‌ପଚାର ହେଉନାହିଁ। କାଁ ଭାଁ କେତେ ବେଳେ ହେଉଛି ତ କେତେବେଳେ ମେସିନ୍‌ ଖରାପ ଅଛି କହି ରୋଗୀଙ୍କୁ ଫେରାଇ ଦିଆଯାଉଛି। ଯାହାଫଳରେ ଡାକ୍ତରଖାନାରେ ଦିନକୁଦିନ ଏହି ଶ୍ରେଣୀର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏମାନେ ସୁବିଧା ନପାଇ ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି। ମେଡିକାଲ କଲେଜ ହସ୍‌ପିଟାଲ ହେବାର ୪ ବର୍ଷ ପରେ ଯଦିଓ ଲାପ୍ରୋସ୍କୋପିକ୍‌ ଦ୍ବାରା ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା ତାହା ସଂପୂର୍ଣ୍ଣ ମାତ୍ରାରେ ନଚାଲିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ହୋଇଛି।

ଯାହା ଜଣାଯାଇଛି, ଡାକ୍ତରଖାନାରେ ପାଖାପାଖି ୨ ବର୍ଷ ତଳେ ଲାପ୍ରୋସ୍କୋପିକ୍‌ ଅସ୍ତ୍ରୋ‌ପଚାର ଆରମ୍ଭ ହୋଇଥିଲା। ଆରମ୍ଭ ହେବାର କିଛିଦିନ ଯାଏ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ସେବା ବେଶ୍‌ ସହାୟକ ହୋଇଥିଲା। ହେଲେ କିଛିଦିନ ପରେ ମେସିନ୍‌ ଖରାପ ହେବାରୁ ଅସ୍ତ୍ରୋ‌ପଚାର ବନ୍ଦ ହୋଇଗଲା। ଏବେ ଅତି ଗୁରୁତର ରୋଗୀଙ୍କୁ କେବଳ ଅସ୍ତ୍ରୋ‌ପଚାର କରାଯାଉଥିବା ଜଣାଯାଇଛି।

ବାଲେଶ୍ବର ବଡ଼ ଡାକ୍ତରଖାନାକୁ ପ୍ରତିଦିନ ଲାପ୍ରୋସ୍କୋପିକ୍‌ ଅସ୍ତ୍ରୋ‌ପଚାର ହେବା ପାଇଁ ୫୦ ପାଖାପାଖି ରୋଗୀ ଆସୁଥିବା ବେଳେ ସପ୍ତାହକୁ ଗୋଟିଏ ଦିନ ଅସ୍ତ୍ରୋ‌ପଚାର କରାଯାଉଛି। ତାହା ବି ପୁଣି ଗୁରୁତର ରୋଗୀଙ୍କୁ କରାଯାଉଛି। କହିବାକୁ ଗଲେ, ମାସକୁ ୧୫ ଜଣ ରୋଗୀଙ୍କୁ ଅସ୍ତ୍ରୋ‌ପଚାର କରାଯିବା ସମ୍ଭବ ହେଉନଥିବା ଜଣାଯାଇଛି। ସେହିପରି ଡାକ୍ତରଖାନାରେ ଅନ୍ୟ ବିଭାଗ କି ପରୀକ୍ଷ‌ା ହେଉନଥିବାରୁ ରୋଗୀ ବାହାରେ ଖର୍ଚ୍ଚାନ୍ତ ହେଉଛନ୍ତି। ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଏତେ ବର୍ଷ ହୋଇଥିବା ବେଳେ ଡାକ୍ତରଖାନାରେ ଏସବୁ ପରୀକ୍ଷା ଓ ଚିକିତ୍ସା ସେବା ଜରୁରୀ ହୋଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ, ରାଜନେତା, ଡାକ୍ତରଖାନା କର୍ତ୍ତୃପକ୍ଷ ଗୁରୁତ୍ବ ଦେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର