ଦୁର୍ଘଟଣାରେ ଆହତ ନାବାଳକ ଗୁରୁତର:ଚିକିତ୍ସା ପାଇଁ ଅର୍ଥ ବାଧକ

ନବରଙ୍ଗପୁର: ଅର୍ଥ ରୋଜଗାର କରିବା ପାଇଁ ନାବାଳକ ଦାଦନ ଖଟିବାକୁ ପିକଅପ ଭ୍ୟାନରେ ମାଲକାନଗିରି ଯିବା ବେଳେ ଗାଡି ଓଲଟି ପଡିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣାରେ ନାବାଳକ ସ୍ମୃତିଶକ୍ତି ହରାଇଥିବା ବେଳେ ପାଟି ଫିଟୁନି କି ଆଖି ବି ଦିଶୁନି। ଏପଟେ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ କି ଦଲାଲଙ୍କ ଦେଖାମିଳୁନି। ତେଣୁ ନାବାଳକ ପୁଅର ଚିକିତ୍ସା ପାଇଁ ଚିନ୍ତାରେ ରହିଛି ବିଧବା ମା। ଏପରି ଏକ ଦୟନୀୟ ପରିସ୍ଥିତି ଦେଖାଦେଇଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ପାତ୍ରୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗୁଡା ଗାଁରେ।
ମୁଣ୍ଡାଗୁଡା ଗାଁର ଆଦାଇ ଜାନିଙ୍କ ନାବାଳକ ପୁଅ ତୈଳ ଜାନି(୧୬) ସେହି ଗାଁର ୧୦ ଜଣଙ୍କ ସହ ମିଶି ଗତ ମାସରେ ମାଲକାନଗିରି ଅଞ୍ଚଳକୁ ବିଦ୍ୟୁତ ପୋଲ ପୋତିବା ଓ ଉଠାଇବା କାମ ପାଇଁ ଦିନ ମଜୁରିଆ ଭାବେ ଯାଇଥିଲେ। କାମ କରିବାର ୬ ଦିନ ପରେ ଅକ୍ଟୋବର ୧୧ ତାରିଖରେ ଏକ ପିକଅପ୍ ଭ୍ୟାନରେ ଏହି ୯ ଜଣ ନାବାଳକ ଓ ଯୁବକ ମିଶି ଯାଉଥିଲେ। ତେବେ ମାଲକାନଗିରି ଠାରୁ ପ୍ରାୟ ୧୦ କିମି ଦୂର ସିନ୍ଧିରିମାଳ ନିକଟରେ ପିକଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ଏହି ଦୁର୍ଘଟଣାରେ ମୁଣ୍ଡାଗୁଡା ଗ୍ରାମର ତ୍ରିଲୋଚନ ଜାନି(୨୧) ପ୍ରାଣ ହରାଇଥିବା ବେଳେ ନାବାଳକ ତୈଳ ଜାନିଙ୍କ ସମେତ ୯ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ମାଲକାନାଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତୈଳ ଜାନିର ମୁଣ୍ଡକୁ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ମେଡିକାଲରେ ୧୫ ଦିନ ରହିି ଚିକିତ୍ସା ହୋଇଥିଲେ। ତଥାପି ତାଙ୍କର ମସ୍ତିସ୍କରେ ଆଘାତ ଲାଗିଥିବାରୁ ସେ ସ୍ମୃତି ଶକ୍ତି ହରାଇବା ସହ ପାଟି ଫିଟାଇପାରୁ ନାହାନ୍ତି। ସେ କେତେବେଳ କଣ କରୁଛି କେହି ଜାଣିପାରୁ ନାହାନ୍ତି। ତୈଳକୁ ବିଶାଖାପାଟଣା ନେଇ ଚିକିତ୍ସା କରାଇବା ପାଇଁ ଡାକ୍ତର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ବିଧବା ମା ଆଦାଇ ପାଖରେ ଟଙ୍କା ନଥିବାରୁ ଘରକୁ ଫେରି ଆସିଥିଲେ।
ମେଡିକାଲରୁ ଆସିବା ପରେ ତାର ପରିଶ୍ରା ଦ୍ବାରରେ ନଳୀ ଲାଗିଛି। ସେ କିଛି ଖାଦ୍ୟ ଖାଇପାରୁ ନାହିଁ। ବିଧବା ମା ଆଦାଇ ଜାନି, ନାବାଳକ ତୈଳ ଓ ବଡଭାଇକୁ ନେଇ ପରିବାର। ପକ୍କା ଘର ନାହିଁକି ଚାଷ ଜମି ନାହିଁ। କୁଲି ଲାଗିଲେ ପେଟକୁ ଦାନା ମିଳୁଛି। ଏପରି ସ୍ଥଳେ ତୈଳକୁ ଚିକିତ୍ସା ଟଙ୍କା କୁଆଡେ ଆଣିବେ ବୋଲି ଆଦାଇ ଜାନି କହିଛନ୍ତି। ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ତୈଳ ପାଠ ପଢ଼ା ଛାଡି ଦାଦନ ଖଟିବାକୁ ଯାଉଥିଲା। ତେବେ ଦୈବ ଏହା ବି କରାଇଦେଲା ନାହିଁ ବୋଲି ମା ଆଦାଇ କହିଛନ୍ତି। ଅପର ପକ୍ଷରେ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଘୋଷଣା କରିଛନ୍ତି। ତେବେ ଏଯାବତ ସଚେତନତା ଅଭାବରୁ ରେଗୀ ମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପର ପକ୍ଷରେ ଦୁର୍ଘଟଣା ପର ଠାରୁ ଦଲାଲ କିମ୍ବା ଗାଡି ମାଲିକର ମଧ୍ୟ ଦେଖା ମିଳୁନି। ମାଲାକାନାଗିରି ଥାନାରେ ଏକ ମାମଲା ଦାୟର ବି ହୋଇଛି। କେବଳ ତୈଳ ନୁହେଁ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୯ ଜଣ ବି ଖଣ୍ଡିଆ ଖାବରା ହୋଇ ଗାଁରେ ପଡି ରହିଛନ୍ତି। କାହାରିକି ବି ଟଙ୍କାଟିଏ ସାହାଯ୍ୟ ମିଳିପାରି ନାହିଁ। ଏପରିକି ମୃତକ ତ୍ରିଲୋଚନ ଜାନିଙ୍କ ପରିବାରକୁ ମଧ୍ୟ ସହାୟତା ମିଳିପାରି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସରକାର ତୈଳର ଚିକିତ୍ସା ଖର୍ଚ୍ଚ ଯୋଗାଇଦେବା ସହ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର