ସ୍କୁଲ ପରିସରରେ ମାଆଙ୍କ ସ୍ମୃତିରେ ବୃକ୍ଷ ଲଗାଇଲା ପୁଅ

ମାଲକାନଗିରି: ମଧୁସ୍ମିତା ମଲ୍ଲିକ ଏବଂ କରୁଣାକର ମଲ୍ଲିକ ଦୁହେଁ କୋରକୋଣ୍ଡା ବ୍ଲକର ତାର୍ଲାକୋଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଅଟନ୍ତି। ଏହି ଦମ୍ପତିଙ୍କର ଗୋଟିଏ ପୁଅ ରହିଛନ୍ତି। ଦୁହେଁ ଆଦର୍ଶ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବେ ଏହି ଅଂଚଳରେ ବେଶ ପରିଚିତ। ତେବେ ଏହି ସୁଖି ପରିବାରରେ ଏକ ବଡ ଧରଣର ଅଘଟଣ ଘଟିଥିଲା। ସେପ୍ଟେମ୍ବର ମାସରେ ମଧୁସ୍ମିତା କରୋନା ରୋଗରେ ପୀଡିତ ହୋଇ ଗୁରୁତର ହୋଇଥିଲେ। ସ୍ବାମୀ କରୁଣାକର ତାଂକର ଚିକିତ୍ସା ପ୍ରଥମେ ମାଲକାନଗିରି ପରେ କୋରାପୁଟ ଡାକ୍ତରଖାନାରେ କରାଇଥିଲେ। ତେବେ ଗୁରୁତର ହେବାରୁ ଆଗକୁ ବଡ ଡାକ୍ତରଖାନାକୁ ନେବାକୁ ପ୍ରସ୍ତୁତ ହେବା ସମୟରେ ମଧୁସ୍ମିତାଙ୍କର ଦେହାନ୍ତ ହୋଇଯାଇଥିଲା। ତାଂକର ଅକାଳ ବିୟୋଗରେ ସ୍ବାମୀ ଭାଙ୍ଗିପଡିଥିଲେ। ତେବେ ସବୁଠାରୁ ବଡ ବଜ୍ରପାତ ହୋଇଥିଲା ପୁଅ ନବନୀତ (ଆୟୁଷ) ଉପରେ। ସେ ମାତ୍ର ୧୨ ବର୍ଷର ପିଲା ହୋଇଥିବା ବେଳେ ମା’ର ଏଭଳି ଅଚାନକ ମୃତ୍ୟୁକୁ ବରଦାସ୍ତ କରିପାରିନଥିଲା। ସବୁବେଳେ ମା’କୁ ଝୁରିଲା। ଦିନରାତି ମା’କୁ ମନେ ପକାଇଲା।

Sambad

ତେବେ ତାକୁ ସାନ୍ତ୍ବନା ଦେବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଆଗେଇ ଆସିଥିଲେ।ସେହି ପରିମାଣରେ ସ୍ବାମୀ କରୁଣାକର ମଧ୍ୟ ଭାଙ୍ଗି ପଡିଥିଲେ। ପତ୍ନୀଙ୍କ ଅକାଳ ବିୟୋଗକୁ ସେ ବିଶ୍ବାସ କରି ପାରିନଥିଲେ। ତାଂକ ଉଦେଶ୍ୟରେ ସେ ବହୁ କାର୍ଯ୍ୟକ୍ରମ କରିଥିଲେ। ଏପରିକି ତାଂକ ଉଦେଶ୍ୟରେ ବହି ମଧ୍ୟ ଲେଖିଥିଲେ। ତେବେ ପୁଅ ଏବେ ମା’ଙ୍କ ପାଇଁ ସ୍ମୃତିରେ ସେହି ବିଦ୍ୟାଳୟରେ ବୃକ୍ଷରୋପଣ କରିଛନ୍ତି। ଏହି ବିଦ୍ୟାଳୟରେ ସେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ଭାବେ ରହିଥିବାରୁ ତାଂକୁ ମନେ ପକାଇବା ପାଇଁ ସେହି ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ମଧ୍ୟ ନବନୀତକୁ ସହଯୋଗ କରିଥିଲେ। ମା’ଙ୍କ ଫଟୋକୁ ସେହି ଗଛ ନିକଟରେ ଲଗାଇ ତାଂକ ନାମରେ ନାମିତ କରିଥିଲେ। ପୁଅର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ନିଜେ କରୁଣାକର ମଧ୍ୟ ପୁଅର ଏହି କାର୍ଯ୍ୟକୁ ସହଯୋଗ କରିବା ସହ ତାଂକ ଉଦେଶ୍ୟରେ ସ୍କୁଲ ପରିସରରେ ବହୁ ବୃକ୍ଷରୋପଣ କରାଯାଇଥିଲା। ସେହି ବୃକ୍ଷ ନବନୀତର ମା ଭଳି ରହିବ, ତେଣୁ ତାକୁ ନବନୀତ ଯତ୍ନର ସହ ବଢାଇବ ବୋଲି ବାପା କରୁଣାକର କହିଛନ୍ତି।

ସମ୍ବନ୍ଧିତ ଖବର