ଦର୍ପଣ, ସହରାଞ୍ଚଳ ନିଯୁକ୍ତି ଓ ବେକାରି

ଦେଶର ନିଯୁକ୍ତି କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଥିବା ବେଳେ ‘ନେସନାଲ୍ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍’ (ଏନ୍‌ଏସ୍ଓ) ଦ୍ବାରା ସଦ୍ୟ ପ୍ରକାଶିତ ‘ପିରିଅଡିକ୍ ଲେବର୍ ଫୋର୍ସ‌୍ ସର୍ଭେ’ ରିପୋର୍ଟ ଅନୁଯାୟୀ ସହରାଞ୍ଚଳରେ ଚାକିରିଆଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୮ ଅପ୍ରେଲ-ଜୁନ ତ୍ରୈମାସିକ ଅବଧି ବା ଦ୍ବିତୀୟ ଚଉଠରେ ସହରାଞ୍ଚଳ ଚାକିରିଆଙ୍କ ହାର ୪୮.୩ % ଥିବା ବେଳେ ୨୦୧୯ ଜାନୁଆରି-ମାର୍ଚ୍ଚ ବା ଚଳିତ ବର୍ଷର ପ୍ରଥମ ଚଉଠରେ ଏହା ସାମନ୍ୟ ବୃଦ୍ଧି ପାଇ ୫୦%ରେ ପହଞ୍ଚିଛି। ତେବେ ଯାହା ଏହି ପରିସଂଖ୍ୟାନର ଏକ ଉଜ୍ଜ୍ବଳ ଦିଗ, ତାହା ହେଲା ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ହାରରେ ଚାକିରିରେ ଯୋଗ ଦେଉଛନ୍ତିି। ଏହି ବୃଦ୍ଧିର ଧାରା ଚାରିଟି ଚଉଠର ପରିସଂଖ୍ୟାନରେ କ୍ରମାନ୍ବୟରେ ଦୃଶ୍ୟମାନ। ପୁରୁଷଙ୍କ କ୍ଷେତ୍ରରେ ଏହି ବୃଦ୍ଧିର ହାର ୧.୫% ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହି ହାର ୨.୧% ହୋଇଛି। ୧୫-୨୯ ବର୍ଷର ଯୁବକଯୁବତୀଙ୍କ କ୍ଷେତ୍ରରେ ବେକାରି ହାର ସବୁଠାରୁ ଉଦ୍‌ବେଗଜନକ ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି। ଆମ ଦେଶର ସହରମାନଙ୍କରେ ୧୫ରୁ ୨୯ ବର୍ଷ ବୟସ୍କ ବର୍ଗରେ ପ୍ରତି ପାଞ୍ଚ ଜଣରୁ ଜଣେ ଚାକିରି ଲାଗି ଉପଲବ୍‌ଧ ଥିଲେ ମଧ୍ୟ ନିଯୁକ୍ତି ପାଇ ନାହାନ୍ତି। ୨୦୧୯ ପ୍ରଥମ ଚଉଠରେ ଯୁବକଯୁବତୀଙ୍କ ବେକାରି ହାର ୨୨.୫% ରହିଛି। ମହିଳାମାନଙ୍କ ଭିତରେ ବେକାରି ହାର ୨୯% ରହିଛି, ଯାହା ପୁରୁଷଙ୍କ ତୁଳନାରେ ୮% ଅଧିକ।

ଚଳିତ ବର୍ଷର ପ୍ରଥମ ଚଉଠରେ ଶ୍ରମ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ଗଲା ବର୍ଷର ଶେଷ ତିନିଟି ଚଉଠ ତୁଳନାରେ କମ୍ ରହିଛି, ଯାହା ହେଉଛି ୩୬%। ଦେଶର ରାଜ୍ୟମାନଙ୍କ ସ୍ଥିତିକୁ ବିଚାର କଲେ ଦେଖାଯିବ ଯେ କେରଳରେ ବେକାରି ହାର ସର୍ବାଧିକ ରହିଥିବା ବେଳେ ଗୁଜୁରାଟରେ ଏହା ସର୍ବନିମ୍ନ। ଏହି ତାଲିକାରେ କେରଳ ପରେ ଦ୍ବିତୀୟ ସ୍ଥାନରେ ରହିଛି ଜାମ୍ମୁକାଶ୍ମୀର ଏବଂ ତୃତୀୟ ସ୍ଥାନରେ ରହିଛି ଓଡ଼ିଶା। ଓଡ଼ିଶାରେ ସହରାଞ୍ଚଳ ବେକାରି ହାର ୩୩.୮% ବୋଲି ଜଣାପଡ଼ିଛି। ତେବେ ଏହି ନୂତନ ପରିସଂଖ୍ୟାନକୁ ନେଇ କୌଣସି ନିଷ୍କର୍ଷରେ ଉପନୀତ େହବା ଏବେ ତରବରିଆ ହେବ ବୋଲି ଅର୍ଥନୀତି ବିଶେଷଜ୍ଞମାନଙ୍କ ମତ।

ସମ୍ବନ୍ଧିତ ଖବର