ବଢ଼ିବାର ଭୋକ

ସତ୍ୟନାରାୟଣ ଗନ୍ତାୟତ

‘ଗରିବ ଲୋକ ରାତିରେ ଖାଇଲେ ସକାଳୁ ଭୋକ’ ବୋଲି କିଏ କିଆଁ ଫାନ୍ଦି ପକାଇଛନ୍ତି କେଜାଣି, ଆମକୁ କିନ୍ତୁ ନାକରା ଲାଗୁଛି। କାରଣ ଜଣଙ୍କଠି ଠନଠନର କମି ଅଛି ବୋଲି କ’ଣ ତାକୁ ରାତି ପାହୁପାହୁ ଭୋକ ହୁଏ? ଫେର‌୍‌ ଯେଉଁ ବାଗରେ ଏଠେଇଁ ‘ରାତିରେ ଖାଇଲେ’ ବୋଲି କୁହାଯାଇଛି, ତହିଁରୁ ଲାଗୁଚି ଯେ ରାତିରେ ତା’ ଖାଇବା ଊଣା ହୋଇ ନ ଥିଲେ ହେଁ ସକାଳୁ ସକାଳୁ ତାକୁ ଭୋକ!

ଏଥକୁ ଆମ କହିବା କଥା ହେଲା ସକାଳ ହେଲେ କ’ଣ ଆଉ କାହାକୁ ଭୋକ ହୁଏନି? କେବଳ ଗରିବଙ୍କୁ ଇ ହୁଏ? ହଉ ହେଲା, ଏଣେ ପୁଣି ଗରିବ ବୋଲି କହୁଛ ପରା? ଯଦି ରାତିରେ ସେଇ ଗରିବ ଲୋକଟି ପେଟପୂରା ଖାଇ ନ ଥିବ, ତେବେ ସକାଳ ହେଉ ହେଉ ତାକୁ ଭୋକ ଲାଗନ୍ତା ନାହିଁ କି? ଯେଉଁ ଜନେ ଗରିବ ନୁହନ୍ତି, ସେମାନେ ସକାଳୁ ଯୋଉ ପହିଲି ଆହାର ଖାଆନ୍ତି, ତାକୁ କହନ୍ତିି ‘ବ୍ରେକ୍‌ ଫାଷ୍ଟ୍‌’। କିଆଁ କହନି? ରାତିରେ ଭରପୂର ଖାଇବା ପରେ ବି ସେମାନେ ସକାଳକୁ ଉପାସିଆ ହୋଇ ଯାଉଥିବାରୁ କିଛି ଖାଇ ସେହି ଉପାସ ଭଙ୍ଗ ବା ‘ବ୍ରେକ୍‌ ଫାଷ୍ଟ୍’ କରନ୍ତି। ଏଥିରୁ ଲାଗୁଚି ରାତିରେ ଖାଇବା ଯାହା ହୋଇଥାଉ ନା କାହିଁକି ସକାଳ ବେଳକୁ ଦେହ ମନ ଉପାସିଆ ଥାଏ।

ଖାଇବା ବଡ଼ କାମଟେ ଜରୁର‌୍‌। ନ ଖାଇଲେ ଜିଇ ହେବନି। କି ଗରିବ କି ଧନୀ, ସଭିଙ୍କୁ ଭୋକ ହୁଏ। ତେବେ ନଥିଲା ବାଲାଏ ଖାଇବାକୁ ନ ପାଇବା ବା ନାମକୁ ମାତ୍ର ଯାହା ମିଳିଲା ତହିଁରେ ଭୋକ ମେଣ୍ଟାଇ ନ ପାରିବା ତ ସାଧାରଣ କଥା। ତେଣୁ କୁହାଯାଏ ଯେ ଏମନ୍ତ ଜନେ ଢୋକେ ପିଇ ଦଣ୍ତେ ଜିଇ’ଥାନ୍ତି। କିନ୍ତୁ ଯାହାଙ୍କ ଖାଇବା ପାଇଁ ଅଭାବ ନାହିଁ, ସେମାନେ ହିଁ ଖାଇବା ନେଇ ନାନା ଚିନ୍ତାରେ ବ୍ୟସ୍ତ ଥାନ୍ତି। ‘ଏଇଆ ଖାଇବି, ସେଇଆ ଖାଇଲେ ଜମିବ’ ଭଳି ହରରଙ୍ଗୀ ଯୋଜନାରେ ସେମାନେ ମସଗୁଲ ଥାନ୍ତି। ଏମାନଙ୍କ ପାଇଁ ଭଳିକି ଭଳି ‘ରେସିପି’, ନାନା ଜାତି ମସଲା ଓ ତେଲରେ ବିପଣି ଭରା। ଏମାନଙ୍କ ଲାଗି କେତେ ଖାଦ୍ୟ ମେଳା ସବୁ ସଜିଲ ହୋଇ ରହିଥାଏ। କେବଳ ସେତିକି ନୁହେଁ ‘ଆମେ କ’ଣ କ’ଣ ଖାଇପାରୁ’ ବା ‘କ’ଣ କ’ଣ ଖାଇବା ପାଇଁ ଆମେ ଜନମିଛୁ’ ତାକୁ ପ୍ରମାଣ କରିବା ଲାଗି ବି ବଜାର ରେଡି। ତା ନ ହେଲେ ସାତ ସମୁଦ୍ର ତଳର ଅକ୍ଟୋପସ୍‌ର ମାଉଁସ ବି ଏଠେଇଁ ମିଳନ୍ତା କେମିତି? ଖାଇଲା ବାଲାଙ୍କୁ ଏଇ କିସମର ଭୋକ ଲାଗୁଥିଲେ ହେଁ ଏ ନେଇ କେହି କିଛି କହନ୍ତିନି। ତେବେ ଅସଲ କଥା ହେଉଛି ଆମେ ବଞ୍ଚିବା ପାଇଁ ଖାଇଲେ ହିଁ ଭଲ। ତା’ ବଦଳରେ ଠନଠନ ଅଛି ବୋଲି ଯଦି ତୁଚ୍ଛା ଖାଇବା ଲାଳସାରେ ଜରଜର ହୋଇ ବଞ୍ଚିବା, ତେବେ ଅବଶେଷେ ଖାଇଥିବା ଚିଜତକ ହଜମ କରିବା ତ’ କାଠିକର ପାଠ ହେବ, ସେଇ ‘ଅତି ଖାଇବା’ ଆମକୁ ଖାଇବ। ଏମିତିରେ ‘ଖାଇ ଖାଇଲେ’ କ’ଣ ହୁଏ, ତାହା କାହାକୁ ବା ଅଜଣା ଯେ?

ବର˚ ଏ ବେଳରେ ମନକୁ ଆସୁଛନ୍ତି ଜନୈକ ମହାନୁଭବଙ୍କ କଥା, ଯିଏ ଖାଇବାର ସାଧୢ ଓ ସାଧନ ଥିବା ସତ୍ତ୍ବେ ଦାରିଦ୍ର୍ୟକୁ ନିଜ ଇଚ୍ଛାରେ ବରଣ ପୂର୍ବକ ବେଳ ବୁଡ଼ିିବା ମାତ୍ରକେ ଅଳ୍ପ କିଛି ଆହାରରେ ରାତ୍ରି ଭୋଜନ ସାରି ଦେଉଥିଲେ। ରାତିର ଦ୍ବିତୀୟ ପ୍ରହର ବେଳୁ ତାଙ୍କୁ ଲାଗୁଥିବା ପ୍ରବଳ ଭୋକରୁ ସେ ଅନୁଭବ କରି ପାରୁଥିଲେ ଆଦୌ ଆହାର ମୁଠାଏ ନ ପାଇ ପେଟରେ ଓଦାକନା ପକାଇ ଖାଡ଼ା ଓପାସରେ ଶୋଇ ଯାଉଥିବା ଲୋକଙ୍କ କଷ୍ଟ। ହେଲେ, ଆମେ ଏମନ୍ତ ଭାଳି ହେବା ବେଳକୁ ତେଣେ ଦେଖ କେମନ୍ତ ଥୋକେ ପେଟପୂରା ଓ ମନପୂରା ଖାଇ ଚାଲିଥିଲେ ସୁଦ୍ଧା ସେମାନଙ୍କୁ ଆବୋରି ବସିଛି ଭୋକ; ଭାରି ଭୋକ!
ସବୁବେଳେ ଏଇ ଜାତୀୟ ଜୀବମାନେ ହାଉଁମାଉଁଖାଉଁ ହୋଇ ଚାଲିଥିବା ବେଳେ ଏ ନେଇ ପୁଚ୍ଛିଲେ କହନ୍ତି- ‘ନ ଖାଇଲେ ଆମେ ବଢ଼ିବୁ କେମିତି?’ ଓଃ, ଏବେ ବୁଝିଗଲୁ ଯେ ଏଇମାନଙ୍କ ଭୋକଟା କେଉଁ କିସମର? ସେମାନେ ‘ବଢ଼ିବାର ଭୋକ’ରେ ଏତେ ଆଉଟୁ ପାଉଟୁ ଯେ ସାରା ସ˚ସାର ଖାଇଗଲେ ବି ପର ମୁହୂର୍ତ୍ତରେ ଏମାନଙ୍କୁ ଲାଗୁଥାଏ ଭୋକ!
‘ସୁହାସିତମ୍‌’, କସ୍ତୁରୀ ନଗର, ରାୟଗଡ଼ା

ସମ୍ବନ୍ଧିତ ଖବର