ସୋନମଙ୍କ ପାର୍ଟିରେ ଡେଭିଡ୍ ବେକ୍‌ହାମ୍‌

ମୁମ୍ବାଇ ଗସ୍ତରେ ଆସିଥିବା ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍‌ ତାରକା ଡେଭିଡ୍‌ ବେକହାମ୍‌ ବୁଧବାର ରାତିରେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ। ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ବାମୀ ଆନନ୍ଦ ଆହୁଜା ତାଙ୍କୁ ନିମନ୍ତ୍ରଣ କରିଥିଲେ ବୋଲି ଜଣାଯାଇଛି। ୟୁନିସେଫ୍‌ର ଆମ୍ବାସାଡର ଭାବରେ ଭାରତରେ ନିଜର କିଛି ପ୍ରତିବଦ୍ଧତା ପୂରା କରିବା ଲାଗି ବେକ୍‌ହାମ୍‌ ମୁମ୍ବାଇରେ ପହଞ୍ଚିଥିବା ବେଳେ ସୋନମ-ଆନନ୍ଦଙ୍କ ନିମନ୍ତ୍ରଣ ରକ୍ଷା କରି ସେ ସେମାନଙ୍କ ବାସଭବନରେ ପଦାର୍ପଣ କରିଥିଲେ। ସୋନମଙ୍କ ବଙ୍ଗଳା ଆଗରେ କଳା ପୋଷାକ ପରିହିତ ବେକ୍‌ହାମ୍‌ଙ୍କ ସହିତ ଲାଲ୍‌ ଶାଢ଼ିରେ ସୋନମଙ୍କୁ ଦେଖିବାକୁ ମିଳିଥିଲା।

ସୋନମଙ୍କ ବେଶଭୂଷା ବେଶ୍‌ ଆକର୍ଷଣୀୟ ଜଣାପଡୁଥିଲା। ସୂଚନାଯୋଗ୍ୟ, ବୁଧବାର ମୁମ୍ବାଇର ଵାଙ୍ଖଡ଼େ ଷ୍ଟାଡିଅମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ବକପ୍‌ କ୍ରିକେଟ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ରେ ବେକ୍‌ହାମ୍‌ଙ୍କ ଉପସ୍ଥିତି ଲକ୍ଷ୍ୟ କରାଯାଇଥିଲା। ତାହା ପୂର୍ବରୁ ମଙ୍ଗଳବାର ସେ ତାଙ୍କ ଗୁଜରାଟ ଗସ୍ତ ସଂକ୍ରାନ୍ତ ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ଭାରତରେ ନିଜର ଉପସ୍ଥିତି ଜାହିର କରିଥିଲେ। ସୋନମଙ୍କ ପାର୍ଟିରେ ଅନେକ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଅଭିନେତା ଅନୀଲ କପୁର, ସଞ୍ଜୟ କପୁର, କରୀଶ୍ମା କପୁର, ମଲାଇକା ଅରୋଡ଼ା, ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ପ୍ରମୁଖ ଯୋଗ ଦେଇ ବେକ୍‌ହାମ୍‌ଙ୍କ ସହିତ ଫଟୋ ଉଠାଇଥିଲେ।

ସମ୍ବନ୍ଧିତ ଖବର