ଯୌତୁକ ନିର୍ଯାତନାରୁ ମହିଳାଙ୍କ ଆତ୍ମହତ୍ୟା ମାମଲା: ଶାଶୂ, ଶ୍ବଶୁର ଓ ନଣନ୍ଦ ଗିରଫ

ପୂର୍ବରୁ ବନ୍ଧା ହୋଇଥିଲା ସ୍ବାମୀ

ଭୁବନେଶ୍ବର: ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ପୁନାମା ଗେଟ୍‌ ଅଞ୍ଚଳର ପ୍ରିୟଙ୍କା ମିଶ୍ର ମାମଲାରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଶାଶୂ, ଶ୍ବଶୁର ଓ ନଣନ୍ଦଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପିପିଲି ନୂଆଶାସନର ଶ୍ବଶୁର ପ୍ରଦୀପ ଦାଶ(୫୪), ଶାଶୂ ସଞ୍ଜୁଲତା ଦାଶ(୫୨) ଓ ନଣନ୍ଦ ଇତିଶ୍ରୀ ଦାଶ(୨୬)। ଜାମିନ ଖାରଜ ହେବା ପରେ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପୂର୍ବରୁ ଏହି ମାମଲାରେ ପୁଲିସ ପ୍ରିୟଙ୍କାଙ୍କ ସ୍ବାମୀ ସୂରଜ ଦାଶଙ୍କୁ ଜେଲ୍‌ ପଠାଇସାରିଛି।

ପୁଲିସ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର (୨୬) ଅଢ଼େଇ ବର୍ଷ ତଳେ ସୂରଜଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶ୍ବଶୁର ଘର ଲୋକେ ଯୌତୁକ ବାବଦରେ ଆଉ ୫ଲକ୍ଷ ଟଙ୍କା ଆଣିବା ପାଇଁ ପ୍ରିୟଙ୍କାଙ୍କ ଉପରେ ଚାପ ପକାଇଥିଲେ। ସେଥିପାଇଁ ସେମାନେ ବିଭିନ୍ନ ସମୟରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ପ୍ରିୟଙ୍କାଙ୍କ ବାପା ବିଦ୍ୟାଧର ମିଶ୍ର ଏସବୁ ଜାଣିବା ପରେ ସୂରଜଙ୍କ ବାପା ପ୍ରଦୀପଙ୍କ ସହ ଆଲୋଚନା କରିଥିଲେ। ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା ଏବଂ ପୁଣି କିଛି ଦିନ ଭଲରେ ବିତିଲା। କିନ୍ତୁ ପରେ ଯୌତୁକ ଲୋଭୀ ପରିବାର ପକ୍ଷରୁ ପୁଣି ପ୍ରିୟଙ୍କାଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ନଭେମ୍ବର ୬ ତାରିଖ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀ ସୂରଜ, ଶ୍ବଶୁର ପ୍ରଦୀପ, ଶାଶୂ ସଞ୍ଜୁଲତା ଓ ନଣନ୍ଦ ଇତିଶ୍ରୀ କେହି ଘରେ ନଥିବା ବେଳେ ପ୍ରିୟଙ୍କା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ସଫେଇ ଦିଆଗଲା। କିନ୍ତୁ ପ୍ରିୟଙ୍କାଙ୍କ ବାପା ବିଦ୍ୟାଧର ପୁରୁଣା ମାମଲା ସବୁ ନେଇ ତାଙ୍କ ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର