ବିଦ୍ୟୁତ୍ ସଂଯୋଗ ନାହିଁ, ଆସିଛି ୧୦ ହଜାରର ବିଲ୍

ଧରା ଦେଉନି ବିଭାଗ, ଚିନ୍ତାରେ ଗରିବ ପରିବାର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇନି। ଅଥଚ ୧୦ ହଜାର ଟଙ୍କା ବିଲ୍‌ ଆସିଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଧରାଛୁଆଁ ଦେଉନଥିବାରୁ ଗରିବ ପରିବାର ଚିନ୍ତାରେ ପଡ଼ିଛନ୍ତି।

ପ୍ରକାଶ ଯେ, ଉପରଝର ଗାଁର ରମେଶ ବଢ଼ିଆ ଜଣେ ନିହାତି ଗରିବ। ପ୍ରଧାନମନ୍ତ୍ରୀ ଆବାସରେ ଘର ଖଣ୍ଡିଏ ନିର୍ମାଣ କରିଛନ୍ତି। ତାହା ପୁଣି ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଘରେ ବିଦ୍ୟୁତ ସଂଯୋଗ କରି ନଥିବାରୁ ଏକ ଚାର୍ଜ ଲାଇଟ କିଣି ଦିନ କାଟୁଛନ୍ତି। ତେବେ ତିନି ବର୍ଷ ତଳେ ଶୋଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ଦେଉଥିବା କର୍ମଚାରୀ ତାଙ୍କ ଘରକୁ ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦେଇ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଓଲଟା ବିଦ୍ୟୁତ କର୍ମଚାରୀ ପ୍ରତି ମାସ ଘରକୁ ଆସି ଇଲେକ୍ଟ୍ରି ବିଲ ଦେଉଛନ୍ତି ବୋଲି କହିଛନ୍ତି। ୨୦୨୨ ଡିସେମ୍ବରରେ ବିଲ ଦେଇ ମୋଟ ୧୦ ହଜାର ୭୦୭ ଟଙ୍କା ବାକି ରହିଥିବା କହିଥିଲେ। ଏହା ଜାଣିବା ପରେ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି।

ଏନେଇ ତୁଷୁରା ବିଦ୍ୟୁତ ବିଭାଗ ଏସ୍‌ ଡିଓଙ୍କୁ ଯାଇ ଅଭିଯୋଗ କରିଥିଲେ ବି କୌଣସି ସମାଧାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତୁଷୁରା ବିଦ୍ୟୁତ୍ ବିଭାଗର ଏସ୍‌ ଡିଓ ସଂଜୀବ ପାଢୀଙ୍କୁ ପଚାରିବାରୁ ଲିଖିତ ଅଭିଯୋଗ ଆସିଲେ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏନେଇ ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର