ଭାବଗତ ଟୁଙ୍ଗୀ ପ୍ରତି ବିଏମ୍‌ସିର ବିତୃଷ୍ଣା କିଆଁ! ପଡ଼ିରହିଛି ୧୧୩ ଆବେଦନ, ବାଧକ ସାଜିଛି ବିଏମ୍‌ସି

୨ ବର୍ଷ ତଳୁ ଆସିଲାଣି ଚିଠି, ପ୍ରସ୍ତୁତ ହେଉନି ରିପୋର୍ଟ, ପ୍ରୋତ୍ସାହନ ଅଭାବରୁ ଟୁଙ୍ଗୀରେ ପଡ଼ିଛି ତାଲା

ଖଣ୍ଡଗିରି(ହରପ୍ରିୟା ପୃଷ୍ଟି): ଦିନ ଥିଲା, ବରମୁଣ୍ଡା ଗାଁ ପାଲାମଣ୍ଡପ ଛକ ଭାଗବତ ଟୁଙ୍ଗୀରେ ଜମୁଥିଲା ଭିଡ଼। ଭାଗବତ ପାଠ ସାଙ୍ଗକୁ ପୁରାଣ ଚର୍ଚ୍ଚା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିଲା। ବେଳେ ବେଳେ ନାମ ସଂକୀର୍ତ୍ତନ ସ୍ବରରେ ଫାଟି ପଡ଼ୁଥିଲା ସମଗ୍ର ଅଞ୍ଚଳ। ଟୁଙ୍ଗୀ ଭିତରେ ଏବେ ବି ଭାଗବତ ଅଛି। ହେଲେ ତାକୁ କେହି ପଢ଼ୁ ନାହାନ୍ତି। ମୃଦଙ୍ଗ ଗିନି ଧରି ଆଉ ସଙ୍କୀର୍ତ୍ତନିଆ ବି ଆସୁନାହାନ୍ତି। ପ୍ରତିଦିନ ସକାଳେ ଓ ସଂଧ୍ୟାରେ କେବଳ ପୂଜାରି ଆସି ଭାଗବତରେ ଫୁଲ ଚଢ଼ାଇ, ଟୁଙ୍ଗୀରେ ତାଲା ପକାଇ ଚାଲି ଯାଉଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଟୁଙ୍ଗୀଟି ସତ୍ତା ହରାଇବାକୁ ବସିଛି। ପାଇକରାପୁର ଗାଁ ତଳ ସାହି ଭାଗବତ ଟୁଙ୍ଗୀ କଥା ନ କହିବା ଭଲ। ଟୁଙ୍ଗୀକୁ ୨୦୧୬ ମସିହାରୁ ସରକାରୀ ପ୍ରୋତ୍ସାହନ ମିଳିଲାଣି। ହେଲେ ଏ ଯାଏ ଘର ପ୍ଲାଷ୍ଟର ହୋଇନି। ଭାଗବତ ବହି ବି ନାହିଁ। ଘର ଦୁଆର ୨୪ ଘଣ୍ଟା ମେଲା। ସଞ୍ଜ ନଇଁଲେ ଯେଉଁଠି ଭାଗବତ ଚର୍ଚ୍ଚା ହେବା କଥା, ସେଠାରେ ଜମୁଛି ଯୁବକଙ୍କ ଆଡ଼ା। ମୋବାଇଲରେ ସମୟ ବିତୁଛି। ଯିଏ ଯେତେବେଳେ ପାରୁଛି ଘରର ଅନାବଶ୍ୟକ ଜିନିଷ ଆଣି ଗଦେଇ ଦେଇ ଯାଉଛି। ଟୁଙ୍ଗୀର କେଉଁଠି ଚିହ୍ନବର୍ଣ୍ଣ ନାହିଁ। କେବଳ ପାଲାମଣ୍ଡପ ଛକ ଭାଗବତ ଟୁଙ୍ଗୀ ନୁହେଁ, ବରଂ ବରମୁଣ୍ଡା ଗାଁରେ ଏଭଳି ୪ରୁ ୫ଟି ଟୁଙ୍ଗୀର ଆବଶ୍ୟକ ଭିତ୍ତିଭୂମି ଅଛି। ହେଲେ ସରକାରୀ ପ୍ରୋତ୍ସାହନ ନାହିଁ। କାରଣ ହେଉଛି ଏଭଳି ଭାଗବତ ଟୁଙ୍ଗୀକୁ ବିଏମ୍‌ସି ଚିହ୍ନଟ କରି ଯେଉଁ ଫିଜିବିଲିଟି(ସମ୍ଭାବ୍ୟତା) ରିପୋର୍ଟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବା କଥା, ତାହା କରୁନାହିଁ। ରିପୋର୍ଟ ପାଇବା ପରେ ଏହି ଟୁଙ୍ଗୀକୁ ସରକାରୀ ପ୍ରୋତ୍ସାହନ ମିଳିବ। ଏ ନେଇ ୨୦୨୨ ମସିହାରୁ ବିଏମ୍‌ସିକୁ ଜିଲ୍ଲାପାଳ ଚିଠି ଲେଖିଥିଲେ ମଧ୍ୟ ବିଏମ୍‌ସି ଉତ୍ତର ଦେଉନାହିଁ।

ସେହିପରି ପାଇକରାପୁର ତଳସାହି ଟୁଙ୍ଗୀକୁ ୨୦୧୬ ମସିହା(ପଞ୍ଚାୟତରେ ଥିବା ବେଳେ)ରୁ ପ୍ରୋତ୍ସାହନ ମିଳିଥିଲେ ମଧ୍ୟ ଏଠାରେ ଲୋକଙ୍କର ଆଗ୍ରହ ନାହିଁ। କିମ୍ବା ଏହା କେମିତି ଚାଲୁଛି? ଆର୍ଥିକ ପ୍ରୋତ୍ସାହନ କେମିତି ଖର୍ଚ୍ଚ କଲେ? ଏ ସବୁ ଦେଖିବା ପାଇଁ ସରକାରୀ ଅଧିକାରୀଙ୍କର ଇଚ୍ଛାଶକ୍ତି ନାହିଁ। ଏହି ୨ ଭାଗବତ ଟୁଙ୍ଗୀ କେବଳ ଉଦାହରଣ ମାତ୍ର। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ୍, ଜଟଣୀ ଓ ବାଣପୁର ‌ପୌରସଂସ୍ଥା ସମେତ ସମସ୍ତ ବ୍ଲକରୁ ଟୁଙ୍ଗୀର ଉନ୍ନତିକରଣ ପାଇଁ ଆବେଦନ ପତ୍ର ଜିଲ୍ଲା ସଂସ୍ମୃତି କାର୍ଯ୍ୟାଳୟକୁ ପଠାଯାଇଛି। ବିଏମ୍‌ସି ଅଞ୍ଚଳରେ ଆର୍ଥିକ ପ୍ରୋତ୍ସାହନ ପାଇଁ ୨ବର୍ଷ ତଳୁ ୬୭ ୱାର୍ଡରୁ ୧୧୩ଟି ଭାଗବତ ଟୁଙ୍ଗୀରୁ ଆବେଦନ ଆସିଥିଲେ ମଧ୍ୟ ବିଏମ୍‌ସି ଗୋଟିଏ ହେଲେ ରିପୋର୍ଟ ପ୍ରସ୍ତୁତ କରି ପାରିନାହିଁ।

ତଥ୍ୟ କହୁଛି, ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ୨୦୧୪ ମସିହାରେ ସରକାର ପ୍ରୋତ୍ସାହନ ଦେବା ପାଇଁ ଯୋଜନା କରିଥିଲେ। ଏହା ପରଠାରୁ ପ୍ରୋତ୍ସାହନ ରାଶି ପାଇବା ପାଇଁ ବିଭିନ୍ନ ଭାଗବତ ଟୁଙ୍ଗୀ ପକ୍ଷରୁ ଆବେଦନ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଜିଲ୍ଲାପାଳଙ୍କ ନିକଟକୁ ପର୍ଯ୍ୟାୟକ୍ରମେ ୧୬୬୬ଟି ଭାଗବତ ଟୁଙ୍ଗୀ ପାଇଁ ଆବେଦନ ଆସିଥିଲା। ଏଥିରୁ ଯୋଗ୍ୟ ବିବେଚିତ ହୋଇଥିବା ୪୩୨ ଭାଗବତ ଟୁଙ୍ଗୀରୁ ୧୯୯ଟିକୁ ପ୍ରୋତ୍ସାହନ ରାଶି(୨୫ହଜାର) ପ୍ରଦାନ କରାଯାଇଛି। ୨୦୧୮ ମସିହାରେ ଏହି ଆର୍ଥିକ ପ୍ରୋତ୍ସାହନ ରାଶିକୁ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଦି କରାଯାଇଥିଲା। ଏହି ନୂତନ ନିୟମ ଅନୁସାରେ ୪୩୨ ଟୁଙ୍ଗୀ ପାଇଁ ଆସିଥିବା ପ୍ରୋତ୍ସାହନ ରାଶି ୨ କୋଟି ୧୬ ଲକ୍ଷ ପଡ଼ି ରହିଛି। ଫିଜିବିଲିଟି ରିପୋର୍ଟ ଦାଖଲ ହୋଇ ନଥିବାରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ପାରୁ ନାହିଁ। ବିଏମ୍‌ସି ଓ ଅନ୍ୟ ବ୍ଲକ୍‌ର ବିଡିଓମାନଙ୍କର ଅପାରଗତା ଯୋଗୁ ଟୁଙ୍ଗୀମାନେ ପରିଚୟ ଅପେକ୍ଷାରେ ରହିଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି, କେବଳ ଭୁବନେଶ୍ବର ବ୍ଲକ୍‌ରେ ୨୦୧୪ରୁ ୧୯ରେ ୨୫୫ ଆବେଦନ ଆସିଛି। ସେଥିରୁ ମାତ୍ର ୧୧ଟି ଟୁଙ୍ଗୀକୁ ଅର୍ଥରାଶି ମଞ୍ଜୁର ହୋଇଛି। ଇଟିପୁର, ବାସୁଆଘାଇ, ଟିକରପଡ଼ା, ପାଇକରାପୁର (ବିଏମ୍‌ସିରେ ମିଶିବା ପୂର୍ବରୁ), ମେଣ୍ଢାଶାଳ, ଦାରୁଠେଙ୍ଗ, ଦାଢ଼ାକୁ ୨୦୧୬ରେ ୨୫ ହଜାର ଲେଖାଏ ସହାୟତା ମିଳିଛି। ୨୦୧୮ ପରେ ଧଉଳୀ ଓ ନଁପୁଟକୁ ୫୦ ହଜାର ଲେଖାଏ ସହାୟତା ମିଳିସାରିଥିବା ବେଳେ କଳାରାହାଙ୍ଗ ଓ କଲ୍ୟାଣପୁରକୁ ଅର୍ଥ ମଞ୍ଜୁର ହୋଇଛି, କିନ୍ତୁ ମିଳିନାହିଁ।

ଏ ନେଇ ବରମୁଣ୍ଡା ଗ୍ରାମର ଯୁବକ ପୀତାମ୍ବର ବେହେରାଙ୍କ କହିବା କଥା, ‘‘ଗାଁରେ ଭାଗବତ ଟୁଙ୍ଗୀ ଅଛି। ଯଦି ଏହାକୁ ସରାକାରୀ ଅନୁଦାନ ମିଳନ୍ତା, ତେବେ ଟୁଙ୍ଗୀରେ ମାଇକ୍ ଲାଗନ୍ତା। ପ୍ରତିଦିନ ସଂଧ୍ୟାରେ ଟିକେ ଭାଗବତ ଚର୍ଚ୍ଚା ଶୁଣି ହୁଅନ୍ତା। ବର୍ତ୍ତମାନ ସମୟରେ ମାନସିକ ଚାପ ବଢ଼ୁ ଥିବାରୁ ଭଗବାନଙ୍କ ନାମ ସଂକୀର୍ତ୍ତନ ଅନେକ ବିପଥଗାମୀ ଯୁବକଙ୍କୁ ବାଟକୁ ଆଣି ପାରନ୍ତା।’’ ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଜିଲ୍ଲାର ସମସ୍ତ ବ୍ଲକ୍‌କୁ ଫିଜିବିଲିଟି ରିପୋର୍ଟ ମଗାଯାଇଛି। ଏକାଧିକ ବ୍ଲକ୍‌ରୁ ରିପୋର୍ଟ ଆସିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟ ବ୍ଲକ୍‌ ଓ ମହାନଗର ନିଗମରୁ ରିପୋର୍ଟ ଆସିଲେ ଟୁଙ୍ଗୀଗୁଡ଼ିକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର