କଂଗ୍ରେସର ପ୍ରଚାର ମଙ୍ଗ ଧରିଲେ ପ୍ରିୟଙ୍କା ଗାନ୍ଧୀ: ଆମେଥି, ରାଏବରେଲିରେ ଅଭିଯାନ ଆରମ୍ଭ

‘ଏବେ ଆପଣମାନଙ୍କ ୨୪ ଘଣ୍ଟା ସମୟ ମୋର’

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା‌ ପ୍ରିୟଙ୍କା ଗାନ୍ଧି ଦଳର ପ୍ରାର୍ଥୀ ହୋଇନଥିଲେ ମଧ୍ୟ ଉତ୍ତରପ୍ରଦେଶର ଦୁଇଟି ସମ୍ମାନଜନକ ଆସନ ଆମେଥି ଏବଂ ରାଏବରେଲିରେ ଦଳର ପ୍ରଚାର କାର୍ଯ୍ୟକ୍ରମର ନେତୃତ୍ବ ନେଉଛନ୍ତି। ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀ ରାଏବରେଲିରେ ଦଳର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପରିବାରର ଜଣେ ବିଶ୍ବସ୍ତ ନେତା କିଶୋରୀ ଲାଲ୍‌ ଶର୍ମାଙ୍କୁ ଦଳ ଆମେଥି ଆସନରେ ପ୍ରାର୍ଥୀ କରିଛି। ଉକ୍ତ ୨ ଆସନରେ ଦଳର ବିଜୟ ପାଇଁ ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଦାୟିତ୍ବ ନେଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ଗତକାଲି ରାଏବରେଲିରେ ପହଞ୍ଚିଥିଲେ ଏବଂ ୨ ଦିନ ଧରି ସେ କଂଗ୍ରେସ ‌‌ନେତାମାନଙ୍କ ସହ ମାରାଥନ ବୈଠକ କରିଛନ୍ତି। ରାଏବରେଲିରେ ଏକ ବୈଠକରେ ପ୍ରିୟଙ୍କା କଂଗ୍ରେସ କର୍ମୀମାନଙ୍କୁ କହିଛନ୍ତି ଯେ ମେ’ ୧୮ ପର୍ଯ୍ୟନ୍ତ ‌ସେ ରାଏବରେଲି ଛାଡ଼ିବେ ନାହିଁ। ଉଭୟ ରାଏବରେଲି ଏବଂ ଆମେଥିରେ ମେ’ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ଭୋଟ୍‌ ଅଛି। ପ୍ରିୟଙ୍କା କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରିବାପାଇଁ କହିଛନ୍ତି, ଆମକୁ ଆମେଥି ଏବଂ ରାଏବରେଲି ପାଇଁ ପ୍ରାଣପଣେ ଲଢ଼ିବାକୁ ପଡ଼ିବ। ଏବେ ଆପଣମାନଙ୍କର ୨୪ ଘଣ୍ଟାର ସମୟ ହେଉଛି‌ ମୋର। ମୁଁ ଆପଣମାନଙ୍କୁ ଗାଳିଦେବି, ଆପଣମାନଙ୍କୁ ଦୌଡ଼ାଇବି କିନ୍ତୁ ଆପଣମାନଙ୍କ ସହ ହିଁ ରହିବି। ମୋର ଦ୍ବାର ୨୪ ଘଣ୍ଟା ଆପଣମାନଙ୍କ ପାଇଁ ଖୋଲା ରହିବ। ଏହି ନିର୍ବାଚନ ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ନିର୍ଣ୍ଣାୟକ ନିର୍ବାଚନ ବୋଲି ପ୍ରିୟଙ୍କା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରା‌ଏବରେଲି ଆସନ କଂଗ୍ରେସ ପାଇଁ ବହୁ୍ତ ଗୁରୁତ୍ବପୂର୍ଣ୍ଣ। ୧୯୫୨ରେ ପ୍ରଥମ ଲୋକସଭା ନିର୍ବାଚନ ହେବା ପରଠାରୁ କଂଗ୍ରେସ ଏହି ଆସନରେ ଜିତି ଆସିଛି। କେବଳ ଇମର୍ଜେନ୍ସି ପରେ ୧୯୭୭, ୧୯୯୬ ଏବଂ ୧୯୯୮ରେ କଂଗ୍ରେସ ଉକ୍ତ ଆସନରେ ୩ ଥର ହାରିଥିଲା। ୨୦୧୪ ଏବଂ ୨୦୧୯‌ରେ ମୋଦୀ ଲହର ସତ୍ତ୍ବେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଉକ୍ତ ଆସନରେ ଜିତିଥିଲେ। କିନ୍ତୁ ସୋନିଆ ରାଜ୍ୟସଭାକୁ ଯିବାପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ଥର ଉକ୍ତ ଆସନରେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଆମେଥିରେ ମଧ୍ୟ ଦଳ କଡ଼ା ଲଢ଼େଇ ସାମ୍ନା କରୁଛି। ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ବିରୋଧରେ କଂଗ୍ରେସ କିଶୋରୀ ଲାଲ୍‌ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର