କଳା କରି ମୋତେ ଗଢ଼ିଲୁ କିଆଁ

ଏକ ପ୍ରସିଦ୍ଧ ହିନ୍ଦୀ ଭଜନ ଆପଣ ଶୁଣିଥିବେ, ଯେଉଁଥିରେ ମା’ ଯଶୋଦାଙ୍କୁ ନିଜର ରଙ୍ଗକୁ ନେଇ କୃଷ୍ଣ ପଚାରୁଛନ୍ତି- ‘ଯଶେ‌ାମତୀ ମୈୟା ସେ ବୋଲେ ନନ୍ଦଲାଲା, ରାଧା କ୍ୟୁଁ ଗୋରୀ ମୈ କ୍ୟୁଁ କାଲା’, ତେବେ ଏକ ଓଡ଼ିଆ ଭଜନରେ ଏହି ପ୍ରଶ୍ନ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ ସିଧା ପଚାରିଛନ୍ତି- ‘ପଚାରିଲେ ରାଧିକାଙ୍କୁ ଦିନେ ନନ୍ଦବଳା, ତୁମେ କାହିଁ ‌ଗୋରୀ ହେଲ ମୁଁ କାହିଁକି କଳା।’ କଳା-ଗୋରାର ଏ ପ୍ରଶ୍ନ କେବଳ ପୌରାଣିକ ଯୁଗର ନୁ‌େହଁ ଏବେ ବି ବଳବତ୍ତର ରହିଛି। ସାନୁ ପଚାରୁଛି ନିଜ ଆଈମା’କୁ। କେହି କେହି କାହାକୁ ନ ପଚାରି ବି ନିଜକୁ ଏ ପ୍ର‌ଶ୍ନ କରନ୍ତି। କ’ଣ ଏହାର ଉତ୍ତର? ସମାଜ ଓ ବିଜ୍ଞାନ ଏହାର ଉତ୍ତରରେ କ’ଣ କହେ? ଏହାକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।

ସସ୍ମିତା ସାହୁ

ତିନି ଭଉଣୀ। ସିମ୍ପଲ ଓ ଶିବାନୀ ଦେଖିବାକୁ ଗୋରୀ। ସାନୁ କିନ୍ତୁ ଶ୍ୟାମଳୀ। ଦୁଇ ଭଉଣୀ ଗୋରୀ ହୋଇଥିବାରୁ ସାନୁକୁ ସମ‌େସ୍ତ କାଳୀ ବୋଲି ଚିଡ଼ାନ୍ତି। ତାକୁ ବେଳେବେଳେ କାନ୍ଦ ଲାଗେ। ଆଈ ମା’ କୋଳରେ ମୁହଁ ପୋତି ସକେଇ ହୋଇ ପଚାରେ, ‘‘ସେମାନେ ଦୁଇଜଣ ଗୋରା, ମୁଁ କାହିଁକି କଳା ଯେ?’’ ଆଈ ସ୍ନେହବୋଳା ହାତରେ ସାନୁର ମଥା ଆଉଁଶି ଦେଇ କହନ୍ତି, ‘‘ତୁ କାହିଁ କଳା ହେବୁ ଯେ! ତୋର ପରା ‘ପକ୍କା ରଙ୍ଗ’, ସେମାନଙ୍କର ‘କଚ‌ା ରଙ୍ଗ’। ଖରାକୁ ଗଲେ ସେମାନଙ୍କ ରଙ୍ଗ ଉଡ଼ିଯିବ, କଳା ପଡ଼ିଯିବେ। ତୋର କ’ଣ ରଙ୍ଗ ଉଡ଼ିବ କି? ତୁ ଯେମିତି ଅଛୁ ସେମିତି ରହିବୁ। ଭଗବାନ ତତେ ମଳିନ ପଡୁ ନଥିବା ‘ଦାମୀ ରଙ୍ଗ’ ଦେଇ ପଠେଇଛନ୍ତି। ମିଛଟା‌ରେ ମନଦୁଃଖ କରୁଛୁ କିଆଁ?’ ଆଈର କଥା ଶୁଣି ସାନୁର ମନ ବୁଝିଯାଏ।

ଏଇ ଜଣେ ସାନୁର କଥା ନୁହେଁ, ଏମିତି ହଜାର ହଜାର ସାନୁ ନିଜ ତ୍ବଚାର ରଙ୍ଗକୁ ନେଇ ସମାଜର ଟାହିଟାପରା ଶୁଣନ୍ତି। କିଏ କୋଇଲି ତ’ ପୁଣି କିଏ କଳାଜାମୁନ୍ କହି ଉପହାସ କରନ୍ତି। ହେଲେ ଆମ ଆଈ, ଜେଜୀ ଓ ମା’ମାନେ ବୁଝାଇ ଦିଅନ୍ତି, ଆମ ଠାକୁର କାଳିଆ ସାଆନ୍ତ ପରା କଳା, ତୁ ତ’ ତାଙ୍କ ପରି। ଆଉ ପୁଣି କିଏ ବୁଝାଇ ଦିଏ; କଳା ହେଲେ ଭଲ, ଚର୍ମରୋଗ ବେଶୀ ହେବନାହିଁ। ଆଉ କେହି କେହି ଭଗବାନ ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ ଉଦାହରଣ ଦେଇ ସେମାନଙ୍କୁ ତୁନି କରାନ୍ତି। ସମୟ ଥିଲା, ଯେତେବେଳେ ସମାଜରେ କଳା ରଙ୍ଗର କନ୍ୟାଙ୍କୁ ନିମ୍ନ ଦୃଷ୍ଟିରେ ବା ଘୃଣା ଚକ୍ଷୁରେ ଦେଖାଯାଉଥିଲା। କିନ୍ତୁ ଏବର ଆଧୁନିକ ସମାଜ ଏ ପ୍ରକାର ଚିନ୍ତାଧାରାରୁ କେତେକାଂଶ‌ରେ ମୁକୁଳିଲାଣି। ଶ୍ବେତାଙ୍ଗ ଆମେରିକୀୟଙ୍କ ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ରପତି ବାରାକ୍‌ ଓବାମା କୃଷ୍ଣାଙ୍ଗ ଥିଲେ। କଳାରଙ୍ଗ ଯେ ସୁନ୍ଦର ନୁହେଁ, ‌ଏହି ଚିନ୍ତାଧାରାକୁ ଭାଙ୍ଗିଥିଲେ ତ୍ରିନିଦାଦ୍‌ର ମଡେଲ ଜେନେଲ୍ ପେନି କମିସନ୍‌। ୧୯୭୭ ମସିହାରେ ସେ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ‘ମିସ୍‌ ୟୁନିଭର୍ସ’ ମୁକୁଟ ଜିତି ବିଶ୍ବର ପ୍ରଥମ ‘ବ୍ଲାକ୍‌ ବିଉଟି’ ସାଜିଥିଲେ। ଏହାପରେ ୨୦୧୧ ମସିହାରେ ଆଫ୍ରିକୀୟ ସୁନ୍ଦରୀ ଲିଲା ଲୋପେଜ୍‌ ମଧ୍ୟ ‘ମିସ୍‌ ୟୁନିଭର୍ସ’ ଟାଇଟଲ୍‌ ଜିତି ସୌନ୍ଦର୍ଯ୍ୟର ପରିଭାଷା ରଙ୍ଗ ନୁହେଁ ବୋଲି ପ୍ରମାଣିତ କରିଥିଲେ। ସେହିଭଳି ବିଭିନ୍ନ କ୍ଷେତ୍ରରେ କୃଷ୍ଣତ୍ବଚାସଂପନ୍ନ ପୁରୁଷ ଓ ମହିଳା ସଫଳତାର ଶୀର୍ଷକୁ ଯାଇ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ମଣିଷ ଶରୀରର ରଙ୍ଗ କଳା କାହିଁକି ହୁଏ, କଳା-ଗୋରା ବର୍ଣ୍ଣବୈଷମ୍ୟ ଆସିଲା କେଉଁଠୁ?

ଶରୀରର ରଙ୍ଗ ପଛରେ ଅତିବାଇଗଣୀ ରଶ୍ମି
କିଏ ଗୋରା ତ’ ପୁଣି କିଏ କଳା, ପୁଣି କାହାର ତ୍ବଚାର ରଙ୍ଗ ବାଦାମୀ ଅଥବା ଶ୍ୟାମଳ। ବୈଜ୍ଞାନିକ ତଥ୍ୟ ଅନୁସାରେ, ପୃଥିବୀ ଉପରେ ପଡୁଥିବା ସୂର୍ଯ୍ୟରଶ୍ମିର ବୈଶିଷ୍ଟ୍ୟ ମନୁଷ୍ୟ ଶରୀରର ରଙ୍ଗ ନିର୍ଦ୍ଧାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ୧୯୭୮ ମସିହାରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଏକ ଉପଗ୍ରହ ପଠାଯାଇଥିଲା। ଏହି ଉପଗ୍ରହରେ ‘ଟୋଟାଲ୍ ଓଜେନ୍ ମ୍ୟାପିଂ ସ୍ପେକ୍‌ଟ୍ରୋମିଟର’ ନାମକ ଯନ୍ତ୍ର ଖଞ୍ଜାଯାଇଥିଲା। ଏହାଦ୍ବାରା ବୈଜ୍ଞାନିକମାନଙ୍କୁ ସୂର୍ଯ୍ୟରୁ ପୃଥିବୀକୁ ଆସୁଥିବା ଅତିବାଇଗଣୀ ରଶ୍ମି ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରାପ୍ତ ହୋଇଥିଲା। ମନୁଷ୍ୟ ଶରୀରରେ ପଡୁଥିବା ଅତିବାଇଗଣୀ ରଶ୍ମି ହିଁ ଧୀରେ ଧୀରେ ମଣିଷର ତ୍ବଚାର ରଙ୍ଗ କ’ଣ ହେବ ତାହା ନିର୍ଣ୍ଣୟ କରିଥାଏ ବୋଲି ନିଷ୍କର୍ଷରେ ସେମାନେ ଉପନୀତ ହୋଇଥିଲେ।

‘ୟୁମେଲାନିନ୍’ ଯୋଗୁଁ ଗୋରୀ, କାଳୀ, ସାବେନୀ
ଆଦିମ ମାନବର ଶରୀର କେଶରେ ଆବୃତ ହୋଇ ରହୁଥିଲା। କେଶ ତଳେ ସାଧାରଣତଃ ସମସ୍ତଙ୍କର ତ୍ବଚାର ରଙ୍ଗ ଗୋରା ହିଁ ଥିଲା। କାରଣ ସେତେବେଳେ କଳା ରଙ୍ଗ ଉତ୍ପନ୍ନକାରୀ କୌଣସି ପିଗ୍‌ମେଣ୍ଟ୍ (ପ୍ରାକୃତିକ ରଙ୍ଗ) ମଣିଷ ଶରୀରରେ ନଥିଲା। ପିଗ୍‌ମେଣ୍ଟ୍ ହେଉଛି ଏମିତି ଏକ ରାସାୟନିକ ଦ୍ରବ୍ୟ, ଯାହାକି ପ୍ରାକୃତିକ ଉପାୟରେ ମଣିଷ ଶରୀରରେ ରଙ୍ଗ ପ୍ରକଟ କରିଥାଏ। ଯେମିତିକି ‘କ୍ଲୋରୋଫିଲ୍ ପିଗ୍‌ମେଣ୍ଟ୍’ ଯୋଗୁଁ ଗଛର ପତ୍ର ସବୁଜ ଦେଖାଯାଇଥାଏ। ବିଲାତି ବାଇଗଣ, ତରଭୁଜ ଭଳି ଲାଲ୍ ଦେଖାଯାଉଥିବା ଫଳ ବା ପରିବାରେ ‘ଲାଇକୋପିନ୍ ପିଗ୍‌ମେଣ୍ଟ୍’ ମହଜୁଦ ଥାଏ। କ୍ୟାପିଟାଲ ହସ୍‌ପିଟାଲ୍‌ର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ କୁମାର ଦାଶ କହିଛନ୍ତି, ମଣିଷ ଶରୀରରେ ଦେଖାଯାଉଥିବା କଳା ରଙ୍ଗ ‘ୟୁମେଲାନିନ୍ (ମେଲାନିନ୍)’ ନାମକ ପିଗ୍‌ମେଣ୍ଟ ଯୋଗୁଁ ହିଁ ହୋଇଥାଏ।

‘ୟୁମେଲାନିନ୍’ ଯେତେବେଳେ ଏହା ଉପରେ ପଡ଼ୁଥିବା ସୌର ଅତିବାଇଗଣୀ ରଶ୍ମିକୁ ଶୋଷଣ କରିନିଏ ସେତେବେଳେ ଏଥିରୁ କଳା ରଙ୍ଗ ପ୍ରକଟ ହୋଇଥାଏ। ଆମ ତ୍ବଚାର ରଙ୍ଗ କିଭଳି ହେବ, ତାହା ଆମ ଶରୀରରେ ଥିବା ୟୁମେଲାନିନ୍‌ର ପରିମାଣ ହିଁ ସ୍ଥିର କରିଥାଏ। ଆଫ୍ରିକୀୟଙ୍କ ଶରୀରରେ ୟୁମେଲାନିନ୍‌ର ପରିମାଣ ଅଧିକ ଥିବା ଯୋଗୁଁ ସେମାନେ କଳା। କୋକେଜିଆନ୍ ଅଞ୍ଚଳ ବା ୟୁରୋପ୍‌ର ଲୋକମାନଙ୍କ ଶରୀରରେ କମ୍‌ ମାତ୍ରାରେ ମେଲାନିନ୍‌ ରହିଥିବାରୁ ସେମାନଙ୍କ ବର୍ଣ୍ଣ ଗୋରା। ଭାରତୀୟମାନଙ୍କ ଶରୀରରେ ମଧ୍ୟମ ପରିମାଣର ମେଲାନିନ୍ ଥିବାରୁ ଆମମାନଙ୍କର ତ୍ବଚା ମୁଖ୍ୟତଃ ବାଦାମୀ ରଙ୍ଗର ହୋଇଥାଏ।

ମଣିଷର ପୂର୍ବଜ କଳା ଥିଲେ
ଜୀବ ବିଜ୍ଞାନୀଙ୍କ ଅନୁସାରେ, ମାନବପ୍ରଜାତିର କ୍ରମବିକାଶ ସହ ମନୁଷ୍ୟ ଶରୀରରେ କେଶ କମ୍ ହେବାକୁ ଲାଗିଲା ଏବଂ ଶରୀରରେ ମେଲାନିନ୍‌ର ମାତ୍ରା ବଢ଼ିବାରେ ଲାଗିଥିଲା। ଏମିତି ଏକ ସମୟ ଆସିଲା ଯେ, ପୃଥିବୀପୃଷ୍ଠର ସମସ୍ତ ମନୁଷ୍ୟ କଳା ହୋଇଯାଇଥିଲେ! ବାସ୍ତବରେ ଆଜିଠୁ ପ୍ରାୟ ୧ ଲକ୍ଷ ବର୍ଷ ପୂର୍ବ ପର୍ଯ୍ୟନ୍ତ ଆଜିର ଆଧୁନିକ ମନୁଷ୍ୟର ପୂର୍ବଜ ଅଧିକ ‌ସୂର୍ଯ୍ୟକିରଣ ପଡ଼ୁଥିବା ଭୂମଧ୍ୟରେଖା ନିକଟବର୍ତ୍ତୀ ଆଫ୍ରିକାରେ ବାସ କରୁଥିଲେ। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଶରୀର ପ୍ରତି ହାନିକାରକ ହୋଇଥିବାରୁ ରୋଗ ପ୍ରତିରୋଧକ ବ୍ୟବସ୍ଥା ଦ୍ବାରା ରକ୍ଷାକାରୀ ପିଗ୍‌ମେଣ୍ଟ୍ ‘ମେଲାନିନ୍’ ବିକଶିତ ହୋଇଥିଲା। ମେଲାନିନ୍ ଶରୀରର ରକ୍ଷାକବଚ ସାଜିଲା ଏବଂ ସୂର୍ଯ୍ୟଙ୍କ କ୍ଷତିକାରକ ରଶ୍ମିରୁ ସୁରକ୍ଷା ଦେଲା। ତେବେ ମେଲାନିନ୍‌ର ମାତ୍ରା ଅଧିକ ହେବା ଫଳରେ ମାନବ କଳା ରଙ୍ଗର ହୋଇଗଲା ବୋଲି ବିଶ୍ବାସ କରାଯାଏ।

ମଣିଷ କେମିତି ହେଲା କଳା, ଗୋରା
ପୃଥିବୀର ସବୁ ଅଂଶକୁ ସମାନ ଭାବେ ଅତିବାଇଗଣୀ ରଶ୍ମି ବିଚ୍ଛୁରିତ ହୋଇ ନଥାଏ। ୧ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ରହୁଥିବା ମନୁଷ୍ୟମାନେ ଧୀରେ ଧୀରେ ଦୁନିଆର ବିଭିନ୍ନ ପ୍ରାନ୍ତକୁ ଯିବାକୁ ଲାଗିଲେ। ପ୍ରାୟ ୭୦ରୁ ୮୦ ହଜାର ବର୍ଷ ପୂର୍ବେ କିଛି ଭାରତୀୟ ଭୂଭାଗରେ ପହଞ୍ଚିଥିଲେ। ୪୦ ହଜାର ବର୍ଷ ପୂର୍ବେ ୟୁରୋପ୍ ଏବଂ ୧୦ରୁ ୧୫ ହଜାର ବର୍ଷ ପୂର୍ବେ ଆମେରିକୀୟ ଭୂଖଣ୍ଡରେ ମନୁଷ୍ୟ ବସବାସ କରିବା ଆରମ୍ଭ କରିଥିଲେ। ଭୂମଧ୍ୟରେଖା ଠାରୁ ଦୂରରେ ଅତିବାଇଗଣୀ ରଶ୍ମିର ମାତ୍ରା କମ୍ ରହିଲା। ଫଳରେ ପୃଥିବୀର ଉତ୍ତରାଞ୍ଚଳରେ ରହୁଥିବା ମଣିଷଙ୍କ ଶରୀରରୁ ଧୀରେ ଧୀରେ ମେଲାନିନ୍‌ ପରିମାଣ ହ୍ରାସ ପାଇଲା। ତେଣୁ ୟୁରୋପ୍‌, ରୁଷିଆ ଓ ଚୀନ୍ ଭଳି ଦେଶରେ ଲୋକଙ୍କର ଶରୀରରୁ ମେଲାନିନ୍ ସ୍ତର କମି ସେମାନେ ଗୋରା ହୋଇଗଲେ। ସେହିଭଳି ଭାରତରେ ଉତ୍ତରରୁ ଦକ୍ଷିଣ ଆଡ଼କୁ ଗଲେ ଲୋକମାନଙ୍କ ରଙ୍ଗ କ୍ରମାନ୍ବୟରେ ଗୋରାରୁ ବାଦାମୀ ଓ କଳା ହେଉଛି। ଦକ୍ଷିଣ ଭାରତରେ ଉତ୍ତର ଭାରତ ଅପେକ୍ଷା ଅତିବାଇଗଣୀ ରଶ୍ମିର ପ୍ରଭାବ ଅଧିକ। ଏଥିପାଇଁ ଦକ୍ଷିଣ ଭାରତୀୟମାନଙ୍କ ଶରୀରରେ ମେଲାନିନ୍ ପରିମାଣ ଅଧିକ ଓ ସେମାନଙ୍କ ତ୍ବଚା କଳା। ଅନ୍ୟ ପକ୍ଷରେ ବାରମ୍ବାର ସ୍ଥାନାନ୍ତରଣ ଓ ବଂଶଗତ ଅର୍ଥାତ ଜିନ୍‌ର ଗୁଣବତ୍ତା ଯୋଗୁଁ ଗୋଟିଏ ଅଞ୍ଚଳରେ ରହିଲେ କିମ୍ବା ଗୋଟିଏ ପରିବାରରେ ଜନ୍ମ ନେଲେ ବି ଆମେ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଉ।

ପୁରାଣ ଓ ଇତିହାସରେ ବର୍ଣ୍ଣବୈଷମ୍ୟ!
ସାଧାରଣତଃ ଭାରତୀୟଙ୍କ ତ୍ବଚା ବାଦାମୀ ରଙ୍ଗର ହୋଇଥିବା ବେଳେ ସେମାନଙ୍କ ଭିତରେ ଏଇ କଳାଗୋରାର ଭେଦଭାବ ଆସିଲା କେଉଁଠୁ? ଆମ ପୁରାଣରେ ଦେବତାମାନଙ୍କୁ ଗୋରା ବର୍ଣ୍ଣନା କରାଯାଇଥିବା ବେଳେ ରାକ୍ଷସମାନଙ୍କ ରଙ୍ଗ କଳା ବୋଲି ଅଭିହିତ କରାଯାଇଛି। ସେବେଠାରୁ ‘ଗୋରା’ ଭଲ ଓ ‘କଳା’ ଖରାପର ବିଚାର ଆମକୁ କବଳିତ କରିଛି। ଏଥିସହ ଏହି ଭେଦଭାବର ଅନ୍ୟ ଏକ କାରଣ ଆମର ଅତୀତ। ଭାରତକୁ ଶହ ଶହ ବର୍ଷ ଧରି ଶାସନ କରିଥିବା ମୋଗଲ ଓ ବ୍ରିଟିସ୍‌ମାନଙ୍କ ରଙ୍ଗ ଗୋରା ଥିଲା। ସେବେଠାରୁ ଗୋରାକୁ ଉଚ୍ଚ ଓ କଳା ରଙ୍ଗକୁ ନୀଚ ଦେଖିବାର ମାନସିକତା ଆରମ୍ଭ ହୋଇଯାଇଥିଲା। ଏ ନେଇ ଇତିହାସ ପ୍ରଫେସର ଡ. ଅମୀୟ ମହାନ୍ତି କହନ୍ତି, ‘‘ଭାରତୀୟ ସଂସ୍କୃତିରେ କଳା-ଗୋରା ବୈଷମ୍ୟ ଆଗରୁ ଥିଲା। କିନ୍ତୁ ଏହା ନକରାତ୍ମକ ନଥିଲା। ଆମ ଆରାଧ୍ୟ ଜଗନ୍ନାଥଙ୍କଠାରୁ ଆରମ୍ଭ କରି ବହୁ ଦେବଦେବୀଙ୍କୁ ପୁରାଣଶାସ୍ତ୍ରରେ କୃଷ୍ଣବର୍ଣ୍ଣର ବର୍ଣ୍ଣନା କରାଯାଇଛି। ବ୍ରିଟିସ୍‌ମାନେ ଆସିବା ପ‌େର ଭାରତରେ ବର୍ଣ୍ଣବାଦ ଅତି ଉଗ୍ର ହୋଇଥିଲା। ପରେ ଭାରତୀୟ ସମାଜରେ ଏହି ମହାମାରୀ ବ୍ୟାପିଥିଲା।

‘ଗୋରାକରା କ୍ରିମ୍’କୁ ନା’
ରଣବୀର କପୁର, କଙ୍ଗନା ରାଣାୱତ, ସ୍ବରା ଭାସ୍କର, ରଣଦୀପ ହୁଡ଼ା ଓ କାଲ୍‌କି କୋଏଚ୍‌ଲିନ୍ ପ୍ରମୁଖ ବଲିଉଡ୍ ତାରକା ‘ଗୋରାକରା କ୍ରିମ୍’ ବିଜ୍ଞାପନ କରିବାକୁ ମନା କରିଛନ୍ତି। ୨୦୧୧ ମସିହାରେ ରଣବୀର କପୁର ଏକ ସ୍କିନ୍ କେୟାର୍‌ କମ୍ପାନିର ‘ଗୋରାକରା କ୍ରିମ୍’ର ବିଜ୍ଞାପନ କରିବାକୁ ମନା କରିଦେଇଥିଲେ। ଏହି ବିଜ୍ଞାପନ ବର୍ଣ୍ଣବୈଷମ୍ୟ ବିଚାରଧାରାକୁ ଉଗ୍ର କରିବ ବୋଲି ତାଙ୍କ ମତ ଥିଲା। ସେହିଭଳି ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମଧ୍ୟ ୧୫ କୋଟି ଟଙ୍କାର ଏଭଳି ବିଜ୍ଞାପନ ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିସହ ମଲାୟାଲମ୍ ଅଭିନେତ୍ରୀ ସାଇ ପଲ୍ଲବୀ ମଧ୍ୟ ୨ କୋଟି ଟଙ୍କାର ଗୋରାକରା କ୍ରିମ୍ ବିଜ୍ଞାପନ କରିବାକୁ ନା କହି ଚର୍ଚ୍ଚାକୁ ଆସିଥିଲେ।

‘ଡାର୍କ ଇଜ୍ ବିଉଟିଫୁଲ୍’ ଅଭିଯାନ
୨୦୦୯ ମସିହାରେ ‘ଓମେନ୍ ଅଫ୍ ୱର୍ଥ’ ଏନ୍‌ଜିଓର ପ୍ରତିଷ୍ଠାତ୍ରୀ କବିତା ଇମାନୁଏଲ୍ ‘ଡାର୍କ ଇଜ୍ ବିୟୁଟିଫୁଲ୍’ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ସୌନ୍ଦର୍ଯ୍ୟକୁ ରଙ୍ଗରେ ସୀମିତ ନ ରଖିବାକୁ ପ୍ରେରିତ କରୁଥିଲା। ଅଭିନେତ୍ରୀ ନନ୍ଦିତା ଦାସ ଏହି ଅଭିଯାନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା କହନ୍ତି, ‘ବ୍ଲାକ୍‌ ଇଜ୍‌ ବିୟୁଟିଫୁଲ୍‌’ ଏକ ପାଶ୍ଚାତ୍ୟ ଅଭିଯାନ। ସେଠାରେ ଗୋରା ଓ କଳା ଦୁଇପ୍ରକାର ରଙ୍ଗ ରହିଛି। କିନ୍ତୁ ଭାରତରେ କେହି ବି ଅତ୍ୟନ୍ତ ଗୋରା ବା କଳା ନୁହନ୍ତି। ଏଠାରେ ବିଭିନ୍ନ ରଙ୍ଗର ଲୋକ ଦେଖାଯାଆନ୍ତି। ଏଣୁ ଭାରତରେ ଗୋରାକଳା ବୈଷମ୍ୟ ଏତେ ଉଗ୍ର ନଥିଲା। ଜଗତୀକରଣ ଫଳରେ ସୌନ୍ଦର୍ଯ୍ୟ ପ୍ରସାଧନର ବିକ୍ରି ପାଇଁ କମ୍ପାନିମାନେ ‘ଗୋରା ହିଁ ସୁନ୍ଦର’ ବିଚାରଧାରାକୁ ଭାରତୀୟଙ୍କ ମୁଣ୍ଡରେ ପୂରାଇଥିଲେ।’’

 

ସମ୍ବନ୍ଧିତ ଖବର