‘କଳକୀ-୨୮୯୮ ଏଡି-୨’ ପାଇଁ ଦର୍ଶକଙ୍କୁ କରିବାକୁ ହେବ ଏତେ ବର୍ଷ ଅପେକ୍ଷା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଗୁରୁବାର ରିଲିଜ୍‌ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଛି। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଫିଲ୍ମର ପ୍ରଥମ ଭାଗ କମାଲ କରିବା ପରେ ଏହା ଦ୍ବିତୀୟ ଭାଗକୁ ଏବେ ଦର୍ଶକ ଅପେକ୍ଷା କରି ରହିଛନ୍ତି। ତେବେ ଦ୍ବିତୀୟ ଭାଗ ଦେଖିବାକୁ ଦର୍ଶକଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ହେବ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ଶେଷ ହେବାକୁ ଆହୁରି ୩ବର୍ଷ ଲାଗିବ। ଦ୍ବିତ୍ରୀୟ ଭାଗରେ କମଲ ହାସନଙ୍କ ଚରିତ୍ର ଉପରେ ଗୁରୁତ୍ବା‌ରୋପ କରାଯିବ। ଏହା ସହ ଅମିତାଭ ବଚ୍ଚନ ଓ ପ୍ରଭାସଙ୍କ ଚରିତ୍ର ତାଙ୍କୁ କିଭଳି ହରାଉଛନ୍ତି ତାହା ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ  ୧୮୦କୋଟି ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି ମୋଟ ୧୮୦କୋଟି ଆୟ କରିଥିବା ଜଣାପଡ଼ିଛି। ପ୍ରଥମ ଦିନର ଆୟକୁ ଦେଖିଲେ କଳକୀ-୨୮୯୮ ଏଡି; କେଜିଏଫ୍ ୨ (୧୫୯କୋଟି ଟଙ୍କା), ସାଲାର (୧୫୮ କୋଟି ଟଙ୍କା), ଲିଓ (୧୪୨.୭୫ କୋଟି ଟଙ୍କା), ସାହୋ (୧୩୦କୋଟି ଟଙ୍କା) ଏବଂ ଯବାନ (୧୨୯କୋଟି ଟଙ୍କା) କୁ ପଛରେ ପକାଇଛି। ହେଲେ କଳକୀ-୨୮୯୮ ଏଡି; ଆରଆରଆର ଓ ବାହୁବଲୀ-୨ର ରେକର୍ଡ ଭ‌ାଙ୍ଗିପାରିନାହିଁ। ଆରଆରଆର ପ୍ରଥମ ଦିନରେ ୨୨୩କୋଟି ଟଙ୍କା ଆୟ କରିଥିବା ବେଳେ ବାହୁବଲୀ-୨ ୨୧୭କୋଟି ଟଙ୍କା ଆୟ କରିଥିଲା।

ସମ୍ବନ୍ଧିତ ଖବର