ସାତ୍ ସୱାଲ୍: ପ୍ରଥମ ଦେଖାରେ ପ୍ରେମ ହୁଏ ବୋଲି ମୁଁ ବିଶ୍ବାସ କରେ

‘ସାତ ସୁରେ ବନ୍ଧା ଏ ଜୀବନ’ରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ। ୨୦୦୯ ମସିହାରୁ ସଂଗୀତ କ୍ଷେତ୍ରରେ ପାଦ ଦେଇ ଆଜି ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ସକ୍ରିୟ ଅଛନ୍ତି ଓଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମିଶ୍ର। ‘ଆଜି ବି ତୁ ରହିଛୁ ମୋ ଛାତି ତଳେ…’, ‘ମୁଁ ସେଇ କଳିଙ୍ଗ…’, ‘ଶ୍ରୀମନ୍ଦିର…’, ‘ଓଡ଼ିଆ ଭାଷା ଆନ୍ଥେମ୍…’ ଆଦି ସୁମଧୁର ଗୀତ ଗାଇ ଘରେ ଘରେ ପରିଚିତି ହାସଲ କରିଛନ୍ତି ସେ। ଓଲିଉଡ୍‌ର ଏହି ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କ ସହ ଅଳ୍ପ ଆଳାପ।

ଏକ ସାକ୍ଷାତ୍‌କାରରେ ଆପଣ କହିଥିଲେ ଯେ ଦଶମ ପରେ ଗୀତ ଶିଖିଛନ୍ତି। ଏକ ସଂଗୀତଜ୍ଞ ପରିବାରର ପିଲା ହୋଇ ଏତେ ବିଳମ୍ବରେ କାହିଁକି ଗୀତ ଶିଖିବାକୁ ଚିନ୍ତା କଲେ?
ମୋ ବାପା ଜଣେ ଭଲ ତବଲାବାଦକ ଓ ସଂଗୀତ ନିର୍ଦ୍ଦେଶକ ଥିଲେ। ସେ ଚାହୁଁଥିଲେ କି ସଂଗୀତ ପ୍ରତି ମୋ ନିଜ ଆଡୁ ଆଗ୍ରହ ସୃଷ୍ଟି ହେଉ। ଦଶମ ଭିତରେ ମୁଁ କିଛି ସ୍ଥିର କରିପାରୁ ନଥିଲି, ମାତ୍ର ତା’ପରେ ମୁଁ ଗୀତ ଶିଖିବାକୁ ମନ ସ୍ଥିର କଲି ଓ ପ୍ରଶିକ୍ଷଣ ନେଲି। ପିଲାଦିନରୁ ପାଠପଢ଼ାକୁ ଆମ ଘରେ ଅଗ୍ରାଧିକାର ଦିଆଯାଇଛି। ସେଥିପାଇଁ ମୁଁ ଦଶମ ପରୀକ୍ଷା ପରେ ଏ ବିଷୟରେ ଚିନ୍ତା କଲି।

ଆପଣ ଜଣେ ଇଞ୍ଜିନିୟରିଂ ଛାତ୍ର। ସଂଗୀତ ଶିଖିବା ସତ୍ତ୍ବେ ପ୍ରଥମରୁ ବିଭିନ୍ନ ସ୍ଥାନରେ ଚାକିରି କରିଛନ୍ତି। ପରେ ଚାକିରି ଛାଡ଼ି ପୁଣି ସଂଗୀତ ଦୁନିଆକୁ ଫେରିଛନ୍ତି। କ୍ୟାରିୟର୍‌କୁ ନେଇ ଟିକେ ଦ୍ବନ୍ଦ୍ବରେ ରହନ୍ତି କି?
ମୁଁ କ୍ୟାରିୟର୍‌ ଦେଖେନି, ପ୍ୟାସନ୍ ଦେଖେ। ମୋତେ ଲାଗେ ମୁଁ ସଂଗୀତ ପାଇଁ ବଞ୍ଚିଛି। ପୁଣି ମନେହୁଏ, ଈଶ୍ବର ମୋତେ ସଂଗୀତ ପାଇଁ ହିଁ ଦୁନିଆକୁ ଆଣିଛନ୍ତି। ମୁଁ ସଂଗୀତ ପାଇଁ ବଞ୍ଚିଛି ଓ ସଂଗୀତ ସହ ହିଁ ମରିବି।

ଗାୟକ ହେବା ସହିତ ଆପଣ ଜଣେ ସଂଗୀତ ନିର୍ଦ୍ଦେଶକ ମଧ୍ୟ। ଯଦି ସେପରି ଆବଶ୍ୟକତା ପଡ଼େ ତେବେ ଦୁଇଟି ଭିତ‌ରୁ ଆପଣ କେଉଁଟିକୁ ବେଶି ପ୍ରାଧାନ୍ୟ ଦେବେ?
ଦୁଇଟିଯାକ ହେଉଛି କଳାର ଭିନ୍ନ ପକ୍ଷ। ଏହା ଈଶ୍ବରଙ୍କ ଆଶୀର୍ବାଦ ଯେ ମୁଁ ଗୀତ ଗାଇବା ସହ ନିଜ ଗୀତ ନିଜେ ସ୍ବର କରିପାରୁଛି। ମୋ ପାଇଁ ଗୀତ ଗାଇବା ଓ ସ୍ବର କରିବା ସମାନ। ତେବେ କହିବାକୁ ଚାହିଁବି, ଗୀତ ଲେଖିବା ପାଇଁ ଇଚ୍ଛା ‌ଅଛି। ହେଲେ ଜାଣିନି ସେଇଟା ମୋ ଦ୍ବାରା ସମ୍ଭବ ହେବ କି ନାହିଁ।

ଓଡ଼ିଶାରେ ଜଣେ ଗାୟକ ଭାବେ କ୍ୟାରିୟର୍‌ ବାଛିବା କିପରି ପଦକ୍ଷେପ? ସଂଗୀତରୁ ଯେତିକି ପାରିଶ୍ରମିକ ମିଳେ ସେଥିରେ ଆରାମଦାୟକ ଜୀବନ ବିତାଇବା ସମ୍ଭବ କି?
ନିଶ୍ଚୟ। କାହିଁକି ନୁହେଁ? ପ୍ରତ୍ୟେକ କ୍ଷେତ୍ରରେ ଆପଣ ଯଦି ଭଲ କରିବେ ତ ଭଲ ରୋଜଗାର, ଖରାପ କରିବେ ତ ଖରାପ ରୋଜଗାର। ଦୁନିଆରେ ଅନେକ ଇଞ୍ଜିନିୟର୍‌ ଅଛନ୍ତି। ସମସ୍ତଙ୍କ ପାରିଶ୍ରମିକ କ’ଣ ସମାନ? ସେହିପରି ଯଦି ସଂଗୀତକୁ ସମୟ ଦେଇ ଉଚିତ ଭାବେ ଜଣେ କ୍ୟାରିୟର୍‌ ଗଢ଼ିବାକୁ ଚାହିବ ତ ନିଶ୍ଚୟ ଭଲ ରୋଜଗାର କରିବ। ତା’ଛଡ଼ା ସଂଗୀତ କେବଳ ଓଡ଼ିଶାର କଥା ନୁହେଁ, ଏହା ପୂରା ବିଶ୍ବର କଥା।

ଆପଣଙ୍କ ମତରେ ପ୍ରେମର ପରିଭାଷା କ’ଣ? କେମିତି ଝିଅକୁ ବିବାହ କରିବାକୁ ଚିନ୍ତା କରିଛନ୍ତି?
ମୁଁ ପ୍ରଥମ ଦେଖାରେ ପ୍ରେମ ବା ଲଭ୍‌ ଆଟ୍‌ ଫାଷ୍ଟ୍‌ ସାଇଟ୍‌ରେ ବିଶ୍ବାସ କରେ। ଏହାଛଡ଼ା ମୋ ମତରେ ପ୍ରେମର ମାନେ ସମ୍ମାନ। ପ୍ରେମ ସହ ପରସ୍ପରଙ୍କ ପ୍ରତି ସମ୍ମାନ ଓ ଯତ୍ନଶୀଳତା ରହିବା ଉଚିତ।  ମୁଁ ଯାହାଙ୍କୁ ବି ବିବାହ କରିବି ସେ ନିଶ୍ଚିତ ଭାବେ ମୋ ସହ ସଂଗୀତକୁ ବି ବୁଝିପାରୁଥିବା ଦରକାର। ସେ ସଂଗୀତ ଦୁନିଆର ହୁଅନ୍ତୁ କି ବାହାରୁ ହୁଅନ୍ତୁ, ମାତ୍ର ଭାବନା ମିଶିବା ଜରୁରି।

ଦୁଇ ବର୍ଷ ତଳେ ଏକ ସାକ୍ଷାତ୍‌କାରରେ ଆପଣଙ୍କ ବାପା ଓ ମାଆ ଉଭୟ କହୁଥିଲେ ଯେ ଜଣେ ସୁନ୍ଦରୀ ଓ ଭଲ ଝିଅଟିଏ ମିଳିଲେ ଘରର ବୋହୂ କରିବେ। ଏଯାଏ ସେପରି କେହି ମିଳିନାହାନ୍ତି ନା ଆପଣ ସେମାନଙ୍କୁ ଖୋଜିବାର ସୁଯୋଗ ଦେଇନାହାନ୍ତି?
ନାଇଁ ନାଇଁ। ଖୋଜା ଚାଲିଛି। ସେମାନେ ବି ଖୋଜୁଛନ୍ତି ଓ ମୁଁ ବି ଖୋଜୁଛି। ଯେଉଁଦିନ ଭଲ ଝିଅଟିଏ ମିଳିଯିବ ବିବାହ କରିବି।

ଆପଣ ବ୍ୟବସ୍ଥିତ ବିବାହରେ ବିଶ୍ବାସ ରଖନ୍ତି କି? ଆଗରୁ ଜାଣି ନଥିବା ଜଣେ ଯୁବତୀଙ୍କ ସହ ସାରା ଜୀବନ କାଟିବାକୁ ପଡ଼ିଲେ ଆପଣ ରାଜି ହେବେ?
ନିଶ୍ଚିତ। ଜଣଙ୍କୁ ଦେଖିବା ପରେ, ଭେଟିବା ପରେ ସେ କିଭଳି ସ୍ବଭାବ‌ର ହୋଇଥିବେ ଅନୁମାନ କରାଯାଇପାରେ। ବାହାଘର ପାଇଁ ନିହାତି ଭାବେ ପୂର୍ବରୁ ଜାଣିବା ଜରୁରି ବୋଲି ମୁଁ ଭାବୁନାହିଁ, ଯାହା ଈଶ୍ବରଙ୍କ ଇଚ୍ଛା ଥିବ ତାହା ହିଁ ହେବ।

ସମ୍ବନ୍ଧିତ ଖବର