ହୋଇପାରୁନି ଚୂଡ଼ାନ୍ତ: ବାୟୋପିକ୍‌ର ନାଁ ସଞ୍ଜୟ ରହିବ ନା ଦତ୍ତ!

ରଣବୀର କପୁର୍‌ଙ୍କ ଅଭିନୀତ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଞ୍ଜୁ’କୁ ନେଇ ଏବେ ସମସ୍ତଙ୍କର ନାହିଁ ନ ଥିବା ଉତ୍କଣ୍ଠା। ଆପଣ ଜାଣନ୍ତି, ଏ ଫିଲ୍ମରେ ଅଛି ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଦାବି ମଧ୍ୟ କରା ଯାଉଛି ଯେ ଏଥିରେ ସଞ୍ଜୟଙ୍କ ଜୀବନର ତମାମ ସତକଥା କୁହା ଯାଇଛି- ଏଥିରେ ତାଙ୍କର ନିଶାସେବନଠୁ ଆରମ୍ଭ କରି ଜେଲ୍‌ ଯିବା ଏବଂ ଏକାଧିକ ବାହାଘରର କଥା ଅଛି। ଅନ୍ୟ ଶବ୍ଦରେ କହିଲେ, ତାଙ୍କ ଜୀବନର ଉଭୟ କଳା ଓ ଧଳା ଘଟଣାଗୁଡ଼ିକୁ କୁହା ଯାଇଛି, ତାଙ୍କୁ ଜଣେ ମହାପୁରୁଷଙ୍କ ଭଳି ଦେଖାଇବାଲାଗି ଚେଷ୍ଟା କରା ଯାଇନାହିଁ। ତେବେ ଏ ଦାବିଟି କେତେ ସତ, ତାହା ଫିଲ୍ମ ଦେଖି ସାରିବା ପରେ ହିଁ ଆମେ ଜାଣିବା। ହଁ, ଏଯାଏ ଫିଲ୍ମର ଶୀର୍ଷକ ଠିକ୍‌ କରା ଯାଇନାହିଁ, ୟା’ର ନାଁ ‘ସଞ୍ଜୁ’ ରଖାଯିବ କି ‘ଦତ୍ତ’ ଚୂଡ଼ାନ୍ତ ନିଷ୍ପତ୍ତି ତଥାପି ବାକି ଅଛି। ନିକଟରେ ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇ ବେଶ୍‌ ଆଦ୍ରୁତ ହୋଇଛି। ଏଥିରେ ସଞ୍ଜୁଙ୍କ ବେଶରେ ରଣବୀରଙ୍କର ଏକାଧିକ ରୂପ ଖଞ୍ଜା ଯାଇଛି। ଦୁହିଁଙ୍କ ଚେହେରା ଭିତରେ ଥିବା ଚମତ୍କାର ସମାନତା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ପ୍ରାୟ ଏକବର୍ଷରୁ ଅଧିକ କାଳ ଏ ଫିଲ୍ମ ପାଇଁ ଦିଆ ଯାଇଛି। ‘ସଞ୍ଜୁ’ର ପ୍ରଯୋଜନା କରିଛନ୍ତି ନିଜେ ନିର୍ଦ୍ଦେଶକ ରାଜକୁମାର ଓ ବିଧୂ ବିନୋଦ ଚୋପ୍ରା। ସେମାନଙ୍କଠାରୁ ଫକ୍ସ ଷ୍ଟୁଡିଓଜ୍‌ ଫିଲ୍ମଟିକୁ ୧୮୦ କୋଟି ଟଙ୍କାରେ କିଣିଛି ବୋଲି ଶୁଣା ଯାଉଛି।


‘ସଞ୍ଜୁ’ ଆଉ କାହା ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ ହେଉ ନ ହେଉ, ରଣବୀରଙ୍କ ପାଇଁ କିନ୍ତୁ ଭାରି ଗୁରୁତ୍ୱପୂର୍ଣ୍ଣ। କାରଣ ବେଶ୍‌ କିଛି ସମୟ ହେଲା ବକ୍ସ ଅଫିସ୍‌ରେ ତାଙ୍କର ଭାଗ୍ୟ ଭଲ ଚାଲିନି। ଅନ୍ୟପକ୍ଷରେ ନିର୍ଦ୍ଦେଶକ ରାଜକୁମାର କ୍ୟାରିୟର୍‌ ଆରମ୍ଭରୁ ଏଯାଏ ଶହେ ପ୍ରତିଶତ ସଫଳତାର ରେକର୍ଡ କରି ଆସୁଛନ୍ତି। ତାଙ୍କର କୌଣସି ଫିଲ୍ମ ଫ୍ଲପ୍‌ ହୋଇନାହିଁ। ତାଙ୍କର ଶେଷତମ ଫିଲ୍ମ ‘ପିକେ’ ତ ‘ଦଙ୍ଗଲ୍‌’ ଓ ‘ବାହୁବଳୀ ୨’ ପଛକୁ ସଫଳତମ ଭାରତୀୟ ଫିଲ୍ମ ହୋଇ ରହିଛି।

ସମ୍ବନ୍ଧିତ ଖବର