“ସୀମା ଉଲଙ୍ଘନ କଲେ ପରିଣାମ ଭୋଗିବ” ପାକିସ୍ତାନକୁ ତାଲିବାନର କଡ଼ା ଜବାବ

କାବୁଲ : ଯଦି ପାକିସ୍ତାନୀ ସେନା ଆଫଗାନିସ୍ତାନ ସୀମା ଉଲ୍ଲଂଘନ କରେ ତେବେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଆଫଗାନିସ୍ତାନ ଚେତାବନୀ ଦେଇଛି। ଆଫଗାନିସ୍ତାନକୁ ପାକିସ୍ତାନର ଧମକର ଦିନକ ପରେ ତାଲିବାନର ଏପରି ପ୍ରତିକ୍ରିୟା ଆସିଛି ।

ଆଫଗାନ ସେନା ପକ୍ଷରୁ କୁହାଯାଇଛି “ଆଫଗାନିସ୍ତାନର ଜାତୀୟ ସାର୍ବଭୌମତ୍ୱ ଉଲ୍ଲଂଘନ ସମ୍ପର୍କରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସଦ୍ୟତମ ବୟାନ ହେଉଛି ମାନସିକତାହୀନତା ଏବଂ ପରିବେଶକୁ ଖରାପ କରିବାର ପ୍ରୟାସ, ଯେଉଁଥିରୁ କେହି ଉପକୃତ ହେବେ ନାହିଁ। ଗମ୍ଭୀର ପ୍ରସଙ୍ଗରେ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଦେବାରୁ ପାକିସ୍ତାନ ନେତାମାନେ ଦୂରେଇ ରହିବା ଉଚିତ।“

ଶୁକ୍ରବାର ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଚେତାବନୀ ଦେଇଥିଲେ ଯେ ନିକଟରେ ସେନା ଦ୍ୱାରା ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ନିଷିଦ୍ଧ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଟାର୍ଗେଟ କରିପାରେ। ଏଥିସହିତ ନିଷିଦ୍ଧ ସଂଗଠନ ସହ କୌଣସି ଆଲୋଚନାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ପାକ୍ ସରକାର ଗତ ସପ୍ତାହରେ ‘ଅପରେସନ୍ ଆଜମ-ଏ-ଇସ୍ତେହକମ୍’ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ପାକିସ୍ତାନ ଉପରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ବଢୁଥିବା ବିପଦର ମୁକାବିଲା କରିବା ଏହାର ଲକ୍ଷ୍ୟ ।

ଏଭଳି ସ୍ଥିତିରେ ଶନିବାର ଆଫଗାନିସ୍ତାନ ସେନା ପକ୍ଷରୁ ଜାରି ହୋଇଥିବା ବୟାନକୁ ପାକିସ୍ତାନକୁ କଡ଼ା ଜବାବ ବୋଲି ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର