ପିଓକେ ଜେଲରୁ ଫେରାର ହୋଇଗଲେ ୧୮ ଦୁର୍ଦ୍ଦାନ୍ତ ଅପରାଧୀ

ଇସଲାମାବାଦ: ପାକ୍ ଅଧିକୃତ କଶ୍ମୀରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରି ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଜେଲରୁ ଫେରାର ହୋଇଯାଇଛନ୍ତି। ସୋମବାର ପୁଲିସ ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ରାଓ୍ଵାଲାକୋଟ ଜେଲରେ ଶୁକ୍ରବାର ଜଣେ କଏଦୀ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ଜେଲ୍ ଚାବି ଛଡ଼ାଇ ନେଇଥିଲେ।

ଫେରାର ହୋଇଥିବା ୧୮ ଜଣ କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଅନ୍ୟ ୩ ଜଣ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଜଣେ କଏଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ (କଏଦୀ) ୫ ବର୍ଷ ଜେଲ୍ ଦଣ୍ଡ ଭୋଗୁଥିଲା। ପୁଲିସ ଘଟଣାସ୍ଥଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଜେଲ ମୁଖ୍ୟଙ୍କ ସମେତ ଅନ୍ୟ କିଛି ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

କେତେକ ମାମଲାରେ ପଚରାଉଚରା ପାଇଁ ଅଧିକାରୀମାନଙ୍କୁ ଅଟକ ରଖାଯାଇଛି ବୋଲି ପୁଲିସ କହିଛି। ରାୱଲାକୋଟ ଜେଲର ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସମେତ ୭ ଜଣ ଅଧିକାରୀଙ୍କୁ ଅଟକ ରଖାଯାଇଛି ଏବଂ ସୁରକ୍ଷା ଉଲ୍ଲଂଘନ ନେଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ସମା ଟିଭି ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର