ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବାଧା ଦେବାକୁ ଧମକ ଦେଇଥିବା ୨ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଥିବା ଖଲିସ୍ତାନୀ ସଙ୍ଗଠନ ସମର୍ଥିତ ୨ଜଣ ବ୍ୟକ୍ତିଙ୍କୁ ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ୍‌ ସେଲ୍‌ ଗିରଫ କରିଛି।

ମ୍ୟାଚ୍‌ ସମୟରେ ‘ସିମ୍‌ ବକ୍ସ୍‌ ଟେକ୍ନୋଲୋଜି’ ବ୍ୟବହାର କରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ ସାତ୍‌ନା ଓ ରେୱା ଜିଲ୍ଲାରୁ ଗିରଫ କରାଯାଇଛି।

ଉକ୍ତ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବନିଜ୍‌ ଅହମଦାବାଦରେ ଥିବା ବେଳେ ଦୁହେଁ ଖେଳରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଥିଲେ।

ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କର ଅବସ୍ଥିତି ଟ୍ରାକ୍‌ କରିଥିଲା।

Image Courtesy of News18

ଅଭିଯୁକ୍ତମାନେ ଏଭଳି ଅତ୍ୟାଧୁନିକ ‘ସିମ୍‌ ବକ୍ସ୍‌ ଟେକ୍ନୋଲୋଜି’ ବ୍ୟବହାର କରିଥିଲେ ଯାହାକୁ ଟ୍ରାକ୍‌ କରିବା ବେଳେ ବେଳେ କଷ୍ଟକର ହୋଇଥାଏ ବୋଲି ପୁଲିସ କହିଛି।

ଅଭିଯୁକ୍ତମାନଙ୍କର ଅବସ୍ଥିତି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଏବଂ ପଞ୍ଜାବ ଆଦି ରାଜ୍ୟରେ ହୋଇଥିବା ଅନୁମାନ କରାଯାଇ ଟ୍ରାକ୍‌ ଆରମ୍ଭ କରାଯାଇଥିଲା। ପାକିସ୍ତାନରେ ସକ୍ରିୟ ଥିବା ଜାଲ୍‌ ‘ଟୁଇଟର୍‌ ହ୍ୟାଣ୍ଡଲ୍‌’ରୁ ଧମକ ଦିଆଯାଇଥିବା ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଗୁରୁବାର ଦିନ ଅହମଦାବାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଚୂଡ଼ାନ୍ତ ଟେଷ୍ଟ୍‌ ମ୍ୟାଚ୍‌ର ଆରମ୍ଭ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର