ମଥୁରା : ପାଣିଟାଙ୍କି ଭୁଶୁଡ଼ି ପଡ଼ିବାରୁ ୨ ମୃତ

ମଥୁରା: ମଥୁରାର କୃଷ୍ଣବିହାର ଅଞ୍ଚଳରେ ରବିବାର (ଜୁନ୍ ୩୦) ଏକ ପାଣି ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଏହି ପୂରା ଘଟଣା କୋତଓ୍ଵାଲି ଥାନା ଅନ୍ତର୍ଗତ କୃଷ୍ଣବିହାର ଅଞ୍ଚଳର। ଟାଙ୍କି ଭୁଶୁଡ଼ିବା ପରେ ଆଖପାଖରେ ଥିବା ଘରଗୁଡ଼ିକରେ ପାଣି ପଶିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଟାଙ୍କି ଭୁଶୁଡ଼ି ପଡ଼ିବା ରୁ ରାସ୍ତାରେ ଛିଡ଼ା ହୋଇଥିବା ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନେକ ଘରେ ଟାଙ୍କି ଆବର୍ଜନା ଓ ପାଣି ପଶିଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ମଥୁରା ଏସଏସପି ଶୈଲେଶ ପାଣ୍ଡେ ଏବଂ ଜିଲ୍ଲାପାଳ ଶୈଳେନ୍ଦ୍ର ସିଂ ଫୋର୍ସ ଏବଂ ଏନଡିଆରଏଫ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର ସିଂହ କହିଛନ୍ତି, ସନ୍ଧ୍ୟା ପ୍ରାୟ ୫ଟା ବେଳେ କୃଷ୍ଣବିହାର କଲୋନିରେ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର