ଜେଲରେ ଥିବା ଇଂଜିନିୟର ରସିଦଙ୍କୁ ୨ ଘଣ୍ଟିଆ ପ୍ୟାରୋଲ, ସାଂସଦ ଭାବେ ଶପଥ ନେବେ

ନୂଆଦିଲ୍ଲୀ: ଜୁଲାଇ ୫ ତାରିଖରେ ଲୋକସଭା ସଦସ୍ୟ ଭାବେ ଶପଥ ନେବାକୁ କଶ୍ମୀର ନେତା ଶେଖ୍ ଅବଦୁଲ ରସିଦଙ୍କୁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଦୁଇ ଘଣ୍ଟିଆ ପ୍ୟାରୋଲ ପ୍ରଦାନ କରିଛନ୍ତି। ରସିଦ୍ ‘ଇଞ୍ଜିନିୟର ରସିଦ’ ନାମରେ ମଧ୍ୟ ପରିଚିତ। ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ପରାସ୍ତ କରି ସେ ବାରାମୁଲା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୭ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ଶପଥ ନେବା ଏବଂ ସଂସଦୀୟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରସିଦ ଅନ୍ତରୀଣ ଜାମିନ କିମ୍ବା ବିକଳ୍ପ ଭାବେ ହାଜତ ପାରୋଲ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅତିରିକ୍ତ ସେସନ୍ ଜଜ୍ ଚନ୍ଦ୍ରଜିତ ସିଂହ ଜୁଲାଇ ୫ ତାରିଖରେ ରସିଦଙ୍କୁ ଶପଥ ନେବା ପାଇଁ ଦୁଇ ଘଣ୍ଟାର ସର୍ତ୍ତମୂଳକ ପାରୋଲ ପ୍ରଦାନ କରିଥିଲେ। ଦୁଇ ଘଣ୍ଟାର ନିର୍ଦ୍ଧାରିତ ସମୟ ମଧ୍ୟରେ ଯାତ୍ରା ସମୟ ଅନ୍ତର୍ଭୁକ୍ତ ନାହିଁ।

ପରିଚୟ ପତ୍ର ଦାଖଲ ନେଇ ଶପଥ ଗ୍ରହଣ ସମୟରେ ରସିଦଙ୍କ ପତ୍ନୀ ଓ ପିଲାମାନଙ୍କୁ ଉପସ୍ଥିତ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି। କୋର୍ଟ ରସିଦଙ୍କୁ ପାରୋଲ ସମୟରେ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାର ନ କରିବାକୁ କହିଛନ୍ତି। ରସିଦ କୌଣସି ପ୍ରସଙ୍ଗରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ ନାହିଁ କିମ୍ବା କଥା ହେବେ ନାହିଁ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହା ସହ କଥା ହେବେ ନାହିଁ ବୋଲି କୁହାଯାଇଛି। ଶପଥ ଗ୍ରହଣ ସମାରୋହର ଫଟୋ ନ ଉଠାଇବା ଏବଂ ସୋସିଆଲ ମିଡିଆରେ ପୋଷ୍ଟ ନ କରିବାକୁ ପରିବାରକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୋର୍ଟ କହିଛନ୍ତି।

 

ସମ୍ବନ୍ଧିତ ଖବର