ଓଡ଼ିଶାର ୩ ସାଂସଦଙ୍କ ସମେତ ୧୬ ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ପାଇଁ ନିର୍ବାଚନ ମାର୍ଚ୍ଚ ୨୩ରେ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ କାର୍ଯ୍ୟକାଳ ଶେଷ ହେଉଥିବା ଦେଶର ୧୬ଟି ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ସ୍ଥାନରେ ନୂତନ ସାଂସଦଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଲିଥିବା ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟସଭାର ଏହି ୫୮ଟି ସାଂସଦ ପଦବି ପାଇଁ ଭୋଟ ଗ୍ରହଣ କରାଯିବ ଏବଂ ସେହିଦିନ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇବ।

ଏହି ୫୮ ଜଣ ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୧୦ ଜଣ ରାଜ୍ୟସଭା ସାଂସଦ ନିର୍ବାଚିତ ହେବାକୁ ଥିବାବେଳେ ମହାରାଷ୍ଟ୍ର ଓ ବିହାରରୁ ୬ ଜଣ ଲେଖାଁଏ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ୫ ଜଣ ଲେଖାଁଏ, ଗୁଜୁରାଟ ଓ କର୍ଣ୍ଣାଟକରୁ ୪ ଜଣ ଲେଖାଁଏ ରାଜ୍ୟସଭା ସାଂସଦଙ୍କୁ ନୂତନ ଭାବେ ନିର୍ବାଚିତ କରାଯିବ। ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ରାଜସ୍ଥାନରୁ ୩ ଜଣ ଲେଖାଁଏ ରାଜ୍ୟସଭା ସାଂସଦଙ୍କୁ ନୂତନ ଭାବେ ନିର୍ବାଚିତ କରାଯିବ। ବର୍ତ୍ତମାନ ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସର୍ବାଧିକ ୫୮ ଜଣ ସାଂସଦ ରହିଥିବା ବେଳେ କଂଗ୍ରେସର ଅଛନ୍ତି ୫୪ ଜଣ ସାଂସଦ।

ଅନ୍ୟପକ୍ଷରେ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟସଭାର ଏହି ସମସ୍ତ ପଦବି ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଶେଷ ତାରିଖ ରହିଛି ମାର୍ଚ୍ଚ ୧୨। ୧୩ ମାର୍ଚ୍ଚରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ମାର୍ଚ୍ଚ ୧୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ଦିନ ଏହି ସମସ୍ତ ଆସନ ପାଇଁ ଭୋଟଗ୍ରହଣ କରାଯିବା ସହ ସେହିଦିନ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଓଡ଼ିଶାରୁ ବର୍ତ୍ତମାନ ବିଜେଡିର ରାଜ୍ୟସଭା ସାଂସଦ ଥିବା ଅନଙ୍ଗ ଉଦୟ ସିଂହଦେଓ, ଏଭି ସ୍ୱାମୀ ଓ ଦିଲୀପ୍‌ ତିର୍କୀଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ତାଙ୍କ ସ୍ଥାନରେ ବିଜେଡିର ନୂତନ ତିନି ଜଣ ସାଂସଦ ରାଜ୍ୟସଭାକୁ ନିର୍ବାଚିତ ହେବେ। ସେହିପରି ବିହାରରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଅବସ୍ଥାପିତ ଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟ ଅପ୍ରେଲରେ ଶେଷ ହେଉଛି। ତେବେ, ଶ୍ରୀ ପ୍ରଧାନ ଆଉଥରେ ପୁନଃର୍ନିବାଚିତ ହେବେ ନା ନାହିଁ; ଆଉ ଯଦି ବି ନିର୍ବାଚିତ ହେବେ, ତେବେ ବିଜେପି ଶାସିତ କେଉଁ ରାଜ୍ୟରୁ ନିର୍ବାଚିତ ହେବେ, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର