ଥାନାରେ ଏସି ବିସ୍ଫୋରଣ ହୋଇ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରୁଟରେ ଥିବା ସଦର ପୁଲିସ ଷ୍ଟେସନରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏସି ବିସ୍ଫୋରଣ ହେତୁ ହୋଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରତିଦିନ ଭଳି ସଦର ଥାନାରେ ପୁଲିସ କର୍ମଚାରୀ ନିଜନିଜ କାମରେ ବ୍ୟସ୍ତ ଥିବାବେଳେ ହଠାତ ପୁଲିସ ଷ୍ଟେସନରେ ଲାଗିଥିବା ଏସି ବି‌ସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଭୟାବହ ଥିଲା କି ଥାନା ହୁହୁ ହୋଇ ଜଳିବାକୁ ଲାଗିଥିଲା। ଏଥିସହିତ ଥାନା ଭିତରେ ଥିବା ସମସ୍ତ ଆସବାବାପତ୍ର ଜଳି ପାଉଁଶ ହୋଇଯାଇଥିଲା। ଏ ସମୟରେ ଥାନା ଭିତରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ଜୀବନ ବିକଳରେ ଯିଏ ଯେଉଁଆଡେ ପାଇଥିଲେ ଦୌଡ଼ି ପଳାଇଥିଲେ।

ଅଗ୍ନିଶମ ବିଭାଗକୁ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହିତ ପୁଲିସ ଷ୍ଟେସନ ବାହାରେ ଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଥିଲା।  ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ପୁଲିସ କର୍ମଚାରୀଙ୍କୁ ବି‌ଶେଷ କିଛି କ୍ଷତି ପହଞ୍ଚିନାହିଁ।

ଚଳିତଥର ପ୍ରବଳ ଗରମ ହେତୁ ଏସି ବିସ୍ଫୋରଣ ହେବା ଘଟଣା କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି।   ଗତ ସପ୍ତାହରେ ରାଜସ୍ଥାନର ବୃଦ୍ଧ ଦମ୍ପତିଙ୍କ ଘରେ ଏସି ବିସ୍ଫୋରଣ ହେବାରୁ ପ୍ରବୀଣ ବର୍ମା ଓ ରେଣୁ ବର୍ମା ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଥିଲା।

ସମ୍ବନ୍ଧିତ ଖବର