ଆଫଗାନିସ୍ତାନ ମହିଳାଙ୍କ ଅଧିକାର ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ: ଜାତିସଂଘର ଚିନ୍ତାକୁ ନେଇ ତାଲିବାନ ସରକାରଙ୍କ ଜବାବ୍

କାବୁଲ: ଜାତିସଂଘ ବୈଠକ ପୂର୍ବରୁ ତାଲିବାନ ପ୍ରଶାସନ ନିଜର ଅସନ୍ତୋଷ ପ୍ରକାଶ କରିଛି। ବାସ୍ତବରେ ଆଫଗାନିସ୍ତାନର ଭବିଷ୍ୟତ ଉପରେ ଅନୁଷ୍ଠିତ ବୈଠକରେ ମହିଳା ଓ ବାଳିକାଙ୍କୁ ଅନ୍ତର୍ଭୁକ୍ତ ନ କରିବା ନେଇ ମିଳିତ ଜାତିସଂଘର ମହିଳାମାନଙ୍କ ଉପରେ ଭେଦଭାବ ଦୂର କରିବା କମିଟି (ସିଇଡିଏଡବ୍ଲୁ) ଗଭୀର ଚିନ୍ତା ପ୍ରକଟ କରିଛି। ବର୍ତ୍ତମାନ ତାଲିବାନ ପ୍ରଶାସନ ଏହା ଉପରେ ପ୍ରତିକ୍ରିୟା ରଖିଛି। ତାଲିବାନ କହିଛି ଆଫଗାନିସ୍ତାନର ମହିଳାଙ୍କ ଅଧିକାର ଦେଶର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ।

ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ଦେଶରେ ମହିଳା ଓ ବାଳିକାମାନଙ୍କ ମାନବିକ ଅଧିକାର ଉପରେ ଏକ ଗଭୀର ସଙ୍କଟ ଦେଖାଦେଇଛି। ମିଳିତ ଜାତିସଂଘ ଏହାକୁ ଲିଙ୍ଗଗତ ଭେଦଭାବ ବୋଲି ବର୍ଣ୍ଣନା କରିଛି। ଏଥି ସହିତ ତାଲିବାନ ସରକାର ରବିବାର ପ୍ରଥମ ପ୍ରତିନିଧୀଙ୍କୁ କତାରରେ ଆରମ୍ଭ ହେବାକୁ ଥିବା ତୃତୀୟ ରାଉଣ୍ଡ ଆଲୋଚନାକୁ ପଠାଇବ।

ସରକାରୀ ଆଲୋଚନା ପରେ ମହିଳା ଅଧିକାର ଗୋଷ୍ଠୀ ସମେତ ନାଗରିକ ସମାଜର ପ୍ରତିନିଧୀମାନେ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ କୂଟନୀତିଜ୍ଞ ତଥା ଜାତିସଂଘର ଅଧିକାରୀଙ୍କ ସହ ଆଲୋଚନାରେ ଭାଗ ନେବେ। ପ୍ରମୁଖ ବୈଠକରେ ଆଫଗାନିସ୍ତାନ ମହିଳାଙ୍କ ଅନୁପସ୍ଥିତି ଏବଂ କାର୍ଯ୍ୟସୂଚୀରେ ମାନବିକ ଅଧିକାରର ଅଭାବକୁ ମାନବାଧିକାର ଗୋଷ୍ଠୀ ନିନ୍ଦା କରିଛନ୍ତି।

ସରକାରୀ ମୁଖପାତ୍ର ତଥା ପ୍ରତିନିଧି ଦଳର ନେତା ଜାବିହୁଲ୍ଲା ମୁଜାହିଦ୍ କାବୁଲରେ ସାମ୍ବାଦିକମାନଙ୍କୁ କହିଛନ୍ତି ତାଲିବାନ ପ୍ରଶାସନ ମହିଳାଙ୍କ ସମସ୍ୟାକୁ ଗ୍ରହଣ କରୁଛି। କିନ୍ତୁ ଏହି ପ୍ରସଙ୍ଗଗୁଡ଼ିକ ଆଫଗାନିସ୍ତାନର ଅଟେ। ଆଫଗାନିସ୍ତାନ ମଧ୍ୟରେ ମହିଳାଙ୍କ ସହ ଜଡିତ ସମସ୍ୟାର ସମାଧାନ ପାଇଁ ଆମେ ଏକ ସଠିକ୍ ଉପାୟ ଖୋଜୁଛୁ, ଯାହା ଦ୍ବାରା ଆମ ଦେଶରେ ଆଉ ବିବାଦ ଏବଂ ହିଂସା ଦେଖିବାକୁ ପଡ଼ିବ ନାହିଁ।

ମୁଜାହିଦ୍ ଦୋହରାଇଛନ୍ତି ତାଲିବାନ ସରକାର ସମସ୍ତ ଦେଶ ସହ ସକାରାତ୍ମକ ସମ୍ପର୍କ ଚାହୁଁଛନ୍ତି। ତେବେ ଦୋହାରେ କୌଣସି ବଡ଼ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ନାହିଁ ବୋଲି ସେ କହିଛନ୍ତି। ବିଶେଷ କରି ପାଶ୍ଚାତ୍ୟ ଦେଶମାନଙ୍କ ସହିତ ମତ ବିନିମୟ କରିବାର ଏହି ସୁଯୋଗ ରହିବ। ଏହି କାର୍ଯ୍ୟସୂଚୀରେ ନିଶା କାରବାର ଏବଂ ଅର୍ଥନୈତିକ ସମସ୍ୟାର ମୁକାବିଲା ନେଇ ଆଲୋଚନା ହେବ।

ସେ କହିଛନ୍ତି, ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ହେବ। ଯଦି ଅର୍ଥନୀତି ଠିକ ଅଛି ତେବେ ଅନ୍ୟ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର