୩୦ ମିନିଟ୍‌ ଅପେକ୍ଷା କରିବା ପରେ ସବ୍‌-ଇନ୍‌ସ୍ପେକ୍ଟରଙ୍କ ଉପରେ କମ୍ପିଲେ ମନ୍ତ୍ରୀଙ୍କ ପତ୍ନୀ

ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ମଣ୍ଡିପାଲ୍ଲୀ ରାମପ୍ରସାଦ ରେଡ୍ଡୀଙ୍କ ପତ୍ନୀ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତାଙ୍କୁ ଜଣେ ପୁଲିସ୍‌ଙ୍କ ପାଇଁ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବାରୁ ସେ ଉକ୍ତ ପୁଲିସ କର୍ମଚାରୀଙ୍କୁ ତାଗିଦ କରିବାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଏହି ଘଟଣା ଅନାମୟ ଜିଲ୍ଲାରେ ଘଟିଛି। ​​ଯେତେବେଳେ ମନ୍ତ୍ରୀଙ୍କ ପତ୍ନୀ ହରିଥା ରେଡ୍ଡୀ ଏକ ସ୍ଥାନୀୟ କାର୍ଯ୍ୟକ୍ରମକୁ ଯାଉଥିଲେ। ଏକ କାରର ଯାତ୍ରୀ ଆସନରେ ବସିଥିବା ହରିଥାଙ୍କୁ ସବ୍-ଇନ୍ସପେକ୍ଟରଙ୍କ ପାଇଁ ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିବାରୁ ସେ ପାଟି କରୁଥିବାର ଶୁଣିବାକୁ ମିଳିଛି। ସେ ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ତାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ପୁଲିସ ଅଧିକାରୀଙ୍କୁ ତାଗିଦ କରିଥିଲେ।

ସେ ପୁଲିସ୍‌କୁ ପଚାରିଥିଲେ, ‘‘ତମ ପାଇଁ ସକାଳ ହୋଇନାହିଁ କି? ତୁମେ ଡ୍ୟୁଟି ଅସିଛ ନା ବାହାଘର ଭୋଜି ଖାଇବାକୁ ଆସିଛ? ତୁମ ପାଇଁ ମୁଁ ଅଧଘଣ୍ଟା ହେଲା ଅପେକ୍ଷା କରିିଛି। ତୁମକୁ କିଏ ଦରମା ଦେଉଛି? ସରକାର ନା ୱାଇଏସ୍‌ଆର୍‌ସିପି?

ଭିଡିଓ ଶେଷରେ, ସବ୍-ଇନ୍ସପେକ୍ଟର ହରିଥା ରେଡ୍ଡୀଙ୍କୁ ଅଭିବାଦନ ଜଣାଇ ସାଲ୍ୟୁଟ୍‌ ମାରିଥିଲେ। ମନ୍ତ୍ରୀଙ୍କ ପତ୍ନୀ ତାଙ୍କୁ କନ୍‌ଭେର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇ ଆଗକୁ ବଢ଼ିଥିଲେ। ତେବେ ହରିଥା ରେଡ୍ଡୀଙ୍କ ଏଭଳି ଆଚରଣ ବି ଅନେକଙ୍କୁ ପସନ୍ଦ ଆସିନାହିଁ। ତ‌ାଙ୍କୁ ମଧ୍ୟ ଅନେକ ଲୋକ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର