ମଦ ଦୁର୍ନୀତି ମାମଲାରେ ସିବିଆଇର ଗିରଫଦାରୀ ବିରୋଧରେ ହାଇକୋର୍ଟ ଗଲେ ‌‌କେଜ୍ରିୱାଲ୍‌

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଗିରଫ ହେବା ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ଶନିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଯିବାର ୨ ଦିନ ପରେ ସେ କୋର୍ଟଙ୍କ ନିକଟସ୍ଥ ହୋଇଛନ୍ତି। ନିମ୍ନ ଅଦାଲତ କେଜ୍ରିୱାଲ୍‌ଙ୍କୁ ହେପାଜତ ପ୍ରଦାନ କରିବା ସହ ତାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଛନ୍ତି। ତଦନ୍ତ ପ୍ରକ୍ରିୟା ଏବେ ବି ଜାରି ରହିଛି।

ତିନି ଦିନିଆ ପଚରାଉଚରା ଶେଷ ହେବା ପରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯାହା ପରେ କେନ୍ଦ୍ରୀୟ ଏଜେନ୍ସି ୧୪ ଦିନିଆ ନ୍ୟାୟିକ ହେପାଜତ ମାଗିଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଦନ୍ତରେ ସହଯୋଗ କରୁନାହାଁନ୍ତି ଏବଂ ଅସନ୍ତୋଷଜନକ ଉତ୍ତର ଦେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ରିମାଣ୍ଡ ଆବେଦନରେ ଏଜେନ୍ସି ମଧ୍ୟ ଆଶଙ୍କା ବ୍ୟକ୍ତ କରିଛି ଯେ ଆଗକୁ କେଜ୍ରିୱାଲ୍‌ ତାଙ୍କ ସମ୍ମୁଖରେ ପ୍ରକାଶ ପାଇଥିବା ସାକ୍ଷୀ ତଥା ପ୍ରମାଣକୁ ପ୍ରଭାବିତ କରିପାରନ୍ତି।

୫୫ ବର୍ଷିୟ କେଜ୍ରିୱାଲଙ୍କୁ ସିବିଆଇ ଜୁନ୍ ୨୬ ତାରିଖରେ ତିହାର ଜେଲରୁ ଗିରଫ କରିଥିଲା। ​​ଯେଉଁଠାରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଦାଖଲ ହୋଇଥିବା ଅର୍ଥ ହେରଫେର ମାମଲାରେ ନ୍ୟାୟିକ ହେପାଜତରେ ଥିଲେ।

ସମ୍ବନ୍ଧିତ ଖବର