କେଦାରନାଥରେ ହିମସ୍ଖଳନ, ଆତଙ୍କିତ ହେଲେ ଶ୍ରଦ୍ଧାଳୁ

ରୁଦ୍ରପ୍ରୟାଗ: କେଦାରନାଥଠାରୁ ୪ କିଲୋମିଟର ଉପରେ ଥିବା ବରଫଅଞ୍ଚଳରେ ରବିବାର ଭୋର ସମୟରେ ପ୍ରବଳ ଶବ୍ଦ ସହ ହିମସ୍ଖଳନ ଘଟିଛି।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ କେଦାରନାଥ ଉପତ୍ୟକାର ଉପର ମୁଣ୍ଡରେ ଥିବା ବରଫ ଘେରା ମେରୁ-ସୁମେରୁ ପର୍ବତମାଳା ତଳେ ଚୌରାବାରୀ ଗ୍ଲେସିୟରର ଗାନ୍ଧୀ ସରୋବର ଉପର ମୁଣ୍ଡରେ ସକାଳ ୫ଟା ୬ ମିନିଟ୍ ରେ ହିମସ୍ଖଳନ ଘଟିଥିଲା। ଏହା ଦେଖିଲ ସେଠାରେ ଉପସ୍ଥିତ ଥିବା ଲୋକମାନେ ଆତଙ୍କିତ ହୋଇଯାଇଥିଲେ ।

ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଯେ, ସକାଳେ ଚୌରାବାରୀ ଗ୍ଲେସିୟରରେ ହିମସ୍ଖଳନ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ କେଦାରନାଥ ସମେତ ସମଗ୍ର ଅଞ୍ଚଳ ସୁରକ୍ଷିତ ରହିଛି। ଏହି ଅଂଚଳରେ ହିମସ୍ଖଳନ ଏକ ସାଧାରଣ ପ୍ରାକୃତିକ ଘଟଣା । ସକାଳେ କେଦାରନାଥ ମନ୍ଦିର ବୁଲିବାକୁ ଯାଇଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଘଟଣା ଦେଖିଥିଲେ ଏବଂ ଅନେକ ଏହାକୁ ନିଜ ମୋବାଇଲରେ ମଧ୍ୟ ରେକର୍ଡ କରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଚୋରାବାରୀ ଗ୍ଲେସିୟର ଓ ଗାନ୍ଧୀ ସରୋବର ଉପରେ ହିମସ୍ଖଳନ ଯୋଗୁଁ  ବରଫ  ଦ୍ରୁତ ଗତିରେ ତଳକୁ ଖସି ଆସୁଛି ।

ସମ୍ବନ୍ଧିତ ଖବର