ବି‌ଜେପି ବିଧାୟକଙ୍କର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟ!

ପାଟନା: ଆମେରିକାରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ ଖେଳ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ଭାରତୀୟ ଖେଳାଳି ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିହାରର ବିଜେପି ବିଧାୟକ ଶ୍ରେୟସୀ ସିଂ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବ‌ା ଅଲିମ୍ପିକ୍ ଗେମ୍ସରେ ଶ୍ରେୟାସି ସିଂ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିବେ।

ବିହାରର ଜମୁଇରୁ ବିଧାୟକ ହୋଇଥିବା ଶ୍ରେୟସୀ ସିଂଙ୍କୁ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଶୁଟିଂ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଭାରତୀୟ ଶୁଟିଂ ଦଳରେ ୨୧ ଖେଳାଳି ଚୟନ କରାଯାଇଛି। ଏହି ତାଲିକାରେ ଶ୍ରେୟସୀ ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଶ୍ରେୟାସୀ ୩୦ ଓ ୩୧ ଜୁଲାଇରେ ଅଲିମ୍ପିକ୍ସ ଖେଳରେ ଖେଳିବେ। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟ ନେଇ ସେ ଖେଳିବେ ବୋଲି ଦେଶବାସୀଙ୍କର ଆଶା ରହିଛି।

ଶ୍ରେୟସୀ ସିଂ ବିହାରର ରାଜ ପରିବାରର । ସେ ୨୯ ଅଗଷ୍ଟ ୧୯୯୧ରେ ଗିଧୌରରେ ଜନ୍ମଗ୍ରହଣ କରିଥିଲେ। ଶ୍ରେୟାସୀଙ୍କ ପିତା ଦିଗବିଜୟ ସିଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିଲେ। ଶୁଟିଂ ପ୍ରତି ଆଗ୍ରହ ଶ୍ରେୟସୀଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି। ଶ୍ରେୟାସୀଙ୍କ ପିତା ଦିଗବିଜୟ ସିଂ ଏବଂ ଜେଜେବାପା ସେରେନ୍ଦ୍ର ସିଂ ମଧ୍ୟ ସୁଟର ଥିଲେ। ଶ୍ରେୟସୀଙ୍କ ମା ପୁତୁଲ କୁମାରୀ ବିହାରର ବଙ୍କା ଲୋକସଭା ଆସନରୁ ସାଂସଦ ଅଛନ୍ତି। ଶ୍ରେୟସୀ ଦିଲ୍ଲୀର ହଂସରାଜ କଲେଜରୁ ସ୍ନାତକ ହାସଲ କରିଥିଲେ। ଯାହା ପରେ ସେ ଏମବିଏ ପାଠ୍ୟକ୍ରମ ଅଧ୍ୟୟନ କରିଥିଲେ ।

ଶ୍ରେୟସୀ ସିଂ ସୁଟିଂ ପାଇଁ ସର୍ବଦା ଆଗ୍ରହୀ ଥିଲେ। ୨୦୧୩ ରେ, ସେ ଭାରତୀୟ ଶୁଟିଂ ଦଳର ଏକ ଅଂଶ ହୋଇଥିଲେ। ଏହି ସମୟ ମଧ୍ୟରେ ସେ ରୁଷିଆର ରାଜଧାନୀ ମସ୍କୋରେ ଅନୁଷ୍ଠିତ ହୋଇଥିବା ଟ୍ରାପ ଶୁଟିଂ ବିଶ୍ୱକପରେ ୧୫ ତମ ସ୍ଥାନ ହାସଲ କରିଥିଲେ। ୨୦୧୪ ରେ, ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ କମନୱେଲଥ ଗେମ୍ସ ଅନୁଷ୍ଠିତ ହୋଇଥିଲା। ସେଠାରେ ଶ୍ରେୟସୀ ସିଂ ସୁଟିଂରେ ରୌପ୍ୟ ପଦକ ପାଇଥିଲେ। ସେହି ବର୍ଷ ହୋଇଥିବା ଏସୀୟ ଗେମ୍ସରେ ଶ୍ରେୟସୀ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ। ୨୦୧୮ ମସିହାରେ, ଶ୍ରେୟସୀ ଅଷ୍ଟ୍ରେଲିଆରେ ଆୟୋଜିତ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।

୨୦୨୦ ରେ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ ହୋଇଥିଲା । ଶ୍ରେୟାସୀ ୩୦ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୨୦ ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ଜମୁଇରୁ ଶ୍ରେୟସୀଙ୍କୁ ଟିକେଟ୍ ଦେଇଥିଲା ଏବଂ ଶ୍ରେୟସୀ ମଧ୍ୟ ରାଜନୈତିକ କ୍ଷେତ୍ରରେ ବିଜୟର ପତାକା ଉଡ଼ାଇଥିଲେ। ସେ ଆରଜେଡିର ବିଜୟ ପ୍ରକାଶଙ୍କୁ ୪୧୦୦୦ରୁ ଅଧିକ ଭୋଟରେ ସେ ପରାସ୍ତ କରିଥିଲେ।

ସୂଚନାଯୋଗ୍ୟ, ଶ୍ରେୟସୀ ବିହାରର ପ୍ରଥମ ଖେଳାଳି ହେବାକୁ ଯାଉଛନ୍ତି ଯିଏ ଅନ୍ତର୍ଜାତୀୟସ୍ତରରେ ଅଲିମ୍ପିକ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ। କେବଳ ଜମୁଇ ନୁହେଁ ସମଗ୍ର ବିହାର ଶ୍ରେୟାସୀଙ୍କ ଏହି ସଫଳତା ନେଇ ଖୁସି। ଶ୍ରେୟାସୀ କହିଛନ୍ତି ଯେ ୧୭ ବର୍ଷ ପରେ ତାଙ୍କୁ ଅଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି। ଏହା ତାଙ୍କ ପିତା ଦିଗବିଜୟ ସିଂଙ୍କ ସ୍ୱପ୍ନ ଥିଲା। ବର୍ତ୍ତମାନ ସେ ଆଉ ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର