ବୁଲ୍‌ଡୋଜର ଜଷ୍ଟିସ୍: ବିରୋଧୀ

ନୂଆଦିଲ୍ଲୀ: ସୋମବାର ନୂଆ ଆପରାଧିକ ଆଇନ ଲାଗୁ ହେବା ପରେ ବିରୋଧୀମାନେ ସାଂସଦମାନଙ୍କୁ ନିଲମ୍ବିତ କରି ଆଇନକୁ ଜୋରଜବରଦସ୍ତ ପାରିତ କରାଯାଇଛି ଏବଂ ଆଇନର ପ୍ରମୁଖ ଅଂଶ କେବଳ ‘କଟ୍‌, କପି ଓ ପେଷ୍ଟ’ କାମ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଅଭିଯୋଗ କରିଛନ୍ତି। ଗତ ଡିସେମ୍ବରରେ ସଂସଦରେ ପାରିତ ହୋଇଥିବା ତିନି ଅପରାଧ ଆଇନକୁ ପର୍ଯ୍ୟାପ୍ତ ଆଲୋଚନା ଓ ବିତର୍କ ବିନା ଗୃହରେ ପାସ୍ କରାଯାଇଛି ବୋଲି ସେମାନେ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ନିର୍ବାଚନରେ ଝଟକା ଖାଇବା ପରେ ମୋଦୀ ଓ ବିଜେପି ସମ୍ବିଧାନକୁ ସମ୍ମାନ ଦେବାର ନାଟକ କରୁଛନ୍ତି, କିନ୍ତୁ ସତ କଥା ହେଉଛି ଆଜିଠାରୁ କାର୍ଯ୍ୟକାରୀ ହେଉଥିବା ଆପରାଧିକ ନ୍ୟାୟ ବ୍ୟବସ୍ଥାର ତିନିଟି ଆଇନକୁ ୧୪୬ ଜଣ ସାଂସଦଙ୍କୁ ନିଲମ୍ବିତ କରି ବଳପୂର୍ବକ ପାରିତ କରାଯାଇଛି। ଇଣ୍ଡି ମେଣ୍ଟ ଆଉ ଏହି ‘ବୁଲଡୋଜର ଜଷ୍ଟିସ୍’କୁ ସଂସଦୀୟ ବ୍ୟବସ୍ଥାରେ ଚାଲିବାକୁ ଦେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସ ନେତା ପି ଚିଦମ୍ବରମ୍ ଅଭିଯୋଗ କରିଛନ୍ତି ଯେ ୯୦-୯୯ ପ୍ରତିଶତ ନୂଆ ଆଇନ କଟ୍, କପି ଓ ପେଷ୍ଟ କାମ ଏବଂ ପ୍ରଚଳିତ ଆଇନରେ କିଛି ସଂଶୋଧନ କରି ସରକାର ସମାନ ଫଳାଫଳ ପାଇପାରିଥାନ୍ତେ। ହଁ, ନୂଆ ଆଇନରେ କିଛି ସୁଧାର ଆସିଛି ଏବଂ ଆମେ ତାହାକୁ ସ୍ୱାଗତ କରିଛୁ। କିନ୍ତୁ ଏହାକୁ ସଂଶୋଧନ ରୂପେ ଉପସ୍ଥାପିତ କରାଯାଇପାରିଥାନ୍ତା ବୋଲି ଚିଦମ୍ବରମ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। କଂଗ୍ରେସ ସାଂସଦ ମନୀଷ ତିଵାରି କହିଛନ୍ତି ଯେ ସଂସଦ ନୂଆ ଆପରାଧିକ ଆଇନଗୁଡ଼ିକୁ ପୁନର୍ବାର ଯାଞ୍ଚ କରିବା ଉଚିତ। ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି ଯେ ନୂଆ ଆଇନ ନାଗରିକ ସ୍ୱାଧୀନତା ଓ ଗଣତାନ୍ତ୍ରିକ ସ୍ୱାଧୀନତା ପାଇଁ ବିପଦ। ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ ମଧ୍ୟ ନୂଆ ଆଇନକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ଏଥିରେ ନାଗରିକଙ୍କ ଜୀବନ ଓ ସ୍ୱାଧୀନତା ଛଡ଼ାଇ ନେବା ପାଇଁ ବିପୁଳ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର