ଟ୍ରକ୍‌ ସହିତ ଧକ୍କାଖାଇଲା ପ୍ରଧାନମନ୍ତ୍ରୀଙ୍କ ରା‌ଲିକୁ ‘ବିଜେପି’ କର୍ମୀଙ୍କୁ ନେଇଯାଉଥିବା ବସ୍‌: ୩ ମୃତ, ୧୨ ଆହତ

ବିଳାସପୁର: ଆଜି ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଗୋଟାଏ ଟ୍ରେଲର୍‌-ଟ୍ରକ୍‌ ସହିତ ଗୋଟାଏ ବସ୍‌ ଧକ୍କା ଖାଇବାରୁ ୩ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୨ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗ ଦେବା ପାଇଁ ଅମ୍ବିକାପୁରରୁ ୪୭ଜଣ ‘ବିଜେପି’ କର୍ମୀଙ୍କୁ ନେଇ ଉକ୍ତ ବସ୍‌ ଅଭିମୁଖେ ଯାଉଥିଲା।

କୋର୍ବା ଜିଲ୍ଲା ଅତିକ୍ରମ କରି ଭୋର୍‌ ପ୍ରାୟ ୫ଟା ବେଳେ ବିଳାସପୁର ଜିଲ୍ଲାର ବେଲ୍‌ତାରା ଗ୍ରାମ ନିକଟରେ ପହଞ୍ଚିବା ପରେ ଉକ୍ତ ବସ୍ ରାସ୍ତା ପାର୍ଶ୍ବରେ ଠିଆହୋଇଥିବା ଗୋଟାଏ ଟ୍ରଲର୍‌ ସହିତ ଧକ୍କା ଖାଇଥିଲା।

ଦୁର୍ଘଟଣାସ୍ଥଳରେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆଉ ୧୨ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

Image Courtesy of India Today

ମୃତ ବ୍ୟକ୍ତିମାନେ ହେଲେ ସୂରଜପୁର ଜିଲ୍ଲାର ୩୦ ବର୍ଷିୟ ସାଜନ ଓ ୪୫ ବର୍ଷିୟ ଋକ୍‌ଦେବ ଏବଂ ବଳରାମପୁର ଜିଲ୍ଲା ନିବାସୀ ୨୮ ବର୍ଷିୟ ବସ୍‌ ଡ୍ରାଇଭର୍‌ ଆକ୍ରମ୍‌ ରାଜା।

‌ପ୍ରବଳ ବର୍ଷା ହେଉଥିବାରୁ ଚାଳକ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଟ୍ରକ୍‌କୁ ଦେଖି ନ ପାରି  ପଛପଟୁ ଧକ୍କା ‌ଦେଇଥିଲେ ବୋଲି କୁହାଯାଉଛି। କିନ୍ତୁ, ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ରାୟପୁର ସାଇନ୍‌ସ୍‌ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି।

ସମ୍ବନ୍ଧିତ ଖବର