ବୈଜ୍ଞାନିକ ନମ୍ବି ନାରାୟଣଙ୍କୁ ଫସାଇବା ମାମଲା : ୪ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ମହାକାଶ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ୧୯୯୪ ଇସ୍ରୋ ଗୁପ୍ତଚର ମାମଲାରେ ଫସାଇବା ଅଭିଯୋଗରେ କେରଳର ଦୁଇ ପୂର୍ବତନ ଡିଜିପି ସିବି ମାଥ୍ୟୁସ୍ ଓ ଗୁଜରାଟର ଆରବି ଶ୍ରୀକୁମାରଙ୍କ ସମେତ ଅନ୍ୟ ତିନି ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ କ୍ରମେ ୨୦୨୧ରେ ରୁଜୁ ହୋଇଥିବା ଏହି ମାମଲାର ୩ ବର୍ଷ ପରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି।

୧୯୯୪ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଗୁପ୍ତଚର ମାମଲାର ତଦନ୍ତ କରୁଥିବା ଏସଆଇଟିର ନେତୃତ୍ୱ ନେଇଥିବା ତତ୍କାଳୀନ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୁଲିସ ମାଥ୍ୟୁସଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଏତଦ୍ ବ୍ୟତୀତ ଗୁଇନ୍ଦା ବ୍ୟୁରୋର ତତ୍କାଳୀନ ଉପନିର୍ଦ୍ଦେଶକ ଥିବା ଶ୍ରୀକୁମାର, ଏସ୍ଆଇବି-କେରଳରେ ଅବସ୍ଥାପିତ ପିଏସ୍ ଜୟପ୍ରକାଶ, ତତ୍କାଳୀନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୁଲିସ କେକେ ଜୋସୁଆ ଏବଂ ଇନ୍ସପେକ୍ଟର ଏସ୍ ବିଜୟନଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

୧୯୯୪ ମସିହାରେ ଇସ୍ରୋ ବୈଜ୍ଞାନିକ ନାରାୟଣନଙ୍କ ସମ୍ପୃକ୍ତି ଥିବା ଗୁପ୍ତଚର ମାମଲାରେ ଦୋଷୀ ପୁଲିସ ଅଧିକାରୀଙ୍କ ଭୂମିକାକୁ ନେଇ ଏକ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ସିବିଆଇକୁ ଦେବାକୁ ସୁପ୍ରିମକୋର୍ଟ ୨୦୨୧ ଏପ୍ରିଲ ୧୫ରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର