ସଂସଦରେ ଅଚେତ ହୋଇପଡ଼ିଲେ ସାଂସଦ ଫୁଲୋ ଦେବୀ: ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ସଂସଦ ଅଧିବେଶନର ୫ମ ଦିନ ଅର୍ଥାତ ଶୁକ୍ରବାର ରାଜ୍ୟସଭାର କଂଗ୍ରେସ ସାଂସଦ ଫୁଲୋ ଦେବୀ ନେତାମଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ସଂସଦ ଭିତରେ ନିଟ ପରୀକ୍ଷାରେ ହୋଇଥିବା ଅସୁବିଧାକୁ ନେଇ ସଂସଦରେ ଦୁଇପକ୍ଷ ମଧ୍ୟରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ସାଂସଦ ଫୁଲୋ ଦେବୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେ ଅଚେତ ହୋଇପଡ଼ିଥିଲେ।

ସଙ୍ଗେସଙ୍ଗେ ଫୁଲୋ ଦେବୀଙ୍କୁ ତାଙ୍କ ସାଥୀ ସାଂସଦମାନେ ସମ୍ଭାଳି ଆମ୍ବୁଲାନ୍ସରେ ବସାଇଥିଲେ। ସଂସଦ ପରିସରରେ ଫୁଲୋ ଦେବୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଗାଡ଼ିରେ ଆପର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ବି ବସିଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଫୁଲୋ ଦେବୀ ନେତାମ ଛତିଶଗଡ଼ର ବସ୍ତର ଅଞ୍ଚଳର କୋଣ୍ଡାଗ୍ରାମରେ ରହୁଥିବା କଂଗ୍ରେସର ରାଜ୍ୟସଭା ସାଂସଦ ରହିଛନ୍ତି। ଏଥିସହିତ ଫୁଲୋ ଦେବୀ ଛତିଶଗଡ଼ରେ ମହିଳା କଂଗ୍ରେସର ଅଧ୍ୟକ୍ଷା ରହିଛନ୍ତି। ୨୦୨୦ ସେପ୍ଟେମ୍ବର୧୪ରେ କଂଗ୍ରେସର ସଦସ୍ୟ ଭାବେ ଛତିଶଗଡ଼ରୁ ରାଜ୍ୟସଭା ପାଇଁ ତାଙ୍କୁ ବଛା ଯାଇଥିଲା।

ସମ୍ବନ୍ଧିତ ଖବର