ଚୀନ୍ ପାକିସ୍ତାନକୁ ନିଜ ଆଙ୍ଗୁଠିରେ ନଚାଉଛି! ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ସ୍ୱୀକାର କଲେ

ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଥମ ଥର ପାଇଁ ଚରମପନ୍ଥୀ ବିରୋଧୀ ସୈନ୍ୟ ଅପରେସନ ଆଜମ୍-ଏ-ଇତେହକାମରେ ଚୀନ୍‌ର ଚାପ ହୋଇଥିବା ସମ୍ପର୍କରେ କହିଛନ୍ତି। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଆସିଫ ସ୍ୱୀକାର କରିଛନ୍ତି ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର (ସିପିଇସି)କୁ ନେଇ ଚୀନ୍‌ର ସୁରକ୍ଷା ଚିନ୍ତା ରହିଛି। ଚୀନ୍ ଚାହୁଁଛି ଯେଉଁଠାରେ ସିପିଇସି ଅଧୀନରେ କାର୍ଯ୍ୟ ଚାଲିଛି ଏବଂ ଏହାର ନାଗରିକମାନେ ସେଠାରେ ଉପସ୍ଥିତ ଅଛନ୍ତି ସେହି କ୍ଷେତ୍ରରେ ସୁରକ୍ଷା ପରିସ୍ଥିତି ଭଲ ହେବା ଉଚିତ୍। ତେବେ ଏହି ଅଭିଯାନ ଆରମ୍ଭ କରିବାକୁ ଚୀନ୍‌ର କୌଣସି ଚାପ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆଫଗାନିସ୍ତାନ ଭିତରେ ସାମରିକ ଅପରେସନ୍ ଉପରେ ନିଜର ଉତ୍ତର ଦେଇଛନ୍ତି।

ଉଗ୍ରବାଦ ବିରୋଧୀ ଅଭିଯାନକୁ ନେଇ ଚୀନ୍‌ର ଚାପ ସମ୍ପର୍କରେ ଆସିଫ କହିଛନ୍ତି,ସେମାନଙ୍କଠାରୁ ନିଶ୍ଚିତ ଭାବରେ ଚାପ ଅଛି। କାରଣ ସେମାନେ ସେଠାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ସିପିଇସି-୨ ଲଞ୍ଚ କରିବାକୁ ଚାହୁଁଛନ୍ତି। ଏହି ବିଷୟରେ ସେମାନଙ୍କର ସୁରକ୍ଷା ଚିନ୍ତା ଅଛି। ଯେପର୍ଯ୍ୟନ୍ତ ଆମେ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଜାରି ରଖିବୁ, ସେମାନେ ଭଲ ଅନୁଭବ କରିବେ ଯେ ପାକିସ୍ତାନ ସୁରକ୍ଷିତ ଅଛି।

ନିକଟରେ ପାକିସ୍ତାନର ସେନା ଆଫଗାନିସ୍ତାନରେ ପ୍ରବେଶ କରି ଟିଟିପି ଲୁଚି ରହିଥିବା ଶିବିର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁ କାରଣରୁ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ସହ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଛି। ଆଫଗାନିସ୍ତାନ ଭିତରେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସେ କହିଛନ୍ତି, ନିଶ୍ଚିତ ଭାବରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ, କାରଣ ସେମାନଙ୍କ ଦେଶରୁ ଲୋକମାନେ ଆସୁଛନ୍ତି ଏବଂ ଆମ ଦେଶରେ ବିରୋଧୀ କାର୍ଯ୍ୟ କରୁଛନ୍ତି । ଆମେ ସେମାନଙ୍କୁ ଆଦର କରି ପିଠା ଏବଂ ପେଷ୍ଟ୍ରି ଖାଇବାକୁ ଦେଇ ପାରିବୁ ନାହିଁ । କାର୍ଯ୍ୟାନୁଷ୍ଠାନ ଆହୁରି ଜାରି ରହିବ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଆସିଫ ପାକିସ୍ତାନ ସଂସଦରେ ଏକ ମନ୍ତବ୍ୟ ଦେଇ କହିଥିଲେ, ଆଫଗାନିସ୍ତାନରୁ ଆତଙ୍କବାଦ ପାକିସ୍ତାନରେ ବ୍ୟାପିବାରେ ଲାଗିଛି। ସେ କହିଛନ୍ତି ଆଫଗାନିସ୍ତାନରେ ଆତଙ୍କବାଦୀ ଲୁଚି ରହିଥିବାର ପ୍ରମାଣ ଅଛି ଏବଂ ଆମ ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଶୋଧ ନେବାକୁ ଆମର ଅଧିକାର ଅଛି। ଏହା ଉପରେ ତାଲିବାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି ଅଭିଯୋଗ ନିରାଧାର ବୋଲି କହିଛି । ଫଳରେ ତାଲିବାନର ଏଭଳି ଜବାବ୍ ପରିସ୍ଥିତିକୁ ଆହୁରି ଖରାପ କରିଛି। ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଚେତାବନୀ ଦେଇଥିଲା ଯେ ପାକିସ୍ତାନକୁ କୌଣସି ପ୍ରକାର ଆକ୍ରମଣାତ୍ମକ କାର୍ଯ୍ୟର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ପ୍ରତିରକ୍ଷା ମନ୍ତ୍ରୀ ଆସିଫଙ୍କ ମନ୍ତବ୍ୟ ନେଇ ଅନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ହେଉଛି ଯେ, ଚୀନ୍ ପାକିସ୍ତାନକୁ ନିଜ ଆଙ୍ଗୁଠିରେ ନଚାଉଛି। ମାତ୍ର ପାକିସ୍ତାନ ଖୋଲାଖୋଲି ଭାବେ ଏନେଇ କୌଣସି ମନ୍ତବ୍ୟ ପ୍ରଦାନ କରିନାହିଁ।

ସମ୍ବନ୍ଧିତ ଖବର