ବ୍ୟକ୍ତି ମୃତ ବୋଲି ଚିନ୍ତା କରି ଭୁଲ୍‌ରେ ଶେଷକୃତ୍ୟ ବନ୍ଦୋବସ୍ତ କଲେ ପତ୍ନୀ; ଶେଷ ମୁହୂର୍ତ୍ତରେ ଖୋଲିଲା ପାଟି, ହଲିଲା ହାତ

ବେଜିଂ: ଜଣେ କର୍କଟ ରୋଗୀଙ୍କର ସୋମବାର ଶରୀର ଚାଳନା ବନ୍ଦ ହୋଇଯିବାରୁ ତାଙ୍କୁ ମୃତ ବୋଲି ଭାବି ତାଙ୍କ ପତ୍ନୀ ଭୁଲବଶତ ତାଙ୍କର ଶେଷକୃତ୍ୟ ପାଇଁ ପ୍ରସ୍ତୁତ ହୋଇଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପତ୍ନୀଙ୍କ କହିବା ମୁତବକ ପରିବାର ଲୋକ ବ୍ୟକ୍ତି ଜଣଙ୍କର ଶେଷକୃତ୍ୟ ପାଇଁ ବନ୍ଦୋବସ୍ତ କରିଥିଲେ। ମାତ୍ର ଶେଷ ସମୟରେ ହଠାତ୍‌ ବ୍ୟକ୍ତିଙ୍କର ପାଟି ଓ ହାତ ସାମାନ୍ୟ ଚାଲୁଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକ ସାହାଯ୍ୟ ପାଇଁ ତୁରନ୍ତ ହସ୍ପିଟାଲ୍‌କୁ ସୂଚନା ଦେଇଥିଲେ। ମାତ୍ର ହସ୍ପିଟାଲ୍‌ରୁ ଟିମ୍‌ ଆସି ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣକଙ୍କ ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ହୁଆଙ୍କ ସାଙ୍ଗିଆର ଏହି ବ୍ୟକ୍ତି ଜଣକ କର୍କଟ ରୋଗରେ ପୀଡ଼ିତ ବୋଲି ଗତ ସେପ୍ଟେମ୍ବରରେ ଜାଣିବାକୁ ମିଳିଥିଲା। ପରିବାର ଲୋକ ଚେଷ୍ଟା କରିଥିଲେ ବି ତାଙ୍କର ବଞ୍ଚି ରହିବା ଆଉ ସମ୍ଭବ ନୁହେଁ ବୋଲି ଡାକ୍ତର ମତ ଦେଇଥିଲେ। ଗତ ଫେବ୍ରୁଆରି ୨୭ ତାରିଖରେ ଡାକ୍ତର ରୋଗୀଙ୍କୁ ଡିସ୍‌ଚାର୍ଜ କରି ତାଙ୍କ ଘରକୁ ପଠାଇ ଦେଇଥିଲେ।

ସୋମବାର ସକାଳେ ହୁଆଙ୍ଗଙ୍କ ପତ୍ନୀ ଦେଖିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କର ସମସ୍ତ ଅଙ୍ଗଚାଳନା ବନ୍ଦ ହୋଇ ଯାଇଛି। ସେ ଯେତେବେଳେ ସକାଳୁ ନିଜ ସ୍ୱାମୀଙ୍କୁ ଉଠାଇବାକୁ ଗଲେ ସେ ଦେଖିଲେ ଯେ ତାଙ୍କ ସ୍ୱାମୀ ଆଉ ନିଶ୍ୱାସ ନେଇ ପାରୁନାହାନ୍ତି। ସେ ଭାବିନେଲେ ଯେ ତାଙ୍କ ସ୍ୱାମୀ ଶୋଇଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ନିରୁପାୟ ପତ୍ନୀ ସ୍ୱାମୀଙ୍କର ଶେଷ କୃତ୍ୟ ପାଇଁ ବନ୍ଦୋବସ୍ତରେ ଲାଗିପଡ଼ିଲେ। ମାତ୍ର ଶେଷ ସମୟରେ ଉପସ୍ଥିତ ଥିବା ଲୋକ ଦେଖିବାକୁ ପାଇଲେ ଯେ ବ୍ୟକ୍ତି ଜଣକ ସାମାନ୍ୟ ପାଟି ପାକୁପାକୁ କରିବା ସହ ହାତ ହଲାଉଛନ୍ତି। ସେମାନେ ଡାକ୍ତରଖାନକୁ ସୂଚନା ଦେବାରୁ ଏକ ଡାକ୍ତରୀ ଟିମ୍‌ ଆସି ସେଠାରେ ପହଞ୍ଚିଥିଲେ। ମାତ୍ର ଡାକ୍ତରୀ ଟିମ୍‌ ପହଞ୍ଚିବା ବେଳକୁ ବ୍ୟକ୍ତି ଜଣକ ଶେଷ ନିଶ୍ୱାସ ତ୍ୟାଗ କରି ସାରିଥିଲେ।

ସମ୍ବନ୍ଧିତ ଖବର