ହିନ୍ଦୁମାନଙ୍କୁ ବଦନାମ କରିବାକୁ ଯୋଜନାବଦ୍ଧଭାବେ ମିଥ୍ୟା ପ୍ରଚାର କରାଯାଉଛି : ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଦେଇଥିବା ହିନ୍ଦୁ ବିରୋଧୀ ମନ୍ତବ୍ୟର ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାରେ ସେ କହିଛନ୍ତି ଯେ ଅତ୍ୟନ୍ତ ଯୋଜନାବଦ୍ଧଭାବେ କଂଗ୍ରେସ ଓ ତାହାର ସହଯୋଗୀ ଦଳମାନେ ହିନ୍ଦୁମାନଙ୍କ ବିରୋଧରେ ଚକ୍ରାନ୍ତ କରୁଛନ୍ତି ।

ସେ କହିଛନ୍ତି, “୧୩୧ ବର୍ଷ ପୂର୍ବେ ଶିକାଗୋରେ ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ସହିଷ୍ଣୁତା ଶିଖାଇଥିବା ଏକ ଧର୍ମର ହୋଇଥିବାରୁ ମୁଁ ଗର୍ବିତ। ହିନ୍ଦୁମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ଏହା ଏକ ଗମ୍ଭୀର ବିଷୟ । ହିନ୍ଦୁମାନେ ହିଂସାତ୍ମକ ବୋଲି କହିବା ଆପଣଙ୍କ ସଂସ୍କୃତି। ଏହି ଦେଶ କେବେ ବି ଭୁଲିପାରିବ ନାହିଁ ।“

ଲୋକସଭାରେ ହଙ୍ଗାମା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଭୁଲ ଉଦ୍ଦେଶ୍ୟ ରେ ଦେଶରେ ମିଛ ପ୍ରଚାର କରୁଛି, ଯାହାକୁ ଗମ୍ଭୀରତାର ସହ ନିଆଯିବା ଉଚିତ କାରଣ ସେମାନଙ୍କ ଉଦ୍ଦେଶ୍ୟ ଠିକ୍ ନୁହେଁ । ପରେ ସେମାନେ ହଙ୍ଗାମା କରି ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏହା ଉପରେ ପଦକ୍ଷେପ ନିଆଯିବା ର ଆବଶ୍ୟକତା ରହିଛି। ଏହାକୁ ବାଳକ ବୁଦ୍ଧି କହି ଆଉ ଅଣଦେଖା କରାଯାଇପାରିବ ନାହିଁ।

ଭାରତୀୟ ସେନାକୁ ଆଧୁନିକ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ସିଡିଏସ୍ ବ୍ୟବସ୍ଥା ଲାଗୁ ହେବା ପରେ ଏବେ ଥିଏଟର କମାଣ୍ଡ ନିର୍ମାଣ ପାଇଁ କାର୍ଯ୍ୟ କରାଯାଉଛି । ଭାରତୀୟ ସେନାକୁ ଅତ୍ୟାଧୁନିକ ଟେକନଲୋଜୀରେ ସଜ୍ଜିତ କରାଯାଉଛି । କିନ୍ତୁ କଂଗ୍ରେସ ଭାରତୀୟ ସେନାକୁ ସବୁଦିନ ପାଇଁ ଦୁର୍ବଳ ରଖିବାକୁ ଉଦ୍ୟମ ଚଳାଉଛି । ସବୁବେଳେ ସେନା ବିରୋଧରେ ମିଥ୍ୟା ପ୍ରଚାର କରୁଛି ।

ନିଟ୍ ପ୍ରଶ୍ନପତ୍ର ଲିକ ମାମଲାରେ ସେ କହିଛନ୍ତି ଯେ ସରକାର ଏହାକୁ ନେଇ ଗମ୍ଭୀର ଅଛନ୍ତି ଓ ଏପରି ଘଟଣାକୁ ରୋକିବାକୁ ଉଦ୍ୟମ କରୁଛନ୍ତି । ଏହି ମାମଲାର ଦୋଷୀମାନଙ୍କୁ ଗିରଫ କରାଯାଉଛି । ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକମାନଙ୍କ କ୍ଷମା କରିବେ ନାହିଁ ।

 

ସମ୍ବନ୍ଧିତ ଖବର