ଦିଲ୍ଲୀ ମଦନୀତି ମାମଲା : ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ୍ ନେତ୍ରୀ କେ.କବିତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। କେ. କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟର ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କବିତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଶୁଣାଣି ବେଳେ ଇଡି ଓ ସିବିଆଇ ପକ୍ଷରୁ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା । ଏହା ପୂର୍ବରୁ ଗତ ମେ ୨୮ରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ଶର୍ମା ରାୟ ସଂରକ୍ଷିତ ରଖିଥିଲେ।

ଶୁଣାଣି ସମୟରେ ସିବିଆଇ ଓ ଇଡି କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି କହିଥିଲେ ଯେ ଏହି ଦୁର୍ନୀତି ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତେଲେଙ୍ଗାନାର ବିଆରଏସ ଏବଂ ଏମଏଲସିରେ ଜଣେ ସକ୍ରିୟ ନେତ୍ରୀ ଭାବରେ ସେ ‘ଦୁର୍ବଳ’ ମହିଳାଙ୍କ ସହ ସମାନତା ଦାବି କରିପାରିବେ ନାହିଁ । ଏଜେନ୍ସି ତାଙ୍କ ଆବେଦନରେ ଏହା ମଧ୍ୟ କହିଛି ଯେ ଜାମିନରେ ଥିବା ବେଳେ ତାଙ୍କ ପ୍ରଭାବଶାଳୀ ସ୍ଥିତି ଯୋଗୁଁ ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରେ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନର ପଚରାଉଚରା ପରେ କବିତାଙ୍କୁ ଇଡି ତାଙ୍କ ବାପା ଚନ୍ଦ୍ରଶେଖର ରାଓଙ୍କ ହାଇଦ୍ରାବାଦସ୍ଥିତ ବାସଭବନରୁ ଗତ ମାର୍ଚ୍ଚ ୧୫ରେ ଗିରଫ କରିଥିଲା।

 

ସମ୍ବନ୍ଧିତ ଖବର