ଦିଲ୍ଲୀ ବର୍ଷା: ୪ ଶିଶୁଙ୍କ ସମେତ ୧୧ ମୃତ

ନୂଆଦିଲ୍ଲୀ: ୮୮ ବର୍ଷର ରେକର୍ଡଭଙ୍ଗା ପ୍ରଳୟଙ୍କରୀ ବର୍ଷାର ଦିନକ ପରେ ଶନିବାର ଦିଲ୍ଲୀରେ ହାଲୁକା ବର୍ଷା ହୋଇଛି। ରାଜଧାନୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି ଯେ ଆସନ୍ତା ୫ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଜୁଲାଇ ୧ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାରୁ ସହରର ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଜାରି ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଜୁଳିକାଟ ହୋଇଛି। ଦିଲ୍ଲୀରେ ବର୍ଷାଜନିତ ବିଭିନ୍ନ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ସେମାନେ ବର୍ଷାପାଣି ଭର୍ତ୍ତି ଖାଲରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା ପରେ ଚନ୍ଦ୍ରଵାଲ ଡବ୍ଲୁଡବ୍ଲ୍ୟୁ-୨ ପମ୍ପ ହାଉସରେ ତ୍ରୁଟି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ପ୍ରଭାବିତ ହୋଇଛି। ଗତକାଲି ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ କ୍ୟାନୋପିର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ଆବାସିକ ଅଞ୍ଚଳରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଆବାସିକ ଅଂଚଳରେ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବା ପାଇଁ ଅଣ୍ଟାଏ ପାଣି ଦେଇ ଯିବାକୁ ପଡୁଛି। ଜଳବନ୍ଦୀ ସ୍ଥିତି ଉପରେ ନଜର ରଖିବା ପାଇଁ ଦିଲ୍ଲୀ ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିଛନ୍ତି ବୋଲି ମନ୍ତ୍ରୀ ସୌରଭ ଭରଦ୍ୱାଜ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର