ସମରାଭ୍ୟାସ ବେଳେ ଭାସିଗଲା ଟ୍ୟାଙ୍କ୍‌, ୫ ଯବାନ ସହିଦ

ନୂଆଦିଲ୍ଲୀ: ଶୁକ୍ରବାର ରାତି‌ରେ ଚୀନ ସୀମା ପୂର୍ବ ଲଦାଖରେ ଏକ ବଡ଼ ଅଘଟଣ ଘଟିଯାଇଛି। ଭାରତୀୟ ସେନାର ଏକ ଟ୍ୟାଙ୍କ୍‌ ସମରାଭ୍ୟାସ ଚାଲିଥିବା‌ ବେଳେ ୫ ଜଣ ଯବାନ ନଦୀରେ ଭାସି ଯାଇ ସହିଦ ହୋଇଛନ୍ତି। ‌ ସମରାଭ୍ୟାସରେ ସାମିଲ କରାଯାଇଥିବା ଏକ ରୁଷ୍‌ ନିର୍ମିତ ଟି-୭୨ ଟ୍ୟାଙ୍କ୍‌ରେ ସସେର ବ୍ରାଙ୍ଗ୍‌ସା ନିକଟସ୍ଥ ଶ୍ୟୋକ ନଦୀ ପାର ହେଉଥିବା ବେଳେ ହଠାତ୍‌ ଜଳସ୍ତର ବଢ଼ିଯିବାରୁ ଟ୍ୟାଙ୍କ୍‌ ଭାସି ଯାଇଥିଲା। ଯବାନମାନଙ୍କୁ ଉଦ୍ଧାର କରିବାପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ନଦୀର ଅତି ପ୍ରଖର ସ୍ରୋତ କାଳ ସାଜିଥିଲା। ତୁରନ୍ତ ଉଦ୍ଧାର ସମ୍ଭବ ହୋଇପାରିନଥିବାରୁ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ସହିଦ ଯବାନଙ୍କ ମଧ୍ୟ‌ରେ ଜଣେ ଜେସିଓ ଅଛନ୍ତି। ସେମାନେ ୫୨ ଆରମୋର୍‌ଡ ରେଜିମେଣ୍ଟ୍‌ର ବୋଲି ସେନା ସୂତ୍ରରୁ ଜଣାପଡ଼ିଛି।

ଏହି ଯବାନମାନେ ଚୀନ୍‌ ସୀମ‌ା ସଂଲଗ୍ନ ଏଲ୍‌ଏସି ନିକଟସ୍ଥ ଦୌଲତ ବେଗ ଓଲ୍ଡି ଅଞ୍ଚଳ ତଥା ଉତ୍ତର ସାମରିକ ଘା‌ଟିରେ ମୁତୟନ ହୋଇଥିଲେ। ମିଳିଥିବା ସୂଚନାନୁଯାୟୀ ଯବାନମାନେ ଆଜି ଭୋର ପ୍ରାୟ ୩ଟା ସମୟରେ ରୁଟିନ୍‌ ସମରାଭ୍ୟାସରେ ବାହାରିଥିଲେ। ସେମାନେ ଲେହଠାରୁ ୧୪୮ କିମି ଦୂର ଶ୍ୟୋକ ନଦୀ ଅତିକ୍ରମ କରୁଥିବା ବେଳେ ହଠାତ ନଦୀର ଜଳସ୍ତର ବଢ଼ି ଯାଇଥିଲା। ଫଳରେ ଟ୍ୟାଙ୍କ୍‌ ଏବଂ ଏଥିରେ ଥିବା ଯବାନମାନେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉକ୍ତ ଘଟଣା‌ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦେଶ ମଧ୍ୟ ସେମାନଙ୍କ ସେବା, ସମର୍ପଣ ଏବଂ ତ୍ୟାଗକୁ ସବୁବେଳେ ମନେ ରଖିବ ବୋଲି ରାଜନାଥ ଏକ୍ସରେ ଏକ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର