‘ଦଣ୍ଡ ନୁହେଁ, ନ୍ୟାୟ’ ବ୍ରିଟିସ ଆଇନର ଯୁଗ ଶେଷ: ଶାହ

ନୂଆଦିଲ୍ଲୀ: ଦେଶରେ ଆଜିଠାରୁ ଲାଗୁ ହୋଇଥିବା ନୂତନ ଆପରାଧିକ ଆଇନ ଭାରତରେ ବ୍ରିଟିସ ଆଇନର ଯୁଗକୁ ଶେଷ କରିଛି। ଏଥିସହିତ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ‘ସମ୍ପୂର୍ଣ୍ଣ ସ୍ୱଦେଶୀ’ରେ ପରିଣତ କରିଛି। ଏହି ଆଇନଗୁଡ଼ିକ ଆମ ସମ୍ବିଧାନର ଭାବନା ଅନୁଯାୟୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ମହିଳା ଓ ଶିଶୁଙ୍କୁ ପ୍ରାଥମିକତା ଦେଉଥିବା ନୂଆ ଆପରାଧିକ ଆଇନ ଦ୍ୱାରା ଅନେକ ଗୋଷ୍ଠୀ ଉପକୃତ ହେବେ। ‘ଦଣ୍ଡ’ ପରିବର୍ତ୍ତେ ‘ନ୍ୟାୟ’ ଏବଂ ବିଳମ୍ବ ପରିବର୍ତ୍ତେ ଶୀଘ୍ର ବିଚାର ଓ ଶୀଘ୍ର ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ପୂର୍ବରୁ କେବଳ ପୁଲିସର ଅଧିକାରକୁ ସୁରକ୍ଷିତ ରଖାଯାଉଥିଲା, କିନ୍ତୁ ଏବେ ପୀଡ଼ିତ ଓ ଅଭିଯୋଗକାରୀଙ୍କ ଅଧିକାର ମଧ୍ୟ ସୁରକ୍ଷିତ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶାହ କହିଛନ୍ତି। ଏବେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ହେବ।

କ୍ରିମିନାଲ ପ୍ରୋସିଜର କୋଡ୍ (ସିଆର୍‌ପିସି) ପରିବର୍ତ୍ତେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ହେବ। ଭାରତୀୟ ପ୍ରମାଣ ଆଇନ ପରିବର୍ତ୍ତେ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ) ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି। ବିତର୍କ କରା ନଯାଇ ନୂଆ ଆପରାଧିକ ଆଇନକୁ କାର୍ଯ୍ୟକାରୀ କରାଯାଇଛି ବୋଲି ବିରୋଧୀ କରିଥିବା ଅଭିଯୋଗକୁ ଶ୍ରୀ ଶାହ ଖଣ୍ଡନ କରିଛନ୍ତି। ଏହି ଆଇନ ଉପରେ ଲୋକସଭାରେ ୩୦ ଘଣ୍ଟା ଆଲୋଚନା ହୋଇଛି ଏବଂ ୩୪ ଜଣ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ସେହିଭଳି ସ୍ବାଧୀନ ଭାରତ ଇତିହାସରେ କୌଣସି ଆଇନ ପାଇଁ ଏତେ ସମୟ ଆଲୋଚନା ହୋଇନାହିଁ ବୋଲି ସେ ମତ ଦେଇଛନ୍ତି। ସେ ନିଜେ ଏଥିପାଇଁ ୧୧୮ଥର ଉକ୍ତ ଆଲୋଚନାର ବୈଠକରେ ଯୋଗଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି, ହାଇକୋର୍ଟଗୁଡ଼ିକର ପ୍ରଧାନବିଚାରପତି, ଜିଲ୍ଲାପାଳ, ଏସ୍‌ପି ମାନଙ୍କର ମତାମତ ମଧ୍ୟ ଏହି ଆଇନ ପ୍ରସ୍ତୁତି ସମୟରେ ନିଆଯାଇଛି। ସ୍ବାଧୀନତାର ୭୭ ବର୍ଷ ପରେ ନୂଆ ଆପରାଧିକ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ହୋଇଛି।

ନୂଆ ଆଇନରେ ରିମାଣ୍ଡ ଅବଧିରେ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯାଇନାହିଁ। ପୂର୍ବପରି ରିମାଣ୍ଡ ଅବଧି ୧୫ ଦିନ ରଖାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଆସନ୍ତା ୩ରୁ ୪ ବର୍ଷ ଭିତରେ ଉକ୍ତ ଆଇନରେ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ପାଇବ। ଏତଲା ପଞ୍ଜୀକରଣ ଠାରୁ ଆରମ୍ଭ କରି ନ୍ୟାୟ ପ୍ରଦାନ ଆଦି ପ୍ରଯୁକ୍ତି ଦ୍ବାରା ପରିଚାଳିତ ହେବ ବୋଲି ସେ କହିଛନ୍ତି। ତେବେ ନୂଆ ଆଇନର ହିନ୍ଦୀ ନାମକରଣକୁ ବିରୋଧ କରି କେରଳ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ନୂଆ ଆଇନର ହିନ୍ଦୀ ନାମକରଣ ହୋଇଥିବାରୁ ଦକ୍ଷିଣ ଭାରତର ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର