ଗୁଜୁରାଟ ନିର୍ବାଚନ: ଭାଇ-ଭାଇ, ବାପ-ପୁଅ, ନଣନ୍ଦ-ଭାଉଜଙ୍କ ମଧ୍ୟରେ ଲଢେଇ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୧ ଏବଂ ୫ ଡିସେମ୍ବରରେ ମତଦାନ ଅନୁଷ୍ଠିତ ହେବ | ଏହା ପରେ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମରେ କଏଦ ହୋଇଯିବ । ଆଉ ଗୁଜୁରାଟ ବିଧାନସଭାର ଫଳାଫଳ ଡିସେମ୍ବର ୮ରେ ଜଣାପଡ଼ିଯିବ | ତେବେ ବର୍ତ୍ତମାନ ଗୁଜୁରାଟ ନିର୍ବାଚନ ଏମିତି ଏକ ରୋଚକ ମୋଡରେ ପହଂଚିଛି ଯେଉଁଥିରେ ଭାଇ ବିରୋଧରେ ଭାଇ, ଭାଉଜ ବିରୋଧରେ ନଣନ୍ଦ ଓ ବାପା ବିରୋଧରେ ପୁଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି | ଏହିପରି ଗୋଟିଏ ଆସନ ହେଉଛି ଭାରୁଚ ଜିଲ୍ଲାର ଅଙ୍କଲେଶ୍ୱର | ଏହି ଆସନ ବିଜେପିର ଏକ ଗଡ଼ ଭାବେ ବିବେଚନା ହୋଇଥିବାବେଳେ କିନ୍ତୁ କଂଗ୍ରେସ ଏହି ଲଢେଇକୁ ରୋଚକ କରିଦେଇଛି | ବାସ୍ତବରେ ବିଜେପି ଏହାର ବିଧାୟକ ଥିବା ଇଶ୍ୱର ସିଂ ପଟେଲଙ୍କୁ ଟିକେଟ୍ ଦେଇଥିବାବେଳେ କଂଗ୍ରେସ ବିଧାୟକଙ୍କ ସାନଭାଇ ବିଜୟ ସିଂ ପଟେଲଙ୍କୁ ଟିକେଟ ଦେଇଛି ।

ବର୍ତ୍ତମାନ ଦୁଇ ଭାଇ ମଇଦାନକୁ ଓହ୍ଲାଇଛନ୍ତି | ସେହିପରି ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ସୋଲାଙ୍କିଙ୍କୁ ଜାମନଗର ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ କରିଛି । କିନ୍ତୁ ରିବାବାଙ୍କ ନଣନ୍ଦ ତଥା ଜାଡେଜାଙ୍କ ବଡ଼ ଭଉଣୀ ନେନା ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଦୀପେନ୍ଦ୍ର ସିଂ ଜାଡେଜାଙ୍କ ସମର୍ଥନରେ ଖୋଲାଖୋଲି ଭୋଟ୍ ମାଗୁଛନ୍ତି। ବାସ୍ତବରେ ନେନା ଗୁଜରାଟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଥିବାବେଳେ ଜାମନଗରରେ ତାଙ୍କର ଭଲ ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ ଭାଉଜ ଓ ନଣନ୍ଦଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ହୋଇଛି।

ଅନ୍ୟପକ୍ଷରେ ସୁରଟ ଜିଲ୍ଲାର ଝଗଦିଆ ବିଧାନସଭା ଆସନରେ ପିତା ଏବଂ ପୁଅଙ୍କ ମଧ୍ୟରେ ଏକ ରୋମାଞ୍ଚକର ଲଢେଇ ହେବାକୁ ଯାଉଛି । ଏହି ରାଜନୈତିକ ଯୁଦ୍ଧ ଭାରତୀୟ ଟ୍ରାଇବାଲ ପାର୍ଟି ମୁଖ୍ୟ ଛୋଟୁ ଭାଇ ବସାଭା ଏବଂ ତାଙ୍କ ପୁଅ ମହେଶ ବସାଭାଙ୍କ ମଧ୍ୟରେ ହେବ | ମହେଶ ଜନତା ଦଳ (ୟୁ)ରୁ ପ୍ରାର୍ଥୀ ହୋଇଥିବାବେଳେ ଝଗଡିଆ ସିଟରେ ପିତା ଏବଂ ପୁଅଙ୍କ ମଧ୍ୟରେ ହେବାକୁ ଥିବା ଏହି ଲଢେଇ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ସମ୍ବନ୍ଧିତ ଖବର