ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଓ ବିସ୍ଫୋରଣ: ପୋଡ଼ିଗଲା ୨୫ରୁ ଊର୍ଦ୍ଧ୍ବ ମଟର ବୋଟ୍‌

ବିଶାଖାପାଟଣା: ରବିବାର ରାତି ପ୍ରାୟ ୧୧.୩୦ରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଭାଇଜାଗ୍‌ ମାଛଧରା ବନ୍ଦରରେ ନଙ୍ଗର ପକାଇଥିବା ୨୫ରୁ ଊର୍ଦ୍ଧ୍ବ ମଟର ଚାଳିତ ବୋଟ୍‌ ପୋଡ଼ି ଯାଇଥିବା କଥା ପୁଲିସ କହିଛି।

ମତ୍ସ୍ୟଜୀବୀ ଓ ସ୍ଥାନୀୟ ପୁଲିସ କହିଛନ୍ତି ଯେ, ପ୍ରଥମେ ଗୋଟିଏ ବୋଟ୍‌ରୁ ଜଳିଥିବା ଏହି ନିଆଁ ସଙ୍ଗେ ସଙ୍ଗେ ଆଖପାଖରେ ନଙ୍ଗର ପକାଇଥିବା ଅନ୍ୟାନ୍ୟ ବୋଟ୍‌କୁ ବ୍ୟପିଯାଇଥିଲା।

ନିଆଁ ଲାଗିବା ପରେ ବୋଟ୍‌ରେ ଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ଗୁଡ଼ିକ ପ୍ରଚଣ୍ଡ ଶବ୍ଦ କରି ଫାଟିବାରୁ ସେ ଅଞ୍ଚଳରେ ବଡ଼ ଆତଙ୍କଜନକ ଅବସ୍ଥା ସୃଷ୍ଟି ହୋଇଥିଲା।

Image Courtesy of NDTV

କିନ୍ତୁ, ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ନିଆଁ ଲିଭାଯିବା ପରେ ଯାଇ ନିଆଁ ଲାଗିବାର କାରଣ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରାଯିବ ବୋଲି ପୁଲିସ ଓ ଅଗ୍ନିଶମ ଅଧିକାରୀମାନେ କହିଛନ୍ତି।

ଆଇନ-ଶୃଙ୍ଖଳା ବିଭାଗର ଡେପୁଟି ପୁଲିସ କମିସନର୍‌ କେ. ଆନନ୍ଦ ରେଡ୍ଡୀ କହିଛନ୍ତି ଯେ, ନିଆଁ ଲିଭାଇବା ନିମନ୍ତେ ୪ରୁ ଅଧିକ ଦମକଳ ନିୟୋଜନ କରାଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।

ଧୀବରମାନେ କହିଛନ୍ତି ଯେ, ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୪୦ଟି ମାଛମରା ବୋଟ୍‌ ନଷ୍ଟ ହୋଇଯାଇଛି। ପ୍ରତି ବୋଟ୍‌ର ମୂଲ୍ୟ ଅନ୍ୟୂନ ୪୦ ଲକ୍ଷ ଟଙ୍କା।

ଧୀବର ବା ମତ୍ସ୍ୟଜୀବୀ ସମ୍ପ୍ରଦାୟର ନେତାମାନେ କହିଛନ୍ତି, କେହି ଦୁର୍ବୃତ୍ତ ଗୋଟାଏ ବୋଟ୍‌ରେ ନିଆଁ ଲଗାଇ ଦେଇଥିବା କଥା ସେମାନଙ୍କର ‌ସନ୍ଦେହ ହେଉଛି।

ସମ୍ବନ୍ଧିତ ଖବର