ଆଇଏଏସ୍ ଆଶାୟୀଙ୍କୁ କାଫେ ଡେଟ୍ ମହଙ୍ଗା ପଡ଼ିଲା: ୧.୨ ଲକ୍ଷ ଟଙ୍କା ଠକେଇର ଶିକାର

ନୂଆଦିଲ୍ଲୀ: ଜଣେ ସିଭିଲ ସର୍ଭିସ ଆଶାୟୀ ଏକ ଡେଟିଂ ଆପ୍‌ ‘ଟିଣ୍ଡର’ ମାଧ୍ୟମରେ ତଥାକଥିତ ପ୍ରେମିକା ସହ କାଫେ ଡେଟ୍‌ରେ ଯାଇ ଏକ ଯୋଜନାବଦ୍ଧ ଠକେଇର ଶିକାର ହୋଇଛନ୍ତି। ରବିବାର ପୂର୍ବଦିଲ୍ଲୀର ବିକାଶ ମାର୍ଗ ଅଞ୍ଚଳରେ ଥିବା ବ୍ଲାକ୍ ମିରର କାଫେରେ ଏହି ଘଟଣା ଘଟିଛି। କାଫେରେ ସେମାନେ ଜଳଖିଆ, ଦୁଇଟି କେକ୍ ଏବଂ ୪ଟି ମୃଦୁ ପାନୀୟ ମଗାଇଥିଲେ। ପାରିବାରିକ ଜରୁରୀ ସମସ୍ୟା ଦର୍ଶାଇ ପ୍ରେମିକା ହଠାତ୍ ଚାଲିଯିବା ପରେ ସନ୍ଧ୍ୟାରେ ମୋଡ଼ ବଦଳିଯାଇଥିଲା। ଯୁବକ ଜଣକ ୧,୨୧,୯୧୭ ଟଙ୍କାର ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯାହା ଅର୍ଡର ହୋଇଥିବା ସାମଗ୍ରୀର ମୂଲ୍ୟଠାରୁ ବହୁତ ଅଧିକ।

ବିଲ୍‌କୁ ବିରୋଧ କରିବା ସତ୍ତ୍ୱେ ତାଙ୍କୁ ଏକ କ୍ୟାବିନରେ ବନ୍ଦୀ କରି ମାଡ଼ ମରାଯାଇ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। କାଫେର ଅନ୍ୟତମ ମାଲିକ ଅକ୍ଷୟ ପାହୱାଙ୍କୁ ସେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିଥିଲେ। ମୁକୁଳିବା ପରେ ଯୁବକ ଜଣକ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଇନ୍ସପେକ୍ଟର ସଞ୍ଜୟ ଗୁପ୍ତାଙ୍କ ନେତୃତ୍ୱରେ ଏକ ୪ ଜଣିଆ ପୁଲିସ ଟିମ୍ ତଦନ୍ତ କରିଥିଲେ। ପଚରାଉଚରା ବେଳେ ପାହୱା ପ୍ରକାଶ କରିଛନ୍ତି ଯେ ବ୍ଲାକ୍ ମିରର କାଫେର ତିନିଜଣ ମାଲିକ ଅଛନ୍ତି। ଦିଗ୍ରାଂଶୁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏହି କାଫେରେ ଅନେକ ‘ଟେବୁଲ ମ୍ୟାନେଜର’ ବି ଅଛନ୍ତି।

ଆଇଏଏସ୍‌ ଆଶାୟୀ ଯୁବକଙ୍କୁ ଉକ୍ତ ୨୫ ବର୍ଷୀୟା ଯୁବତୀ ନିଜକୁ ଅଫସାନ ପରବୀନ ବୋଲି ପରିଚୟ ଦେଇଥିଲେ, ଯିଏ ଆୟେଶା ଓ ନୂର୍‌ ନାମ ମଧ୍ୟ ବ୍ୟବହାର କରନ୍ତି। ଅଫସାନ ପରବୀନ ଚାକିରି ଖୋଜୁ ଖୋଜୁ ଏପରି କଳାଧନ୍ଦାକୁ ଆପଣେଇ ନେଇଛନ୍ତି। ଟିଣ୍ଡର, ବମ୍ବଲ, ଶାଦି ଡଟ୍ କମ୍ ଭଳି ଡେଟିଂ ପ୍ଲାଟଫର୍ମରେ ପ୍ରେମିକା ଖୋଜୁଥିବା ପୁରୁଷମାନଙ୍କୁ ସେ ଅଜଣା କାଫେକୁ ପ୍ରଲୋଭିତ କରି ହଠାତ୍ ଅନ୍ତର୍ଧାନ ହୋଇଯାନ୍ତି। ସାମାନ୍ୟ ଜଳଯୋଗ ସତ୍ତ୍ବେ ଏହି ଯୋଜନାରେ ସାମିଲ ଥିବା କାଫେ ମ୍ୟାନେଜମେଣ୍ଟ ପକ୍ଷରୁ ଅତ୍ୟଧିକ ବିଲ୍ ପୈଠ କରିବାକୁ ବାଧ୍ୟ କରାଯାଇଥାଏ।
ଗିରଫ ହେବା ପରେ ପରବୀନ ଏହିପରି ଅନେକ ଯୁବକଙ୍କୁ କାଫେ ମାଲିକଙ୍କ ସହଯୋଗରେ ଠକିଥିବା ଜଣାପଡ଼ିଛି।

ଏହି ଠକେଇ ମାଧ୍ୟମରେ ଆଦାୟ ହୋଇଥିବା ଅର୍ଥର ୧୫ ପ୍ରତିଶତ ପରବୀନଙ୍କୁ ମିଳିଥିବା ବେଳେ ୪୫ ପ୍ରତିଶତ ଟେବୁଲ ଓ କାଫେ ମ୍ୟାନେଜରଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଅବଶିଷ୍ଟ ୪୦ ପ୍ରତିଶତ କାଫେ ମାଲିକଙ୍କ ପାଖକୁ ଯାଇଥିଲା। ଦିଲ୍ଲୀ-ଏନ୍‌ସିଆର୍‌, ମୁମ୍ବାଇ, ବାଙ୍ଗାଲୋର ଓ ହାଇଦ୍ରାବାଦ ଭଳି ପ୍ରମୁଖ ମେଟ୍ରୋ ସହରରେ ମଧ୍ୟ ସମାନ ଧନ୍ଦା ଚାଲିଥିବା ଜଣାପଡ଼ିଛି। ପୁଲିସ ପରବୀନ ଓ ପାହୱାଙ୍କୁ ଗିରଫ କରିବା ସହ ସେମାନଙ୍କ ଫୋନ୍ ଓ କାଫେ ରେଜିଷ୍ଟର ଜବତ କରିଛି। ଅନ୍ୟ ସଂପୃକ୍ତ ପକ୍ଷଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର