ଇସ୍ରାଏଲ-ହିଜବୁଲ ଲଢ଼େଇ ବଢ଼ିଲା: ଆଉ ଏକ ନୂଆ ଯୁଦ୍ଧ ସମ୍ପର୍କରେ ଆମେରିକାର ଚେତାବନୀ

ୱାଶିଂଟନ: ପୃଥିବୀ ପୂର୍ବରୁ ଦୁଇଟି ଯୁଦ୍ଧ ସହିତ ସଂଘର୍ଷ କରୁଛି, ଏବେ ଆଉ ଏକ ବିବାଦର ଆରମ୍ଭ ଅର୍ନ୍ତଜାତୀୟସ୍ତରରେ ଚିନ୍ତା ବଢ଼ାଇଦେଇଛି। ବାସ୍ତବରେ ଇସ୍ରାଏଲ ଏବଂ ହିଜବୁଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଉଭୟ ପାର୍ଶ୍ୱରୁ ଆକ୍ରମଣ ବୃଦ୍ଧି ପାଇଛି ଏବଂ ଭୟ ରହିଛି ଉଭୟ ପକ୍ଷ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିପାରନ୍ତି।

ଯଦି ଏହା ଘଟେ, ମଧ୍ୟ-ପୂର୍ବରେ ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ରହିଛି। ଏହା ସାରା ବିଶ୍ୱରେ ଏକ ଚିନ୍ତାର ବିଷୟ ପାଲଟିଛି। ପରିସ୍ଥିତିକୁ ଦେଖି ଆମେରିକା ମଧ୍ୟ ଇସ୍ରାଏଲର ସମର୍ଥନରେ ନିଜର ଯୁଦ୍ଧ ଜାହାଜକୁ ଭୂମଧ୍ୟ ସାଗରକୁ ପଠାଇଛି।

ସୂଚନାଯୋଗ୍ୟ, ଇରାନ ସମର୍ଥିତ ହିଜବୁଲ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭରୁ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି। ଏହି ଆକ୍ରମଣ ନେଇ ଇସ୍ରାଏଲ ମଧ୍ୟ ନିଜର ପାଲଟା ଜବାବ ଦେଇଛି। ତେବେ ଗତ କିଛି ଦିନ ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ବୃଦ୍ଧି ପାଇଛି।

ପ୍ରକୃତରେ, ଇସ୍ରାଏଲ୍ ଆକ୍ରମଣରେ ଜଣେ ବରିଷ୍ଠ ହିଜବୁଲ କମାଣ୍ଡରଙ୍କ ମୃତ୍ୟୁ ପରେ ହିଜବୁଲ ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ବହୁ ସଂଖ୍ୟକ ରକେଟ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ହମାସ ବିରୋଧରେ ଅଭିଯାନ ଶେଷ ହେବା ପରେ ଲେବାନନରେ ହିଜବୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଇସ୍ରାଏଲ ସୂଚିତ କରିଛି।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ପ୍ରୟାସ କେବଳ କଥାବାର୍ତ୍ତା ମଧ୍ୟ ଅଟକି ରହିଛି। ଆଶା କରାଯାଉଥିଲା ଶାନ୍ତି କଥାବାର୍ତ୍ତା ଇସ୍ରାଏଲ ଏବଂ ହିଜବୁଲ ମଧ୍ୟରେ ଶାନ୍ତି ଆଣିବ। କିନ୍ତୁ ଆଲୋଚନା ସ୍ଥଗିତ ଥିବାରୁ କ୍ରମାଗତ ଭାବେ ଉତ୍ତେଜନା ବୃଦ୍ଧି ପାଉଛି। ଆମେରିକା ଏବଂ ୟୁରୋପୀୟ ଦେଶ ହିଜବୁଲକୁ ଚେତାବନୀ ଦେଇଛନ୍ତି ଯେ ଯଦି ହିଜବୁଲ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରେ, ତେବେ ଏହାର ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ।

ହିଜବୁଲକୁ ହମାସ ଠାରୁ ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ, କିନ୍ତୁ ଆମେରିକା ହିଜବୁଲଙ୍କୁ ଚେତାବନୀ ଦେଇଛି ଯେ ଅତ୍ୟଧିକ ଆତ୍ମବିଶ୍ୱାସର ଶିକାର ହୁଅ ନାହିଁ ଏବଂ ଇସ୍ରାଏଲ ଉପରେ ଆକ୍ରମଣରୁ ଦୂରେଇ ରୁହ। ଏହା ସହିତ ଆମେରିକା ‌ଚେତାବନୀ ଦେଇଛି ସ୍ଥିତି ନ ସୁଧୁରିଲେ ପୃଥିବୀରେ ଆଉ ଏକ ନୂଆ ଯୁଦ୍ଧର ଆରମ୍ଭ ହେବ।

ସମ୍ବନ୍ଧିତ ଖବର