ସିବିଆଇ ଗିରଫଦାରି ବିରୋଧରେ ହାଇକୋର୍ଟ ଗଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଳୀ ମଦନୀତି ଦୁର୍ନୀତି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପୁଣିଥରେ ସିବିଆଇ ହାତରେ କେଜ୍ରିୱାଲ୍‌ ଗିରଫ ହୋଇଛନ୍ତି। ଏହି ଗିରଫ ବିରୋଧରେ କେଜ୍ରିୱାଲ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜୁନ୍ ୨୬ରେ କେଜ୍ରିୱାଲ୍‌ଙ୍କୁ ତିହାର ଜେଲ୍‌ରୁ ସିବିଆଇ ଗିରଫ କରି ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଏହାପରେ ବିଚାରପତି ସୁନୟନା ଶର୍ମା କେଜ୍ରିୱାଲ୍‌ଙ୍କୁ ତିନି ଦିନ ନିମନ୍ତେ ହାଜତକୁ ପଠାଇ ଦେଇଥିଲେ। ଶନିବାର ହାଜତ ମିଆଦ ଶେଷ ହୋଇଥିଲା। ଏହି ଦିନ ସିବିଆଇ ନିଜ ପକ୍ଷ ଉପସ୍ଥାପିତ କରିଥିଲା। ମାମଲାରେ କେଜ୍ରିୱାଲ୍ ପ୍ରମୁଖ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ତଦନ୍ତରେ କେଜ୍ରିୱାଲ୍ ଅସହଯୋଗ କରୁଥିବା, ପ୍ରଶ୍ନର ସିଧା ଉତ୍ତର ଦେଉ ନଥିବା ଦର୍ଶାଇ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇଦେବାକୁ ଅନୁରୋଧ କରିଥିଲା।

ସିବିଆଇର ଆବେଦନ ଉପରେ ପରେ ଜୁଲାଇ ୧୨ ଯାଏଁ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଏହି ଗିରଫ ବିରୋଧରେ କେଜ୍ରିୱାଲ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ମଦନୀତି ଦୁର୍ନୀତି ଓ ବେଆଇନ ଟଙ୍କା କାରବାର ମାମଲାରେ ଇଡି ମାର୍ଚ୍ଚ ୨୧ ତାରିଖରେ କେଜ୍ରିୱାଲ୍‌ଙ୍କୁ ଗିରଫ କରିଥିଲା। ଏହା ଉପରେ ନିମ୍ନ ଅଦାଲତ ଜାମିନ ଦେଇଥିଲେ। ଏହି ଜାମିନକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରି ଦେଇଥିଲେ। ହାଇକୋର୍ଟଙ୍କ ରାୟ ଉପରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାୟ ପ୍ରକାଶ କରିବାର ଦିନକ ପୂର୍ବରୁ ସିବିଆଇ କେଜ୍ରିୱାଲ୍‌ଙ୍କୁ ଗିରଫ କରିଥିଲା। ଏହାପରେ ସୁପ୍ରିମ୍‌କୋର୍ଟରେ ଦାଏର କରିଥିବା ଆବେଦନକୁ କେଜ୍ରିୱାଲ୍‌ ପ୍ରତ୍ୟାହାର କରିନେଇଥିଲେ।

ସମ୍ବନ୍ଧିତ ଖବର