ପିଏସିଏସ୍‌ ଦ୍ବାରା ସିଏସ୍‌ସି ସେବା ଆରମ୍ଭ, କନକ୍ଲେଭ ଉଦ୍‌ଘାଟନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ନୂଆଦିଲ୍ଲୀ ଠାରେ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍‌) ଦ୍ୱାରା ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) ସେବା ଆରମ୍ଭ ହେବା ନେଇ ଏକ ଜାତୀୟ ମେଗା କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମବାୟ ରାଷ୍ଟ୍ର ମନ୍ତ୍ରୀ ବି ଏଲ୍ ବର୍ମା, ସମବାୟ ମନ୍ତ୍ରାଳୟ ସଚିବ ଜ୍ଞାନେଶ କୁମାର, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସଚିବ ଅଳ୍କେଶ କୁମାର ଶର୍ମା ଏବଂ ସିଏସସି-ଏସପିଭିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ରାକେଶଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ରମନ୍ତ୍ରୀ ଶାହ ଏହି ଅବସରରେ କହିଛନ୍ତି, ପିଏସିଏସ୍ ଏବଂ ସିଏସ୍‌ସିର ଏକତ୍ରୀକରଣ ସହିତ ସମବାୟ ସମିତିକୁ ମଜଭୁତ କରିବା ଏବଂ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୁଇଟି ସଂକଳ୍ପ ଆଜି ପୂରଣ ହେଉଛି । ଡିଜିଟାଲ ଇଣ୍ଡିଆ ମିସନ ଅଧୀନରେ ସିଏସ୍‌ସି ମାଧ୍ୟମରେ ଶାସନରୁ ଦୁର୍ନୀତି ଦୂର କରିବା ଏବଂ ଗରିବ ଲୋକଙ୍କ ଦୁଆର ମୁହଁକୁ ସୁବିଧା ଗୁଡ଼ିକୁ ନେବା ତଥା ସମବାୟ ମନ୍ତ୍ରଣାଳୟ ଗଠନ କରି ପିଏସିଏସ୍‌ ଠାରୁ ଆପେକ୍ସ ପର୍ଯ୍ୟନ୍ତ ସମଗ୍ର ସମବାୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବା ସଂକଳ୍ପ ଆଜି ସମନ୍ୱିତ ହୋଇଛି।

ସମବାୟ ଆନ୍ଦୋଳନକୁ ମଜଭୁତ କରିବାକୁ ହେଲେ ଏହାର କ୍ଷୁଦ୍ରତମ ୟୁନିଟ୍ ପିଏସିଏସ୍‌କୁ ସୁଦୃଢ଼ କରିବାକୁ ପଡ଼ିବ। ଯେ ପର୍ଯ୍ୟନ୍ତ ପିଏସିଏସ୍ ଶକ୍ତିଶାଳୀ ହୋଇ ନାହିଁ ସେ ପର୍ଯ୍ୟନ୍ତ ସମବାୟ ଆନ୍ଦୋଳନକୁ ମଜଭୁତ କରାଯାଇ ପାରିବ ନାହିଁ। ସମବାୟ ମନ୍ତ୍ରଣାଳୟ ଗଠନ ହେବାର ୨୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ପିଏସିଏସ୍‌ର କମ୍ପ୍ୟୁଟରୀକରଣ ପାଇଁ ୨୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯେଉଁଥିପାଇଁ ୬୫,୦୦୦ ପିଏସିଏସ୍ କମ୍ପ୍ୟୁଟରୀକରଣ କରାଯାଉଛି ବୋଲି ଶ୍ରୀ ଶାହ କହିଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କର ୩୦୦ ରୁ ଅଧିକ କ୍ଷୁଦ୍ର ହିତାଧିକାରୀ ଯୋଜନା ସିଏସ୍‌ସି ସହିତ ଏକୀଭୂତ ହୋଇଛି। ଗ୍ରାମର ଗରିବ, ଭୂମିହୀନ କୃଷି ଶ୍ରମିକ ଏବଂ ଦଳିତ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସିଏସ୍‌ସି ସେବା ଯୋଗାଇବା ପାଇଁ ପିଏସିଏସ୍ ଠାରୁ ଭଲ ମାଧ୍ୟମ ଥାଇ ନପାରେ । ଆଜି ପିଏସିଏସ୍ ଏବଂ ସିଏସ୍‌ସି ମିଳିତ ହେବାକୁ ଯାଉଛନ୍ତି, ଏହା କେବଳ ଗରିବଙ୍କ ସୁବିଧା ବୃଦ୍ଧି କରିବ ନାହିଁ, ବରଂ ଗ୍ରାମୀଣ ଅର୍ଥନୀତି ମଧ୍ୟ ନୂତନ ଶକ୍ତି ପାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ସିଏସ୍‌ସିରେ ୧୭,୧୭୬ ପିଏସିଏସ୍ ପଞ୍ଜିକୃତ ହୋଇଛନ୍ତି। ୧୭,୧୭୬ ପିଏସିଏସ୍ ମଧ୍ୟରୁ ପ୍ରାୟ ୬,୬୭୦ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ଏବଂ ଅବଶିଷ୍ଟ ପିଏସିଏସ୍ ମଧ୍ୟ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବେ। ଏହା ପ୍ରାୟ ୧୪,୦୦୦ ଗ୍ରାମୀଣ ଯୁବକଙ୍କୁ ନିଯୁକ୍ତି ଯୋଗାଇବ ଏବଂ ଏହି ଯୁବକମାନେ ଗ୍ରାମାଞ୍ଚଳର ଅର୍ଥନୀତି ଏବଂ ଗ୍ରାମ ଗୁଡିକରେ ସୁବିଧା ଗୁଡ଼ିକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର