ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ସହିତ ରହିବା ଦ୍ବିତୀୟ ବିବାହ ଅବା ଅପରାଧ ନୁହେଁ: ରାଜସ୍ଥାନ ହାଇକୋର୍ଟ

ଜୟପୁର: ଏକ ମାମଲାର ବିଚାର କରି ରାଜସ୍ଥାନ ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବିବାହିତ ପୁରୁଷ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହିତ ରୁହନ୍ତି ତେବେ ଏହାକୁ ଦ୍ବିତୀୟ ବିବାହ କୁହାଯିବ ନାହିଁ। ‌ଯେ ପର୍ଯ୍ୟନ୍ତ ସେମାନେ ବିବାହ ନ କରିଛନ୍ତି ଏହାକୁ ଦ୍ବିତୀୟ ବିବାହ କୁହାଯାଇ ପାରିବ ନାହିଁ। ଏହାକୁ ଅପରାଧ ମଧ୍ୟ କୁହାଯାଇ ପାରିବ ନାହିଁ।

ଜଷ୍ଟିସ କୁଲଦୀପ ମାଥୁର ଏକ ମାମଲାର ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି ଯେଉଁଠାରେ ଜଣେ ବିବାହିତ ପୁରୁଷଙ୍କ ବିରୋଧରେ ତାଙ୍କ ପତ୍ନୀ ଦ୍ବିତୀୟ ବିବାହ କରିଥିବ‌େ ଅଭିଯୋଗ ଆଣିଥିଲେ। କାରଣ ବ୍ୟକ୍ତି ଜଣକ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିଲେ।

ତେବେ,ବିଚାରପତି ଦର୍ଶାଇଛନ୍ତି ଯେ ଭାରତୀୟ ଦଣ୍ଡ ସଂହିତା ଧାରା ୪୯୪ ଅନୁଯାୟୀ ଜୀବନସାଥୀ / ବିବାହିତାଙ୍କ ଦାମ୍ପତ୍ୟ ଜୀବନକାଳ ମଧ୍ୟରେ ପୁନର୍ବାର ବିବାହ କରିବା ଅବା‌ ପ୍ରଥମ ବିବାହର ଅବସାନ ନ ଘଟାଇ ଦ୍ୱିତୀୟ ବିବାହ କରିବା ଦଣ୍ଡନୀୟ ଅପରାଧ। ଅଦାଲତ କହିଛନ୍ତି ଯେ କେବଳ ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣଙ୍କ ସହ ରହୁଥିବାରୁ ବିବାହିତ ବ୍ୟକ୍ତି ଦ୍ବିତୀୟ ବିବାହ କୁହାଯାଇ ପାରିବ ନାହିଁ ଅବା ଏହାକୁ ଅପରାଧ କୁହାଯାଇ ପାରିବ ନାହିଁ।

ମେ’୭ ଆଦେଶରେ କୁହାଯାଇଛି, ଆଇପିସିର ଧାରା ୪୯୪ ଅନୁଯାୟୀ ବିବାହିତ ପୁରୁଷ ଜଣଙ୍କୁ ବିବାହ କରି ଦାମ୍ପତ୍ୟ ଜୀବନ ବିତାଉଥିବାବେଳେ ଆଉ କାହାକୁ ବିବାହ କଲେ ଏହା ଦଣ୍ଡନୀୟ ଅପରାଧ ହେବ। ବିବାହ ନ କରି କେବଳ ସ୍ୱାମୀ-ସ୍ତ୍ରୀ ଭାବରେ ଏକାଠି ରହିବା ଦ୍ବରା ଆଇପିସିର ଧାରା ୪୯୪ ଅନୁଯାୟୀ ଦଣ୍ଡନୀୟ ଅପରାଧ ହେବ ନାହିଁ।

ଏହି ମାମଲାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା ଅନ୍ତର୍ଗତ ଦାମ୍ପତ୍ୟ ଜୀବନରେ କ୍ରୁରତା ଏବଂ ଅନ୍ୟାନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ପରେ ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ହୋଇଥିବା ବିଚାରାଧୀନ ଅପରାଧିକ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି କରିଥିଲେ କୌଣସି ପ୍ରମାଣ ନାହିଁ ଯେ ଆବେଦନକାରୀ ଆବଶ୍ୟକୀୟ ଧାର୍ମିକ ରୀତିନୀତି କରି ଅନ୍ୟ ଜଣେ ମହିଳାଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି। ଏପରିକି ଅଭିଯୋଗକାରିଣୀ ପତ୍ନୀ ମଧ୍ୟ କହିଥିଲେ ଯେ ତାଙ୍କ ସ୍ୱାମୀ ଅନ୍ୟ କୌଣସି ମହିଳାଙ୍କୁ ବିବାହ କରିନାହାନ୍ତି। ପତ୍ନୀ କେବଳ ବ୍ୟକ୍ତିଙ୍କୁ ହଇରାଣ କରିବା ଏବଂ ଅପମାନିତ କରିବା ପାଇଁ ସ୍ୱାମୀଙ୍କ ବିରୁଦ୍ଧରେ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ ଆଣିଥିଲେ।

ପତ୍ନୀଙ୍କ ଆଇନଜୀବୀ ସ୍ୱାମୀଙ୍କ ଦାବିକୁ ବିରୋଧ କରି ଯୁକ୍ତି ବାଢ଼ିଥିଲେ ଯେ ଯଦିଓ ଏହା ଅନୁମାନ କରାଯାଏ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ କଲା ଭଳି ରହୁଛନ୍ତି। ସେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେଇ ନାହାନ୍ତି। ତେଣୁ ଏହା ଦ୍ବିତୀୟ ବିବାହ ଏବଂ ଅପରାଧ। ତେବେ କୋର୍ଟ କହିଛନ୍ତି ଯେ ଆବେଦନକାରୀ ଅନ୍ୟ ଜଣେ ମହିଳାଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି ବୋଲି କୌଣସି ପ୍ରମାଣ ନାହିଁ। ତେଣୁ ବିବାହିତଙ୍କ ଅପରାଧ ପ୍ରମାଣିତ ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଟ୍ରାଏଲ କୋର୍ଟରେ ବିଚାରାଧୀନ ଥିବା ଅପରାଧିକ ପ୍ରକ୍ରିୟାକୁ କୋର୍ଟ ଖାରଜ କରିଛନ୍ତି।

ସମ୍ପୃକ୍ତ ଟିପ୍ପଣୀରେ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ବିରୋଧୀ ମତ ପ୍ରକାଶ କରିଛନ୍ତି ଯେ, ଜଣେ ବ୍ୟକ୍ତି ଯିଏ ପ୍ରଥମେ ପତି-ପତ୍ନୀଙ୍କଠାରୁ ଛାଡ଼ପତ୍ର ନ ପାଇ ଏକ “ଶାରୀରିକ ସମ୍ପର୍କ ଏବଂ ବ୍ୟଭିଚାର” ଜୀବନ ଯାପନ କରନ୍ତି, ତାହାକୁ ଦ୍ବିତୀୟ ବିବାହ ଏବଂ ଅପରାଧ କୁହାଯାଇ ପାରିବ।

ସମ୍ପ୍ରତି, ଦିଲ୍ଲୀ ହାଇକୋର୍ଟ ମତ ଦେଇଛନ୍ତି ଯେ ବ୍ୟଭିଚାରକୁ ଅପରାଧ କରୁଥିବା ଆଇନର ଅନୁପସ୍ଥିତି ଲୋକମାନଙ୍କୁ ପ୍ରଥମ ବିବାହ ସମୟରେ ଅନ୍ୟ ବ୍ୟକ୍ତିଙ୍କୁ ବିବାହ କରିବା‌ରେ ସମ୍ପୂର୍ଣ୍ଣ ପ୍ରତିରୋଧକ ବ୍ୟବସ୍ଥା ପ୍ରଦାନ କରି ନ ଥାଏ।

ସମ୍ବନ୍ଧିତ ଖବର