ପର୍ବତ ସ୍ଖଳନ ବେଳେ ୩ଟି ଚଳନ୍ତା କାର୍‌ ଉପରେ ପଡ଼ିଲା ପ୍ରକାଣ୍ଡ ପଥର; ୨ ମୃତ, ୩ ଆହତ

କୋହିମା: ଭୀଷଣ ବର୍ଷାରେ ପର୍ବତସ୍ଖଳନ ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ଗୋଟାଏ ପ୍ରକାଣ୍ଡ ପଥର ଗଡ଼ି ଗଡ଼ି ଆସି କୋହିମା-ଦିମାପୁର ଜାତୀୟ ରାଜପଥ ଉପରେ ଯାଉଥିବା ୩ଟି କାର୍‌ ଉପରେ ପଡ଼ିଯିବାରୁ ଅନ୍ୟୁନ ୨ଜଣଙ୍କର ମୃତ୍ୟୁ ଘଟିଛି ଓ ଆଉ ୩ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ନାଗାଲାଣ୍ଡ୍‌ ଦେଇ ଯାଇଥିବା ଏହି ରାଜପଥ ଅନ୍ତର୍ଗତ ପୋଲିସ ଚେକ୍‌ପୋଷ୍ଟ୍‌ ନିକଟ ଚୁମୌକେଦିମାସ୍ଥିତ ‘ପାକଲା ପାହାଡ଼’ ଭାବେ ଜଣାଶୁଣା ସ୍ଥାନରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘଟିଥିବା ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖାଯାଉଛି, ଗୋଟିକ ପରେ ଗ‌ୋଟିଏ କରି ଉକ୍ତ ପ୍ରକାଣ୍ଡ ପଥରଟି ଦୁଇଟି କାର୍‌ ଉପରେ ପଡୁଛି। ପଥର ମାଡ଼ରେ କାର୍‌ ଦୁଇଟି ଛେଚି ହୋଇ ନଷ୍ଟ ହୋଇଯାଇଛି।

Image Courtesy of India Today

ସେହିପରି, ଉକ୍ତ ଭିଡିଓରେ ଦେଖାଯାଉଛି ଆଉ ଖଣ୍ଡେ ସାମାନ୍ୟ ଛୋଟ ପଥର ସେ ଦୁଇଟି କାର୍‌ ଆଗରେ ଯାଉଥିବା ଅନ୍ୟ ଏକ କାର୍‌ ସହିତ ଧକ୍କା ଖାଉଛି। ପଥର ଧକ୍କାରେ ନିୟନ୍ତ୍ରଣରୁ ବାହରି ଯାଇ ସେ କାର୍‌ଟି ରାସ୍ତାର ବାମ ପାର୍ଶ୍ବରେ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ ଉପରେ ଧକ୍କା ଖାଉଛି।

ନଷ୍ଟ ହୋଇଯାଇଥିବା କାର୍‌ଗୁଡ଼ିକ କ‌ୋହିମାରୁ ଆସୁଥିଲେ। ସେ କାର୍‌ଗୁଡ଼ିକ ପଛରେ ଆସୁଥିବା ଅନ୍ୟ ଏକ ଗାଡ଼ିର ଡ୍ୟାସ୍‌ କ୍ୟାମେରାରେ ଏହି ଭୟଙ୍କର ଅଘଟଣର ଭିଡିଓ ଉତ୍ତୋଳିତ ହୋଇଛି।

ଆହତମାନେ ଦିମାପୁରସ୍ଥିତ ରେଫେରାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତାହତମାନଙ୍କର ପରିଚୟ ଜଣାପଡ଼ି ନାହିଁ।

ପୁଲିସ କହିବା ଅନୁସାରେ, ଘଟଣାସ୍ଥଳରେ କାର୍‌ ଭିତରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ନଷ୍ଟ ହୋଇଯାଇଥିବା କାର୍‌କୁ କାଟି ତାଙ୍କ ଶବ ବାହାର କରାଯାଇଥିଲା।

ସମ୍ବନ୍ଧିତ ଖବର