ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ପହଞ୍ଚିଛନ୍ତି । ସେ ଜୁନ୍ ୨୩ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଓ ଅର୍ଥନୀତିଜ୍ଞ, ନୋବେଲ ବିଜେତା, ଶିଳ୍ପପତି, ସିଇଓମାନଙ୍କୁ ଭେଟିବେ।

ମୋଦୀ ଜୁନ୍ ୨୧ ରେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଯୋଗ ଦେବେ । ଯୋଗ ଦିବସ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ରେ ୱାସିଂଟନ୍ ଡିସି ଯିବେ। ଯେଉଁଠାରେ ହ୍ୱାଇଟ ହାଉସରେ ତାଙ୍କୁ ପାରମ୍ପରିକ ସ୍ୱାଗତ କରାଯିବ । ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ରାତ୍ରୀ ଭୋଜନ କରିବେ। ଏହି ଗସ୍ତକାଳରେ ଭାରତ ଓ ଆମେରିକା ମଧ୍ୟରେ ବହୁଚର୍ଚ୍ଚିତ ପ୍ରିଡେଟର ଡ୍ରୋନ ଚୁକ୍ତି ହେବାର ସମ୍ଭାବନା ରହିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ୍ ବାଇଡେନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ପହଞ୍ଚିଛନ୍ତି। ଏନଏସସି ସଂଯୋଜକ ଜନ୍ କିର୍ବି କହିଛନ୍ତି ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ଦୋହରାଇବ ଏବଂ ଆମର ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଇବ । ଭାରତୀୟଙ୍କ ସହ ମିଶି ଆମେ ଏକ ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱାସ କରୁ, ତେଣୁ ଆମର ପ୍ରତିରକ୍ଷା ସହଯୋଗରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି । ଆମେରିକା ଗସ୍ତ ପରେ ମୋଦୀ ୨ ଦିନ ପାଇଁ ଇଜିପ୍ଟ ଯିବେ ।

 

ସମ୍ବନ୍ଧିତ ଖବର