ନିଟ୍ ବିବାଦ: ‘ଅସଙ୍ଗତ’ ମାର୍କ ନେଇ ଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟ ନୋଟିସ୍

ନୂଆଦିଲ୍ଲୀ: ଓଏମ୍ଆର୍ ସିଟ୍‌ରେ ମାର୍କ ଗଣନାରେ ଅସଙ୍ଗତି ଅଛି ବୋଲି ଦାବି କରୁଥିବା ଏକ ଲର୍ଣ୍ଣିଂ ଆପ୍ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି ନିଟ୍ ବିବାଦ ଉପରେ ସୁପ୍ରିମ୍‌କୋର୍ଟ ଗୁରୁବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ମନୋଜ ମିଶ୍ର ଓ ଏସ୍‌ଭିଏନ୍‌ ଭଟ୍ଟିଙ୍କୁ ନେଇ ଗଠିତ ଅବକାଶ ବେଞ୍ଚ ଏନ୍‌ଟିଏକୁ ଜୁଲାଇ ୮ ସୁଦ୍ଧା ଜବାବ ମାଗିଛନ୍ତି, ଯେଉଁଦିନ ନିଟ୍-ୟୁଜି ବିବାଦ ସହ ଜଡ଼ିତ ଅନ୍ୟାନ୍ୟ ପିଟିସନ ସହିତ ଏହାର ଶୁଣାଣି ହେବ।

ଲର୍ଣ୍ଣିଂ ଆପ୍ ପକ୍ଷରୁ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ, ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସେମାନଙ୍କ ଓଏମ୍‌ଆର ସିଟ୍‌ରେ ଠିକ୍ ମାର୍କ ଦିଆଯାଇଛି କି ନାହିଁ ଦେଖିବାକୁ ଉକ୍ତ ସିଟ୍‌ ପାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ବହୁ ଛାତ୍ରଛାତ୍ରୀ ଅଦ୍ୟାବଧି ଏହା ପାଇ ନ ଥିବା ଅଭିଯୋଗ ହୋଇଛି। ଓଏମ୍‌ଆର ସିଟ୍ ପ୍ରଦାନ ପାଇଁ କୌଣସି ସମୟସୀମା ଅଛି କି ନାହିଁ ତାହା ଜଣାଇବାକୁ ମଧ୍ୟ ଅଦାଲତ ପରୀକ୍ଷା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଟ୍-ୟୁଜି ଅନିୟମିତତା ଓ ଦୁର୍ନୀତି ମାମଲାରେ ତଦନ୍ତ ବ୍ୟାପକ କରିଛି। ଏହି ତଦନ୍ତ ବିଭିନ୍ନ ରାଜ୍ୟରେ ଚାଲିଥିବା ବେଳେ ଅନେକ ଲୋକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର