‘ନିଟ୍‌’ ବିତର୍କ ଦାବି, ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ପ୍ରସଙ୍ଗରେ ବିରୋଧୀ ଦଳ ସଦସ୍ୟମାନେ ସୋମବାର ଲୋକସଭାରେ ପୃଥକ୍ ଦିନିକିଆ ଆଲୋଚନା ଦାବି କରିବା ସହ ଏହି ପ୍ରସଙ୍ଗରେ ସରକାରଙ୍କୁ ସ୍ପଷ୍ଟ ପ୍ରତିଶ୍ରୁତି ମାଗିବା ପରେ ଆଲୋଚନା ପାଇଁ ବାଚସ୍ପତି ଓମ୍ ବିର୍ଲା ଅନୁମତି ନ ଦେବାରୁ କକ୍ଷତ୍ୟାଗ କରିଥିଲେ।

ଲୋକସଭା ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ଅନିୟମିତତା ପ୍ରସଙ୍ଗ ଉଠାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସହିତ ଗୃହ ଶେଷ ନ ହେବା ପର୍ଯ୍ୟନ୍ତ ପୃଥକ୍ ଆଲୋଚନା ହୋଇପାରିବ ନାହିଁ। ଲୋକସଭାର ଉପନେତା ସିଂହ କହିଥିଲେ ଯେ ଗୃହରେ କିଛି ନିୟମ ଓ ପରମ୍ପରା ରହିଛି। ସାଂସଦ ଭାବେ ମୋର ଦୀର୍ଘ ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମୟରେ ଆଉ କୌଣସି ପ୍ରସଙ୍ଗ ଉଠିନାହିଁ। ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ପରେ ଅନ୍ୟାନ୍ୟ ପ୍ରସଙ୍ଗ ଉଠିପାରିବ ବୋଲି ସେ କହିଥିଲେ। ତାଙ୍କ ମନ୍ତବ୍ୟକୁ ଗ୍ରହଣ କରି ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ପରେ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାରଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମାଗିଥିଲେ।

ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ସମୟରେ ଅନ୍ୟ କୌଣସି ପ୍ରସଙ୍ଗକୁ ଆଲୋଚନା ପାଇଁ ଗ୍ରହଣ କରାଯିବାର କୌଣସି ପରମ୍ପରା ନାହିଁ ଏବଂ ସଦସ୍ୟମାନେ ନିଟ୍ ଉପରେ ଆଲୋଚନା ପାଇଁ ଅଲଗା ନୋଟିସ୍ ଦେଇପାରିବେ। ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିବାକୁ ବାଚସ୍ପତି ବିଜେପି ନେତା ଅନୁରାଗ ଠାକୁରଙ୍କୁ ଆହ୍ୱାନ ଦେବା ପରେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର