ସଂସଦରେ ‘ନିଟ୍‌’ ହଙ୍ଗାମା: ରାଜ୍ୟସଭାରେ ଅଚେତ ହୋଇଗଲେ କଂଗ୍ରେସ ସାଂସଦ ଫୁଲୋ ଦେବୀ

ସୋମବାର ପର୍ଯ୍ୟନ୍ତ ମୁଲତବୀ 

ନୂଆଦିଲ୍ଲୀ: ନିଟ୍‌ ପେପର୍‌ ଲିକ୍ ପ୍ରସଙ୍ଗ ନେଇ ଆଜି ସଂସଦରେ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀମାନେ ନିଟ୍‌ ପ୍ରସଙ୍ଗରେ ଲଗାତାର ସ୍ଲୋଗାନ୍‌ ଦେଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଲଗାତାର ବିଶୃଙ୍ଖଳା ଭିତରେ ସୋମବାର ପର୍ଯ୍ୟନ୍ତ ସଂସଦ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍‌ ପ୍ରସଙ୍ଗ ଉଠାଇଥିଲେ ଏବଂ ଅନ୍ୟ ବିରୋଧୀ ସାଂସଦଙ୍କ ସହିତ ଉକ୍ତ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଲୋକସଭାରେ ନିଟ୍‌-ୟୁଜି ଏବଂ ୟୁଜିସି ନେଟ୍‌ ଅନିୟମିତତା ମାମଲାରେ ଆଲୋଚନା ପାଇଁ ଏକ ମୁଲତବୀ ପ୍ରସ୍ତାବ ଆଣିଥିଲେ। ବାଚସ୍ପତି ଓମ୍‌ ବିର୍ଲା ଏହି ସମୟରେ କହିଥିଲେ ଯେ ମୁଁ ନିଟ୍‌ ପେପର୍‌ ଲିକ୍‌ ମାମଲାକୁ ନେଇ ୨୨ଟି ନୋଟିସ ପାଇଛି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ରାଷ୍ଟ୍ରପତି ମଧ୍ୟ କହି ସାରିଛନ୍ତି। ତେବେ ପ୍ରଥମେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ତେବେ ବିରୋଧୀ ଦଳମାନେ ଏହା ଶୁଣିନଥିଲେ। ରାହୁଲ ଗାନ୍ଧୀ କହିଥିଲେ, ବିରୋଧୀ ଏବଂ ସରକାରଙ୍କ ପକ୍ଷରୁ ମୁଁ ଦେଶର ଛାତ୍ରମାନଙ୍କୁ ଏକ ମିଳିତ ବାର୍ତ୍ତା ଦେବାକୁ ଚାହୁଛି। ଆମେ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ବିଚାରକୁ ନେଉଛୁ। ତେଣୁ ଛାତ୍ରମାନଙ୍କୁ ସମ୍ମାନ ଦେଇ ଆମେ ନିଟ୍‌ ପ୍ରସଙ୍ଗରେ ଆଜି ଆଲୋଚନା କରିବା ଉଚିତ ବୋଲି ରାହୁଲ କହିଥିଲେ। ଏହାପରେ ବାଚସ୍ପତି ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ଏବଂ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ବିରୋଧୀମାନେ ହୋହଲ୍ଲା କରିବାରୁ ବାଚସ୍ପତି ଦିନକ ପାଇଁ ଗୃହ ମୁଲତବୀ ରଖିଥିଲେ। ଆସନ୍ତା ସୋମବାର ଗୃହକାର୍ଯ୍ୟ ଆରମ୍ଭ ହେବ।

ବିରୋଧୀମାନେ ରାଜ୍ୟସଭାରେ ମଧ୍ୟ ସମାନ ଦାବି କରିଥିଲେ ଏବଂ ଉକ୍ତ ପ୍ରସଙ୍ଗକୁ ନେଇ ଗୃହ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମେ ମୁଲତବୀ ରହିଥିଲା। ପୁଣିଥରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିଲା। ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ପ୍ରଥମେ ବକ୍ତବ୍ୟ ରଖିଥିଲେ। ତେବେ ତାଙ୍କ ଭାଷଣ ମଝିରେ ଲଗାତାର ବିଶୃଂଖଳା ଦେଖିବାକୁ ମିଳିଥିଲା ଏବଂ ଗୃହ ପୁଣିଥରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଅପରାହ୍ନ ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ନିଟ୍ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ କଂଗ୍ରେସ ସାଂସଦ ଫୁ‌ଲୋ ଦେବୀ ନେତାମ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନେତାମଙ୍କୁ ଅଚେତ ହେବା ଦେଖି ତାଙ୍କୁ ସହ‌ଯୋଗ କରିବାପାଇଁ ଅନ୍ୟ ସାଂସଦମାନଙ୍କୁ କହିଥିଲେ ଏବଂ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ। ଫୁଲୋ ଦେବୀଙ୍କୁ ଆରଏମଏଲ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଆଜି ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନେ ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା କରିଥିବାରୁ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ‌ସେ କହିଛନ୍ତି, ଆଜି ସଂସଦୀୟ ମର୍ଯ୍ୟାଦାରେ ଏକ ଦାଗ ଲାଗିଗଲା। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଅବିଶ୍ବସନୀୟ ବୋଲି ସେ କହିଛନ୍ତି।

ଗୃହ ମଧ୍ୟଭାଗରେ ବିଜେଡିର ହଟ୍ଟଗୋଳ

ନୂଆଦିଲ୍ଲୀ: ସଂସଦରେ ବିଜେଡି ଆଭିମୁଖ୍ୟ କ’ଣ ହେବ, ସେ ନେଇ ନବୀନ ନିବାସରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ। ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଦଳ କେନ୍ଦ୍ର ସରକାରକୁ ବିରୋଧ କରିବାକୁ ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏକ ଦୃଢ ବିରୋଧୀ ଦଳ ଭାବେ ବିଜେଡି ରାଜ୍ୟସଭାରେ ପ୍ରଦର୍ଶନ କରିବ ଓ ଆବଶ୍ୟକସ୍ଥଳେ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିବା ଲାଗି ସଙ୍କେତ ଦେଇଥିଲେ ନେତା। ଯାହା ସାଂସଦମାନେ ସେବେ କହିଥିଲେ, ଆଜି ଆରମ୍ଭରୁ କରିକି ଦେଖାଇଲେ। ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ଆଜି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଇଣ୍ଡିଆ ମେଣ୍ଟର ନେତାମାନଙ୍କ ସହିତ ସମାନ୍ତରାଳ ଭାବେ ଆଜି ବିଜେଡିର ନେତାମାନେ ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଜୋରଦାର ହଙ୍ଗାମା ଓ ପ୍ରତିବାଦ କରିଛନ୍ତି। ପ୍ରଥମେ ନିଜ ଆସନରେ ଛିଡ଼ା ହୋଇ ପରେ ଗୃହର ମଧ୍ୟଭାଗକୁ ଯାଇ ବିଜେଡି ସାଂସଦମାନେ ପ୍ରତିବାଦ କରିଥିଲେ। ବିଜେଡି ଗୃହର ମଧ୍ୟଭାଗକୁ ଯିବା ଓ ଇଣ୍ଡିଆ ମେଣ୍ଟ ସହିତ ତାଳ ଦେଇ ପ୍ରତିବାଦ କରିବା ଘଟଣା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଗତ ଦଶବର୍ଷରେ ଥରୁଟିଏ ବି ମଧ୍ୟଭାଗକୁ ଯାଇ ନ ଥିଲା ଦଳ
୨୦୧୯ ନଭେମ୍ବରରେ ବିଜେଡିକୁ ପ୍ରଶଂସା କରିଥିଲେ ମୋଦୀ

ନିଟ୍‌ ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତା ନେଇ ବିଜେଡିର ସାଂସଦମାନେ ରାଜ୍ୟସଭାରେ ଦୃଢ଼ ପ୍ରତିବାଦ କରିଥିଲେ। ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରିଥିଲେ ସଦସ୍ୟ। ବିଜେଡି ସାଂସଦମାନଙ୍କର ଦାବି ରହିଥିଲା ଯେ ଗୃହ କାର୍ଯ୍ୟକୁ ସ୍ଥଗିତ ରଖାଯାଇ ନିଟ୍‌ ୟୁଜି ପ୍ରସଙ୍ଗରେ ଆଲୋଚନା କରାଯାଉ। ପ୍ରତିବାଦକୁ ଅଣଦେଖା କରାଯିବାରୁ ଦୁଇଥର ବିଜେଡିର ସାଂସଦମାନେ ସଦନ ମଧ୍ୟଭାଗରେ ପାଟିତୁଣ୍ଡ କରିଥିଲେ। ବିରୋଧୀ ଦଳର ହଙ୍ଗାମା, ହୋହାଲ୍ଲା ପାଇଁ ରାଜ୍ୟସଭାକୁ ଦିନ ଦୁଇଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିଲା ଏହାପରେ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ସେବେ ପୁଣି ହଟ୍ଟଗୋଳ କଲେ ସଦସ୍ୟ। ପରେ ବିଜେଡି ସମେତ ଅନ୍ୟ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।

ବିଜେଡିର ରାଜ୍ୟସଭା ନେତା ଡ. ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଚନ୍ତି, ନିଟ୍‌ ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତା ଦେଶର ଲକ୍ଷାଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି। ଏଥିରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବିଜେଡି ସାଂସଦମାନେ ସେମାନଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହିତ ଦୁଇଥର ସଦନର ମଧ୍ୟ ଭାଗକୁ ପ୍ରତିବାଦ କରିଥିଲେ। ଏଠାରେ ଉଲ୍ଲେଖଥାଉକି, ଗତ ଦଶ ବର୍ଷରେ ପ୍ରଥମ ଥର ପାଇଁ ବିଜେଡି ରାଜ୍ୟସଭାର ମଧ୍ୟ ଭାଗରେ ଯାଇ ପ୍ରତିବାଦ କରିଛି। ୨୦୧୯ ନଭେମ୍ବର ୧୮ ତାରିଖରେ ରାଜ୍ୟସଭାର ଏୗତିହାସିକ ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ଓ ଏନସିପି(ଅବିଭାଜିତ)ର ଶୃଙ୍ଖଳିତ ଆଚରଣକୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଦୁଇ ଦଳ ଗୃହ ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରନ୍ତି ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର