ନୂଆ ଜଳବାୟୁ ଚିଠା: ଜୀବାଶ୍ମ ଇନ୍ଧନ ହଟାଇବା ନେଇ ପ୍ରତିବଦ୍ଧତା ନାହିଁ

ଆମେରିକା, ୟୁରୋପୀୟ ସଂଘ ସମେତ ଅନ୍ୟ ଦେଶଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦୁବାଇଠାରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌ ୨୮)ର ଆଜିଥିଲା ଉଦ୍‌ଯାପନୀ ଦିବସ। ‌‌‌ତେବେ ଏହି ପ୍ରସଙ୍ଗରେ ତିଆରି ହୋଇଥିବା ନୂଆ ଚିଠାକୁ ନେଇ ପ୍ରବଳ ବିତର୍କ ଚାଲିଛି। ଏଥିସହିତ ଜୀବାଶ୍ମ ଇନ୍ଧନ ଦୂର ନେଇ କୌଣସି ପ୍ରତିବଦ୍ଧତା ନଥିବାରୁ ଏହାକୁ ସମାଲୋଚନା ଆରମ୍ଭ ହୋଇଛି। ଗତକାଲି କପ୍‌-୨୮ ପକ୍ଷରୁ ଜାରି ଚିଠାରେ ସବୁଜଗୃହ ଗ୍ୟାସ ହ୍ରାସ ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ ରହିଛି। କିନ୍ତୁ ‌ତୈଳ, ଗ୍ୟାସ୍‌ ଏବଂ କୋଇଲା ବ୍ୟବହାରର ଅବସାନ କରାଇବା ଲାଗି କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଚିଠାରେ ନଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ବାରା ଅଧିକ ବିପଦର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଦେଶଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି ଯେ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ଉଚ୍ଛେଦ କରିବା ନେଇ ଦୃଢ଼ ପ୍ରତିବଦ୍ଧତା ନରହିଲେ ବିଶ୍ବ ବର୍ଦ୍ଧିତ ଜଳବାୟୁ ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିପାରିବ ନାହିଁ।

ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ଏହି ସମ୍ମଳନୀ ଡିସେମ୍ବର ୧୨ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ଆଉ ଏକ ସଂଶୋଧିତ ଚିଠା ଆସିବା ଆଶା କରାଯାଉଛି। କପ୍‌ ୨୮ର ନିର୍ଯାସକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ବିଶ୍ବର ମୋଟ ଶକ୍ତି ଉତ୍ପାଦନରେ ଜୀବାଶ୍ମ ଇନ୍ଧନର ଯୋଗଦାନ ପ୍ରାୟ ୮୦ ପ୍ରତିଶତ ରହିଛି। ତେଣୁ ବିକାଶଶୀଳ ଦେଶଗୁଡ଼ିକ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ବନ୍ଦ କରି ଅକ୍ଷୟ ଶକ୍ତି କ୍ଷେତ୍ରକୁ ଯିବାଲାଗି ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର